ମେଲ୍‌ବର୍ନ: ଚଳିତ ବର୍ଷର ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ରବିବାର ଫାଇନାଲ୍‌ ମୁକାବିଲା ସହ ବିଶ୍ବକପ୍‌ ଶେଷ ହେବ। ୧ ଲକ୍ଷରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍‌ବର୍ନ କ୍ରିକେଟ୍‌ ପଡ଼ିଆରେ ମହାମୁକାବିଲା ହେବ। ଏଥି‌ରେ ବିଶ୍ବକପ୍‌ ପାଇଁ ଆୟୋଜକ ଅଷ୍ଟ୍ରେଲିଆ ସହ ଲଢ଼ିବ ନୂଆ ଉନ୍ମାଦନାରେ ଭରପୁର ଭାରତ। ଭାରତ ପାଇଁ ଏହା ନିଶ୍ଚିତ ସ୍ବପ୍ନର ବିଶ୍ବକପ୍‌ ରହିବ। କାରଣ ଏହି ବିଶ୍ବକପ୍‌ ସପ୍ତମ ସଂସ୍କରଣରେ ଉପନୀତ ହୋଇଥିଲା ବେଳେ ଭାରତ କେବେ ବି ଫାଇନାଲ୍‌ ପ୍ରବେଶ କରିପାରିନଥିଲା। ୨୦୦୯, ୨୦୧୦ ଓ ୨୦୧୮ରେ ସେମିଫାଇନାଲ୍‌ ପ୍ରବେଶ ହିଁ ବିଶ୍ବକପ୍‌ରେ ଭାରତ ପାଇଁ ଅତୀତର ଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି। ଏଥର ବିଶେଷକରି ଷୋଡ଼ଶୀ ଶେଫାଳି ବର୍ମାଙ୍କ ପ୍ରାରମ୍ଭିକ ପ୍ରହାର ସାଙ୍ଗକୁ ବୋଲରଙ୍କ କମାଲ ବଳରେ ଭାରତ ବଳୀୟାନ ରହିଛି। ଏପରିକି ସେମିଫାଇନାଲ୍‌ ପର୍ଯ୍ୟନ୍ତ ଦଳ ଅପରାଜେୟ ରହି ନିଜ ଶକ୍ତିର ପୂରା ପ୍ରମାଣ ଦେଇଛି। ଏହି ଦୃଷ୍ଟିରୁ ବିଜେତା ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ପ୍ରଥମ ଥର ଲାଗି ବିଶ୍ବକପ୍‌ ତୋଳି ଧରିବାର ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ରହିଛି ଡବ୍ଲୁଭି ରମଣଙ୍କ ପ୍ରଶିକ୍ଷଣ ଓ ହର୍‌ମନ୍‌ପ୍ରୀତ୍‌ କୌରଙ୍କ ‌ନେତୃତ୍ବାଧୀନ ଭାରତ।

