ମେଲ୍‌ବର୍ନ ଟେଷ୍ଟ୍‌ ଆଜିଠୁ:ମୁରଲୀ-ରାହୁଲ ବାଦ୍: ମୟଙ୍କ-ହନୁମା ପାଳି ଆରମ୍ଭ କରିବେ

ମେଲ୍‌ବର୍ନ: ବକ୍ସିଂ ଡେ’ ଟେଷ୍ଟ୍‌ ବୁଧବାରଠାରୁ ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ‌ ‌ଖେଳାଯିବ। ସବୁବେଳେ ଏହି ଦିବସରୁ ଆରମ୍ଭ ହେଉଥିବା ଟେଷ୍ଟ୍‌କୁ ପ୍ରଶଂସକଙ୍କ ଅପେକ୍ଷା ଥାଏ। ଏଥର ଶୃଙ୍ଖଳା ୧-୧ ସ୍ଥିତିରେ ଥିବାରୁ ରୋମାଞ୍ଚ ଅଧିକ। ପର୍ଥରେ ଅଷ୍ଟ୍ରେଲିଆର ବିଜୟ ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି,‌ ବିରାଟ କୋହଲି କିନ୍ତୁ ଛାଡ଼ିବା ଖେଳାଳି ନୁହନ୍ତି। ମେଲବର୍ନ ପିଚ୍‌ରେ ଘାସ ବି ରହିଛି। ସବୁ ଦୃଷ୍ଟିରୁ ତୃତୀୟ ‌ଟେଷ୍ଟ୍ ନିଶ୍ଚିତ ଉତ୍କଣ୍ଠାରେ ଭରି ରହିବାର ପ୍ରତିଶ୍ରୁତି‌ ଦେଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ବିଗତ ଦୁଇ ଟେଷ୍ଟ୍‌ରେ ଭଲ କ୍ରିକେଟ୍‌ ଖେଳି ପ୍ରଶଂସକଙ୍କୁ ଟେଷ୍ଟ୍‌ କ୍ରିକେଟ୍‌ ଆଡକୁ ମୁହଁ ଫେରାଇ ଆଣିବାକୁ ବାଧ୍ୟ କରିଛନ୍ତି। ଭାରତ ଯଦି ପର୍ଥ ପରାଜୟକୁ ପଛରେ ପକାଇ ବିଜୟୀ ହେବ‌ ତେବେ ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିବ। ଅଷ୍ଟ୍ରେଲିଆ ଯଦି ମେଲବର୍ନରେ ବିଜୟୀ ‌ହୁଏ‌ ତେବେ ବର୍ଷ ପ୍ରାରମ୍ଭର ବଲ୍ ବିକୃତ ବିବାଦକୁ ପଛରେ ପକାଇ ଆଶ୍ବସ୍ତିରେ ୨୦୧୮କୁ ବିଦାୟ ଦେବ।
ନଜରରେ
ଆର୍ଡିଲେଡ୍‌ରେ ପ୍ରଭାବହୀନ ଖେଳିବା ପରେ ପର୍ଥରେ ବାଉଁସର ବଲ୍‌ରେ ଆଘାତପ୍ରାପ୍ତ ଆରୋନ୍ ଫିଞ୍ଚ୍‌ ମେଲବର୍ନ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ଖରାପ ଫର୍ମ ଏବଂ ଆଘାତ ସମସ୍ୟାରୁ ବାହାରିଥିଲେ ବି ସମସ୍ତଙ୍କ ନଜର ରହିଛି ଅଭିଜ୍ଞ ଫିଞ୍ଚ୍‌ଙ୍କ ଉପରେ। ଅନ୍ୟପକ୍ଷରେ ଭାରତର ଖେଳାଳି ଚୟନ ଢେର ସମାଲୋଚିତ‌ ହେଉଥିଲେ ବି ପ୍ରଶିକ୍ଷକ ରବି ଶାସ୍ତ୍ରୀ ସେ ସବୁକୁ ଭ୍ରୁକ୍ଷେପ କରିବା ସ୍ଥିତିରେ ନାହାନ୍ତି। ନୂଆ ପ୍ରାରମ୍ଭିକ‌ ଯୋଡ଼ି ଏବଂ ରୋହିତ ଶର୍ମାଙ୍କ ଉପରେ ନିଶ୍ଚିତ ରହିବ ସମସ୍ତଙ୍କ ନଜର।
