ପର୍ଥ ଭଳି ହେବ ମେଲବର୍ନ ପିଚ୍‌

ମେଲ୍‌ବର୍ନ: ପର୍ଥର ନୂଆ ଷ୍ଟାଡିୟମ ଏବଂ ନୂଆ ପିଚ୍‌ରେ ଅଷ୍ଟ୍ରେଲିଆ ଜିତିଯିବା ପରେ ଏବେ ମେଲ୍‌ବର୍ନରେ ବି ସମାନ ପ୍ରକାର ପିଚ୍ ରଖିବ ବୋଲି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ମେଲ୍‌ବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍‌ (ଏମସିଜି)ର ଆଛାଦିତ ପିଚ୍‌ ବେଶ ପୁରୁଣା ହୋଇଯାଇଥିବାରୁ ଏହାକୁ ପରିବର୍ତନ କରାଯିବାର ଆବଶ୍ୟକତା ପଡ଼ିଛି। ଚଳିତ ଋତୁ ଶେଷରେ ଏକ ଉଚ୍ଚମାନର ତଥା ବିବିଧତା ରଖିଥିବା ପିଚ୍‌ ଆଛାଦିତ କରାଯିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତା ବକ୍ସିଂ ଡେ’ ଟେଷ୍ଟ୍ (ଡିସେମ୍ବର ୨୬)ରେ ଭାରତ ସମ୍ପୃକ୍ତ ଥିବାରୁ ଚଳିତ ଗସ୍ତରେ ଏହାର ନୂଆ ପିଚ୍‌ରେ ଖେଳିବାର ନାହିଁ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିବ ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟ୍ କିଭଳି ବ୍ୟବହାର କରିବ। କାରଣ ଗତବର୍ଷ ଆସେସ୍‌ର ବକ୍ସିଂ ଡେ’‌ ଟେଷ୍ଟ୍‌ ବିରକ୍ତିକର ଅମୀମାଂସିତ ଫଳ ଦେଇଥିଲା। ଏପରିକି ପିଚ୍‌କୁ ମଧ୍ୟ ଆଇସିସି ‘ଖରାପ’ ଆଖ୍ୟା ଦେଇଥିଲା। ମିଳିଥିବା ସୂଚନା ଅନୁସାରେ ମାର୍ଚ ମାସରେ ହେବାକୁ ଥିବା ପିଚ୍ ପରିବର୍ତନ ବେଳେ ନିଶ୍ଚିତ କଂକ୍ରିଟ୍ ପିଚ୍‌କୁ କାଢ଼ି ନିଆଯିବ। ଆଡିଲେଡ୍‌ ଓଭାଲ ଏବଂ ପର୍ଥ ଷ୍ଟାଡିୟମ୍‌ରେ ଥିବା ଅନୁକୂଳ ପିଚ୍‌କୁ ଏଠାରେ ସ୍ଥାପିତ କରାଯିବ। କଂକ୍ରିଟ ଟ୍ରେ ବଦଳରେ ଏଣିକି ଛିଦ୍ରଯୁକ୍ତ ଟ୍ରେ ରହିବ, ଯାହାକି ପିଚ୍‌କୁ ଅଧିକ ଆର୍ଦତା ଯୋଗାଇ ପାରିବ। ଏହାଦ୍ବାରା ପିଚ୍‌ର ବ୍ୟବହାର ମ୍ୟାଚ୍ ସାରା ସମାନ ରହିବ ଏବଂ ଅଧିକ ବିବିଧତା ପ୍ରଦାନ କରିବ। ୨୦୧୩ ମସିହାରେ ଆଡିଲେଡ୍ ଓଭାଲରେ ଡ୍ରପ୍ ଇନ୍ (ଆଛାଦିତ) ପିଚ୍‌ ସ୍ଥାପିତ କରାଯିବ ପରେ ପୁରୁଣା ପର୍ଥ ପିଚ୍‌ (ୱାକା)ରେ ମଧ୍ୟ ଭିନ୍ନ ମାଟି ଦିଆଯାଇଥିଲା। ଆଡିଲେଡ୍ ଏବଂ ପର୍ଥରୁ ସୁଫଳ ମିଳିବା ପରେ ଏବେ ମେଲ୍‌ବର୍ନକୁ ସମାନ ଢ଼ାଞ୍ଚାରେ ନେବାକୁ ଯାଉଛି କ୍ରିକେଟ୍ ଅଷ୍ଟ୍ରେଲିଆ।

ସମ୍ବନ୍ଧିତ ଖବର