Advertisment

ଅନ୍ୟପକ୍ଷରେ ଚଳିତ ସପ୍ତମ ସଂସ୍କରଣ ପୂର୍ବରୁ ଏଥରର ଆୟୋଜକ ଅଷ୍ଟ୍ରେଲିଆ ୫ ଥର ପାଇନାଲ୍‌ ପ୍ରବେଶ କରିଥିଲା ବେଳେ ସେଥିରୁ ୪ ଥର ବିଜେତା ହୋଇଛି। ଏଥର ପରାଜୟରୁ ଅଭିଯାନ ଆରମ୍ଭ କରିବା ସତ୍ତ୍ବେ କ୍ରମାଗତ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛି ଅଷ୍ଟ୍ରେଲିଆ। ୨୦୧୦, ୨୦୧୨, ୨୦୧୪ ଓ ୨୦୧୮ରେ ବିଜେତା ହେବା ବିଶ୍ବକପ୍‌ରେ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ତେଣୁ ପଞ୍ଚମ ଥର ପାଇଁ ବିଶ୍ବକପ୍‌ ବିଜେତା ହେବାର ଲକ୍ଷ୍ୟ ରଖିଛି ପ୍ରଶିକ୍ଷକ ମାଥ୍ୟୁ ମୋଟ୍‌ ଓ ଅଧିନ‌ାୟିକା ମେଗ୍‌ ଲାନିଙ୍ଗ୍‌ଙ୍କ ଆୟୋଜକ ଦଳ। ତେବେ ରବିବାରର ଫାଇନାଲ୍‌ ଲଢ଼େଇ ପୂର୍ବରୁ ଉଭୟ ଦଳ ମଧ୍ୟରେ ଅତୀତର ପରିସଂଖ୍ୟାନ ଉପରେ ନଜର ପକାଇଲେ ଭାରତ ତୁଳନାରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି। କାରଣ ପରସ୍ପର ୧୯ ଥର ମୁହାଁମୁହିଁ ହୋଇଥିଲା ବେଳେ ସେଥିରୁ ଅଷ୍ଟ୍ରେଲିଆ ୧୩ ଏବଂ ଭାରତ ୬ ଥର ବିଜୟ ପାଇଛି। ଅଷ୍ଟ୍ରେଲିଆ ଏବେ ଆଇସିସି ମାନ୍ୟତାର ଶୀର୍ଷରେ ରହିଥିଲା ବେଳେ ଭାରତ ଚତୁର୍ଥ ମାନ୍ୟତାପ୍ରାପ୍ତ ଦଳ। ପ୍ରଥମ ମ୍ୟାଚ୍‌ରେ ଭାରତ ନିକଟରୁ ହାରିବା ପରେ ଏବଂ କ୍ବାର୍ଟର ଫାଇନାଲ୍‌ରେ ଅଲ୍‌ରାଉଣ୍ଡର ଏଲିସେ ପେରି ଆହତ ହେବାରୁ ସେମିଫାଇନାଲ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଚିନ୍ତା ବଢ଼ିଯାଇଥିଲା। ଫଳରେ ସେମିଫାଇନାଲ୍‌ରେ ବର୍ଷା ବାଧା ସୃଷ୍ଟିନକରିବା ପାଇଁ ଦଳ ମଧ୍ୟ ପ୍ରାର୍ଥନା କରିଥିଲା। କାରଣ ବର୍ଷା ଯୋଗୁଁ ସେମିଫାଇନାଲ୍‌ ଖେଳାଯାଇନଥିଲେ ଦକ୍ଷିଣ ଆଫ୍ରିକା ହିଁ ଗ୍ରୁପ୍‌ ବିଜେତା ଭାବେ ଭାରତ ଭଳି ଫାଇନାଲ୍‌ରେ ପହଞ୍ଚି ଯାଇଥାନ୍ତା। ହେଲେ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ୍‌ରେ କୌଣସିମତେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲ୍‌ ପହଞ୍ଚିଗଲା। ତେବେ ଚଳିତ ବିଶ୍ବକପ୍‌ରେ ମେଲ୍‌ବର୍ନରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଛି। ସେଥିରେ ନ୍ୟୁଜିଲାଣ୍ଡ୍‌କୁ ମାତ୍ର ୪ ରନ୍‌ରେ ପରାସ୍ତ କରିଥିଲା।

