ମେଲ୍ବର୍ନ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଖେଳାଯାଇଥିବା ବକ୍ସିଂ ଡେ’ ଟେଷ୍ଟ୍ରେ ଘରୋଇ ଅଷ୍ଟ୍ରେଲିଆକୁ ୮ ୱିକେଟ୍ରେ ପରାସ୍ତ କରିଛି ଭାରତ। ଏହା ମଧ୍ୟ ବିଦେଶ ମାଟିରେ ଭାରତର ୫୨ତମ ବିଜୟ ହୋଇଛି। କେବଳ ସେତିକି ନୁହେଁ ଏକ୍ଷେତ୍ରରେ ମେଲ୍ବର୍ନ ମଧ୍ୟ ଭାରତର ଶ୍ରେଷ୍ଠ ଭେନ୍ୟୁ ପାଲଟିଯାଇଛି। ୧୯୭୮ ଗସ୍ତରୁ ଏପର୍ଯ୍ୟନ୍ତ ଭାରତ ଏମ୍ସିଜିରେ ୪ ଟେଷ୍ଟ୍ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ବ୍ୟତୀତ ଅନ୍ୟ କୌଣସି ଦଳ ଏମ୍ସିଜିରେ ୩ରୁ ଅଧିକ ଟେଷ୍ଟ୍ ଜିତିପାରିନାହିଁ।
ଅଷ୍ଟ୍ରେଲିଆରେ ଗତ ୫୦ ବର୍ଷ ମଧ୍ୟରେ କୌଣସି ଶୃଙ୍ଖଳାରେ ୦-୧ ପଛଆ ରହି ଚମତ୍କାର ପ୍ରତ୍ୟାବର୍ତନ କରି ଦ୍ବିତୀୟ ଟେଷ୍ଟ୍ ଜିତିବାରେ ଭାରତ କେବଳ ତୃତୀୟ ଦଳ ହୋଇଛି। ୱେଷ୍ଟଇଣ୍ଡିଜ୍ ୧୯୭୫-୭୬ରେ ଏଭଳି ସଫଳତା ପାଇବାରେ ପ୍ରଥମ ଦଳ ରହିଥିଲା। ଦ୍ବିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ୨୦୧୧ (ହୋବାର୍ଟ)ରେ ଏଭଳି କରିପାରିଥିଲା।
ଶତାବ୍ଦୀ ଆରମ୍ଭରୁ ଭାରତରେ ଅଷ୍ଟ୍ରେଲିଆର ବିଜୟ ତୁଳନାରେ ଅଷ୍ଟ୍ରେଲିଆରେ ଭାରତ ଅଧିକ ଟେଷ୍ଟ୍ ଜିତିଛି। ଏହା ହିଁ ହେଉଛି ଅତ୍ୟନ୍ତ ଚମତ୍କାର ପରିସଂଖ୍ୟାନ। କେବଳ ଗୋଟିଏ ଟେଷ୍ଟ୍ ବିଜୟ ଯଦିଓ ଉଭୟ ଦଳ ମଧ୍ୟରେ ଫରକ ରହିଛି ତଥାପି ଅଷ୍ଟ୍ରେଲିଆରେ ୨୨ ଟେଷ୍ଟ୍ରୁ ୫ ବିଜୟ ସହ ଭାରତ ଆଗରେ ରହିଛି। ଅନ୍ୟପକ୍ଷରେ ଭାରତରେ ୨୧ ଟେଷ୍ଟ୍ ଖେଳିଥିବା ଅଷ୍ଟ୍ରେଲିଆ ୪ ବିଜୟ ପାଇଛି।
କୌଣସି ଶୃଙ୍ଖଳାରେ ୫୦ରୁ କମ୍ ସ୍କୋର୍ କରିବା ପରେ ପରବର୍ତୀ ଟେଷ୍ଟ୍ ଜିତିବାରେ ଭାରତ କେବଳ ତୃତୀୟ ଦଳ ହୋଇଛି। ଆଡିଲେଡ୍ରେ ପ୍ରଥମ ଟେଷ୍ଟ୍ର ଦ୍ବିତୀୟ ପାଳିରେ ୩୬ ରନ୍ କରି ସର୍ବକାଳୀନ ସର୍ବନିମ୍ନ ସ୍କୋର୍ର ଅଲୋଡା କୀର୍ତ୍ତି କରିଥିଲା ଭାରତ। ହେଲେ ମେଲ୍ବର୍ନରେ ଦ୍ବିତୀୟ ଟେଷ୍ଟ୍କୁ ଜିତି ନେଇଛି ଭାରତ। ଏହିକ୍ରମରେ ପ୍ରତ୍ୟାବର୍ତନ କରି ବିଜୟ ହାସଲ କରିଥିବା ଅନ୍ୟ ଦୁଇ ଦଳ ହେଲେ ଇଂଲଣ୍ଡ (ବନାମ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍) ଏବଂ ଅଷ୍ଟ୍ରେଲିଆ (ବନାମ ଦକ୍ଷିଣ ଆଫ୍ରିକା)।
ପ୍ରଥମ ଟେଷ୍ଟ୍ ହାରିବା ପରେ ଭାରତ ୪ ଥର ଶୃଙ୍ଖଳା ଜିତିବାର ଗୌରବ ବହନ କରିଛି। ଅବଶ୍ୟ ସବୁଗୁଡ଼ିକ ଉପମହାଦେଶରେ ହିଁ ଭାରତ ହାସଲ କରିଛି। ଭାରତରେ ୧୯୭୨-୭୩ରେ ଇଂଲଣ୍ଡ ବିପକ୍ଷରେ (ପରାଜୟ, ବିଜୟ, ବିଜୟ, ଅମୀମାଂସିତ, ଅମୀମାଂସିତ) ଶୃଙ୍ଖଳା ଜିତିଥିବା ଭାରତ ୨୦୦୦-୦୧ରେ ଭାରତରେ ହିଁ ଅଷ୍ଟ୍ରେଲିଆ ବିପକ୍ଷରେ (ପରାଜୟ, ବିଜୟ, ବିଜୟ) ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ସେହିପରି ୨୦୧୫ରେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳାରେ ପରାଜୟ, ବିଜୟ, ବିଜୟ ପାଇଥିଲା ଭାରତ। ଶେଷଥର ପାଇଁ ୨୦୧୬-୧୭ରେ ଘରୋଇ ମାଟିରେ ଭାରତ ମଧ୍ୟ ଅଷ୍ଟ୍ରେଲିଆଠୁ ପରାଜୟ, ବିଜୟ, ଅମୀମାଂସିତ ଓ ବିଜୟ ହାସଲ କରି ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା।