ଦଳୀୟ ସମ୍ବାଦ
ପିଟର୍ ହ୍ୟାଣ୍ଡ୍‌ସ୍କମ୍ବଙ୍କ ବଦଳରେ ମିଚେଲ୍‌ ମାର୍ସଙ୍କୁ ଡକାଯାଇଛି ଏହି ଟେଷ୍ଟ୍‌ ଲାଗି। ଭାରତୀୟ ଦ୍ରୁତ ବୋଲର ନେବେ ପରୀକ୍ଷା ଏବଂ ତାଙ୍କ ଅଲରାଉଣ୍ଡ ଭୂମିକା ହୋଇପାରେ ନିର୍ଣ୍ଣାୟକ। ଅଷ୍ଟ୍ରେଲିଆ ୧୧: ଆରୋନ୍ ଫିଞ୍ଚ୍‌, ମାର୍କସ ହାରିସ୍‌, ଉସମାନ ଖୱାଜା, ସନ୍‌ ମାର୍ସ, ଟ୍ରାଭିସ ହେଡ୍‌, ମିଚେଲ୍‌ ମାର୍ସ, ଟିମ୍ ପେନ୍‌ (ଅଧିନାୟକ, ୱିକେଟରକ୍ଷକ), ପ୍ୟାଟ୍ କମିନ୍ସ, ମିଚେଲ୍‌ ଷ୍ଟାର୍କ, ନାଥନ୍ ଲାୟନ, ଜୋସ୍ ହାଜେଲଉଡ୍‌।
ଭାରତ କିନ୍ତୁ ଏକ ପ୍ରକାର ଜୁଆ ଖେଳିଛି ଦଳ ଚୟନରେ। ପରିସ୍ଥିତି ବି ବାଧ୍ୟ କରିଥିଲା ଦଳକୁ। ପାରମ୍ପରିକତାରୁ ବାହାରି ପୂର୍ବ ଦିନ ହିଁ ଭାରତ ଚୂଡାନ୍ତ ଏକାଦଶ ‌ଘୋଷଣା କରିଛି। କାଳ ବିଳମ୍ବ ନ କରି ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ-ଲୋକେଶ ରାହୁଲଙ୍କୁ ବାଦ୍‌ ଦେଇଛି। ମିଳିତ ଭାବେ ୮ ପାଳିରେ ଦୁହେଁ କରିଛନ୍ତି ୯୭ ରନ୍‌। ମୟଙ୍କ ଅଗ୍ରୱାଲ ପଦାର୍ପଣ କରିବା ସହିତ ହନୁମା ବିହାରୀଙ୍କୁ ନେଇ ପାଳି ଆରମ୍ଭ କରିବାର ଦୁଃସାହସ କରିଛି ଭାରତ। ଏମାନେ ସ୍ପେସାଲିଷ୍ଟ୍‌ ଓପନର୍‌ ନୁହନ୍ତି, ବିଦେଶରେ ଏଭଳି ପରୀକ୍ଷା ଜୁଆଠାରୁ କିଛି କମ୍ ନୁହେଁ। ହନୁମା ପର୍ଥରେ ମଧ୍ୟକ୍ରମରେ ଖେଳିଥିଲେ। ରୋହିତ ଶର୍ମାଙ୍କୁ ଏବେ ମଧ୍ୟକ୍ରମରେ ଖେଳିବା ଲାଗି ପୁଣି ପ୍ରତ୍ୟାବର୍ତନ ସୁଯୋଗ ମିଳିଛି। ତୃତୀୟ ପରିବର୍ତନ ହୋଇଛି ବୋଲିଂ ବିଭାଗରେ। ଚର୍ଚିତ ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସ୍ପିନ୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜାଙ୍କୁ ମିଳିଛି ସୁଯୋଗ। ଭାରତ ୧୧: ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷବ ପନ୍ତ୍‌ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ୍ ବୁମ୍‌ରା।