ଅନ୍ୟପକ୍ଷରେ ଭାରତ ମେଲ୍‌ବର୍ନରେ ୨ ମ୍ୟାଚ୍‌ ଖେଳି ଅପରାଜେୟ ରହିଛି। ଏଠାରେ ନ୍ୟୁଜିଲାଣ୍ଡ୍‌କୁ ୩ ରନ୍‌ ଏବଂ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ପରାସ୍ତ କରି ଦଳ ଫାଇନାଲ୍‌ ପୂର୍ବରୁ ମନୋବଳ ଦୃଢ଼ କରିଛି। ଅବଶ୍ୟ ମେଲ୍‌ବର୍ନରେ ମଧ୍ୟ ସେମିଫାଇନାଲ୍‌ ଖେଳିବାକୁ ଥିଲା ବେଳେ ବର୍ଷା ଧୋଇ ନେଇଥିଲା। ଫଳରେ ରବିବାର ଫାଇନାଲ୍‌ ଏଠାରେ ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ହେଲେ ଭାରତୀୟ ଦଳର ସ୍ପିନ୍‌ ଆକ୍ରମଣକୁ ଭୟ କରିଯାଇଛି ବିଜେତା ଅଷ୍ଟ୍ରେଲିଆ। ସିଡ୍‌ନିରେ ଚଳିତ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ୧୯ ରନ୍‌ରେ ୪ ୱିକେଟ୍‌ ଦଖଲ କରି ଲେଗ୍‌ ସ୍ପିନର ପୁନମ୍‌ ଯାଦବ ଅଷ୍ଟ୍ରେଲିଆକୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ଯାହା ଫଳରେ ସ୍ପିନ୍‌ ବୋଲିଂକୁ ସହାୟତା ନଦେବା ପାଇଁ ପିଚ୍‌ ପ୍ରସ୍ତୁତ କରିବାକୁ ଏମ୍‌ସିଜି କ୍ୟୁରେଟର୍‌ ଲାଗି ପଡ଼ିଛନ୍ତି। କ୍ୟୁରେଟର ଆମକୁ ଅଧିକ ସହାୟତା କରିବା ଭଳି ପିଚ୍‌ କରିଥିବେ ବୋଲି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟର୍‌ ବେଥ୍‌ ମୁନି ଆଶା ରଖିଛନ୍ତି। ତଥାପି ମେଲ୍‌ବର୍ନ ପଡ଼ିଆ ଉଭୟ ବ୍ୟାଟିଂ ଓ ବୋଲିଂ ପାଇଁ ଆଦର୍ଶ ରହିବ। ତେଣୁ ଯେଉଁ ଦଳ ଭଲ ଖେଳିବ ସେ ହିଁ ବିଜେତା ହେବ ବୋଲି ଆକଳନ କରାଯାଉଛି। ଭାରତୀୟ ମହିଳା ଦଳ ମଧ୍ୟ ଅଷ୍ଟ୍ରେଲିଆକୁ ୨୦୧୭ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲା। ହେଲେ ୨୦୧୮ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରିଥିଲା।publive-image

ମେଲ୍‌ବର୍ନ ପଡ଼ିଆରେ ୧ ଲକ୍ଷରୁ ଅଧିକ ଦର୍ଶକ କ୍ଷମତା ରହିଥିଲେ ମଧ୍ୟ ଶେଷ ଥର ପାଇଁ ଘରୋଇ ଦଳ ଏଠାରେ ଖେଳିଥିବା ମ୍ୟାଚ୍‌ରେ ହାତଗଣତି ୩୦୦୦ ଦର୍ଶକ ଉପସ୍ଥିତ ଥିଲେ। ୧୯୮୮ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଇଂଲଣ୍ଡକୁ ଏଠାରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା। ହେଲେ ସେହି ଫାଇନାଲ୍‌ ଖେଳିଥିବା ଇଂଲଣ୍ଡ ତାରକା ଜାନ୍‌ ବ୍ରିଟିନ୍‌ ମେଲ୍‌ବର୍ନ ପଡ଼ିଆକୁ ବୃହତ୍‌ ହେଲେ ପୂରା ନିଛାଟିଆ ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ଏବେ ସେ ସମୟ ବଦଳିଯାଇଛି। ରବିବାର ଫାଇନାଲ୍‌ରେ ୯୦,୦୦୦ରୁ ଅଧିକ ଦର୍ଶକ ଗହଳି ରହିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ୧୯୯୯ ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ପାସାଡେନାର ରୋଜ୍‌ ବାଉଲ୍‌ ଷ୍ଟାଡିୟମ୍‌ରେ ୯୦,୧୮୫ ଦର୍ଶକ ଏପର୍ଯ୍ୟନ୍ତ କୌଣସି ମହିଳା ମ୍ୟାଚ୍‌ରେ ସର୍ବାଧିକ ରହିଛି। ଅବଶ୍ୟ ୧୯୭୧ରେ ମେକ୍ସିକୋ ସିଟିରେ ମେକ୍ସିକୋ-ଡେନ୍‌ମାର୍କ ମହିଳା ବିଶ୍ବକପ୍‌ ଫାଇନାଲ୍‌ରେ ୧୧୦,୦୦୦ ଦର୍ଶକ ସର୍ବାଧିକ ରହିଛି।