।ଦ୍ରୁତ ବୋଲର ମହମ୍ମଦ ସିରାଜ୍ ପଦାର୍ପଣରେ ବିଦେଶ ମାଟିରେ (ମେଲ୍ବର୍ନ, ଅଷ୍ଟ୍ରେଲିଆ) ୫ ୱିକେଟ୍ ଅକ୍ତିଆର କରି ଚର୍ଚ୍ଚାରେ ରହିଛନ୍ତି। ତେବେ ଏକମାତ୍ର ବୋଲର ଭାବେ ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା (୬ ୱିକେଟ୍, ୨୦୦୪ ଦାର୍ୱିନ୍ ଟେଷ୍ଟ୍) ସିରାଜ୍ଙ୍କ ତୁଳନାରେ ଅଧିକ ୱିକେଟ୍ ନେଇଛନ୍ତି।
।୩୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚୂଡାନ୍ତ ଏକାଦଶରେ ଥିବା କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଘରୋଇ ଟେଷ୍ଟ୍ରେ ଅର୍ଧଶତକ ହାସଲ କରିପାରିନାହାନ୍ତି। ଶେଷ ଥର ପାଇଁ ଏହି ମେଲ୍ବର୍ନ ପଡ଼ିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏଭଳି ଦେଖିବାକୁ ମିଳିଥିଲା।
।ଭାରତୀୟ ଦଳର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ମୁଲାଗ ପଦକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଚଳିତ ବର୍ଷ ଏହି ପଦକ ପ୍ରଚଳିତ ହୋଇଛି। ଯାହାକି ପ୍ରତି ବକ୍ସିଂ ଡେ’ ଟେଷ୍ଟ୍ରେ ପ୍ରଦାନ କରାଯିବ।
୬୭ ଟେଷ୍ଟ୍ ଖେଳିଥିବା ଆଜିଙ୍କ୍ୟ ରାହାଣେ ପ୍ରଥମ ଥର ଲାଗି କୌଣସି ଟେଷ୍ଟ୍ରେ ବିଜୟ ସୂଚକ ରନ୍ ସଂଗ୍ରହ କରିଛନ୍ତି। ମଙ୍ଗଳବାର ମେଲ୍ବର୍ନ ଟେଷ୍ଟ୍ର ଚତୁର୍ଥ ଦିବସରେ ନାଥନ୍ ଲାୟନଙ୍କ ବଲ୍ରେ ବ୍ୟାକ୍ୱାର୍ଡ ସ୍କୋୟାର ଲେଗ୍ ଅଞ୍ଚଳକୁ ମାରି ସେ ଦଳକୁ ବିଜୟ ଭେଟି ଦେଇଥିଲେ।
।ଏହା ପୂର୍ବରୁ ୨୦୧୦ ଡିସେମ୍ବର ୨୯ ତାରିଖରେ ମଧ୍ୟ ଭାରତ ବକ୍ସିଂ ଡେ’ ଟେଷ୍ଟ୍ ଜିତିଥିଲା। ଭାରତ ୨୦୧୦ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା ବେଳେ ଘରୋଇ ଦଳକୁ ଡର୍ବାନ୍ରେ ୮୭ ରନ୍ରେ ପରାସ୍ତ କରିଥିଲା। ସେହି ମ୍ୟାଚ୍ ମଧ୍ୟ ମେଲ୍ବର୍ନ ଭଳି ୪ ଦିନରେ ଶେଷ ହୋଇଥିଲା।
।୯ ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଟସ୍ ଜିତି ଘରୋଇ ଟେଷ୍ଟ୍ ହାରିଯାଇଛି। ଶେଷ ଥର ପାଇଁ ୨୦୧୧-୧୨ରେ ହୋବାର୍ଟରେ ନ୍ୟୁଜିଲାଣ୍ଡ୍ ନିକଟରୁ ୭ ରନ୍ରେ ପରାସ୍ତ ହୋଇଥିଲା।
ମେଲ୍ବର୍ନ ବିଦେଶରେ ଭାରତ ପାଇଁ ସର୍ବାଧିକ ସଫଳ ଭେନ୍ୟୁ
/sambad/media/post_attachments/wp-content/uploads/2020/12/fh4s9fh4s65fh4sf564fs654fs6f46f65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)