ପିଚ୍‌ ଓ ପରିବେଶ
ମେଲବର୍ନ ପିଚ୍‌କୁ ନେଇ ଅଧିକ ଚର୍ଚା ଚାଲିଛି। ଗତବର୍ଷର ଆସେସ୍ ବେଳେ ଏହାକୁ ଖରାପ ଆଖ୍ୟା ଦେଇଥିଲା ଆଇସିସି। କିନ୍ତୁ ଏଠାରେ ୨୦୧୮‌ରେ ଖେଳ‌ାଯାଇଥିବା ସମସ୍ତ ମ୍ୟାଚ୍ ବ୍ୟାଟ୍‌ ଓ ବଲ୍‌ରେ ଭଲ ସନ୍ତୁଳନ ଦେଇଥିଲା। ଏଥରର ମେଲବର୍ନ ପିଚ୍‌ ଫ୍ଲାଟ୍‌ ଦୋଷରୁ ବାହାରି ଜୀବନ୍ତ ଦେବାକୁ ପ୍ରୟାସ କରିଛି। କିଛି ଘାସ ବି ରହିଛି। ଟସ୍ ବିଜୟୀ ଦଳ ନିଶ୍ଚିତ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବ। ପରିବେଶ ଗରମ ରହିଛି। ପ୍ରଥମ ୪ ଦିନ ପାଗ ଭଲ ରହିବ ବୋଲି ମଧ୍ୟ ପୂର୍ବାନୁମାନ ମିଳିଛି।
ସଂଖ୍ୟା ଓ ତଥ୍ୟ
ଟେଷ୍ଟ୍ କ୍ରିକେଟ୍‌ରେ ୨୦୦ ପୂରଣ କରିବାଠାରୁ ୪ ୱିକେଟ୍ ଦୂରରେ ରହିଛନ୍ତି ମିଚେଲ ଷ୍ଟାର୍କ। ନାଥନ୍ ଲାୟନ୍‌ ଘରୋଇ ମାଟିରେ ଭାରତ ବିପକ୍ଷରେ ସର୍ବାଧିକ ୨୩ ୱିକେଟ୍‌ (୨୦୧୪) ନେଇ କୀର୍ତିମାନ କରିଥିଲେ। ଏଥର ପ୍ରଥମ ୨ଟିରୁ ୧୬ ୱିକେଟ୍‌ ନେଇ ସାରିଥିବାରୁ ଏହାକୁ ଟପିଯିବା ସମ୍ଭାବନା ରଖିଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲି ୨୦୧୮ ମସିହାରେ ୫ ଟେଷ୍ଟ୍ ଶତକ ହାସଲ କରି ନିଜର ୨୦୧୭ ବର୍ଷ ସହ ସମପକ୍ଷ ହୋଇସାରିଛନ୍ତି। ଆଉ ଗୋଟିଏ ଶତକ ତାଙ୍କୁ ସଚିନ ‌ତେନ୍ଦୁଲକର (୭ ଶତକ, ୨୦୧୦)ଙ୍କ ପଛକୁ ଦ୍ବିତୀୟରେ ପହଞ୍ଚାଇଦେବ। ମେଲବର୍ନରେ ଭାରତ ବକ୍ସିଂ ଡେ’ ଟେଷ୍ଟ୍ ଜିତି ନାହିଁ। କିନ୍ତୁ ଏଠାରେ ୧୯୭୭ରେ ବିଶ୍ବ ସିରିଜ୍ କ୍ରିକେଟ୍‌ ଝଡ଼ ପରେ ୨୨୨ ରନ୍‌ରେ ବିଜୟୀ ହୋଇଥିଲା। ୧୯୮୧ ମସିହାରେ ଅଷ୍ଟ୍ରେଲିଆ ମଧ୍ୟ ୧୪୩ ରନ୍‌କୁ ପିଛା କରି ୮୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବାରୁ ଭାରତ ୫୯ ରନ୍‌ରେ ଜିତିଥିଲା।

ସମ୍ବନ୍ଧିତ ଖବର