ଅଷ୍ଟ୍ରେଲିଆ ଦଳ: ମେଗ୍‌ ଲାନିଙ୍ଗ୍‌, ରାଚେଲ ହେନ୍‌ସ, ଇରିନ୍‌ ବର୍ନସ୍‌, ନିକୋଲା କାରେ, ଆସ୍‌ଲେ ଗାର୍ଡନର୍‌, ଆଲିସା ହିଲେ, ଜେସ୍‌ ଜୋନାସେନ୍‌, ଡେଲିସା କିମନ୍‌ସେ, ସୋଫି ମୋଲିନକ୍ସ, ବେଥ୍‌ ମୁନି, ‌ମେଗାନ୍‌ ସ୍କୁଟ୍‌, ମୋଲି ଷ୍ଟ୍ରାନୋ, ଆନାବେଲ୍‌ ସଦରଲାଣ୍ଡ୍‌, ଜର୍ଜିଆ ୱାରେହାମ୍‌।

ଭାରତୀୟ ଦଳ: ହର୍‌ମନ୍‌ପ୍ରୀତ୍‌ କୌର, ତାନିୟା ଭାଟିଆ, ହର୍ଲିନ୍‌ ଦେଓଲ, ରାଜେଶ୍ବରୀ ଗାଏକ୍ବାଡ, ରିଚା ଘୋଷ, ଭେଦା କୃଷ୍ଣମୂର୍ତ୍ତି, ସ୍ମୃତି ମନ୍ଧାନା, ଶିଖା ପାଣ୍ଡେ, ପୁନମ୍‌ ଯାଦବ, ଅରୁନ୍ଧତୀ ରେଡ୍ଡୀ, ଜେମିମା ରୋଦ୍ରିଗ୍ବେଜ, ଶେଫାଳି ବର୍ମା, ଦୀପ୍ତି ଶର୍ମା, ପୂଜା ଭସ୍ତ୍ରକାର, ରାଧା ଯାଦବ।

ମୁମ୍ବାଇ: ସିଡନି ଫାଇନାଲ୍‌ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ମଧ୍ୟ ଶୁଭକାମନା ଜଣାଇଛନ୍ତି। ସକାରାତ୍ମକ ଭାବେ ପ୍ରତିଟି ମୁହୂର୍ତରେ ରୁହ ଏବଂ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କର ବୋଲି ସଚିନ ନିଜ ଶୁଭେଚ୍ଛା ବାର୍ତାରେ କହିଛନ୍ତି। ସଂଯୋଗବଶତଃ ମୁଁ ମଧ୍ୟ ଟ୍ରଫି ନିକଟରେ ଥିବି, ପୁରୁଷ ଦଳର କିଛି ସଦସ୍ୟ ବି ମହିଳାଙ୍କୁ ଉତ୍ସାହିତ କରିବାକୁ ପଡ଼ିଆରେ ରହିବେ। ଭାରତରେ ଏହି ଟ୍ରଫି ଦେଖିବାକୁ ମିଳିଲେ ଖୁସି ହେବି ବୋଲି ସଚିନ୍ ପ୍ରକାଶ କରିଛନ୍ତି। ‌ବୋରିଆ ମଜୁମଦାର ଓ ନଳିନ ମେହଟାଙ୍କ ଲିଖିତ ପୁସ୍ତକ ‘ଡ୍ରିମ୍ସ ଅଫ୍‌ ବିଲିୟନ୍‌-ଇଣ୍ଡିଆ ଆଣ୍ଡ୍ ଦ ଅଲିମ୍ପିକ୍‌ ଗେମ୍ସ’ର ଉନ୍ମୋଚନ ଉତ୍ସବରେ ଯୋଗଦେବା ଅବସରରେ ସଚିନ ଏହା କହିଛନ୍ତି। ଏହି ଉତ୍ସବରେ ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରାଙ୍କ ସହିତ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ମହେଶ ଭୂପତି ମଧ୍ୟ ଉପସ୍ଥିତ ଥିଲେ। ନିଜର ୨୦୧୧ ମସିହା ବିଶ୍ବକପ୍‌ ବିଜୟ ସ୍ମୃତିକୁ ମନେ ପକାଇ ସଚିନ କହିଥିଲେ, ‘ଯାଅ, ନିଜକୁ ଉପଭୋଗ କର ଏବଂ ଦେଶ ପାଇଁ ଗୌରବ ଆଣ’।