ମେଲ୍ବର୍ଣ୍ଣ: ପ୍ରଥମ ଦୁଇ ଦିନ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଥିଲା। ତୃତୀୟ ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଚତୁର୍ଥ ଦିନର ସମ୍ମାନକୁ ଉଭୟ ବାଣ୍ଟି ନେଇଛନ୍ତି। ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ କାରଣରୁ ଅଷ୍ଟ୍ରେଲିଆ ଏକଦା ବ୍ୟାକ୍ଫୁଟ୍ରେ ଥିଲା। କିନ୍ତୁ ନିମ୍ନକ୍ରମଙ୍କ ଲଢ଼ୁଆ ବ୍ୟାଟିଂ କାରଣରୁ ହାତରେ ଗୋଟିଏ ୱିକେଟ୍ ଥାଇ ୩୩୩ ରନ୍ରେ ଆଗୁଆ ହୋଇଥିବାରୁ ସ୍ଥିତି ଦୃଢ଼ କରି ନେଇଛି। ପଞ୍ଚମ ଦିନରେ କିଛି ନାଟକୀୟ ମୋଡ଼ ସହ ଉଭୟ ଦଳ ଶୃଙ୍ଖଳାରେ ୨-୧ରେ ଆଗୁଆ ହେବାକୁ ଆଶା ରଖିଛନ୍ତି। ରବିବାର ସକାଳେ ଭାରତ ୩୫୮/୯ରୁ ଖେଳି ମାତ୍ର ୧୧ ରନ୍ ଯୋଡ଼ି ଶେଷ ୱିକେଟ୍ ହରାଇଥିଲା। ନୀତୀଶ ରେଡ୍ଡୀଙ୍କୁ ନିଜ ତୃତୀୟ ଶିକାର କରିନେଇଥିଲେ ନାଥନ୍ ଲାୟନ୍। ପୂର୍ବଦିନର ସ୍କୋର୍ରେ ନୀତୀଶ ଆଉ ୯ ରନ୍ ଯୋଡ଼ିଥିଲେ। ଏଥି ସହ ଭାରତ ପ୍ରଥମ ପାଳିରେ ୧୦୫ ରନ୍ ପଛରେ ପଡ଼ିଯାଇଥିଲା। ଏହି ଫାଇଦାକୁ କିନ୍ତୁ ଘରୋଇ ଦଳ ପ୍ରଥମରୁ ହାତଛଡ଼ା କରିବା ଭଳି ଆରମ୍ଭ ପାଇଥିଲା। ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଯୋଡ଼ି ଘାତକ ବୋଲିଂ କରି ଅଷ୍ଟ୍ରେଲିଆକୁ ୯୧/୬ରେ ପହଞ୍ଚାଇ ଦେଇଥିଲେ। ସାମ କନ୍ଷ୍ଟାସ୍, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ସ, ଆଲେକ୍ସ କ୍ୟାରିଙ୍କୁ ବୁମରା ପ୍ୟାଭିଲିଅନ୍ ରାସ୍ତା ଦେଖାଇ ମେଲ୍ବର୍ଣ୍ଣରେ ଉପସ୍ଥିତ ଭାରତ ଆର୍ମି ଦର୍ଶକଙ୍କୁ ଉଲ୍ଲସିତ କରି ଦେଇଥିଲେ। ଉଭୟ ପାଳିରେ ବିପଜ୍ଜନକ ବ୍ୟାଟର୍ ତଥା ଶୃଙ୍ଖଳାର ଅଗ୍ରଣୀ ରନ୍ ସ୍କୋରର୍ ଟ୍ରାଭିସ୍ ହେଡ୍ଙ୍କୁ ଆଉଟ୍ କରି ବୁମ୍ରା ବିରଳ ଯୁଗଳ ପାଇଛନ୍ତି।
ଅନ୍ୟପଟରୁ ଉସ୍ମାନ ଖୱାଜା, ଷ୍ଟିଭେନ୍ ସ୍ମିଥ୍ଙ୍କୁ ଆଉଟ୍ କରି ସିରାଜ ମେଲ୍ବର୍ଣ୍ଣର ମଜା ଉଠାଇଥିଲେ। ଶେଷକୁ ଲଢ଼ୁଆ ଖେଳୁଥିବା ମାର୍ନସ ଲବୁସାନ୍ (୧୩୯ ବଲ୍ରୁ ୭୦ ରନ୍)ଙ୍କୁ ସିରାଜ ତୃତୀୟ ଶିକାର କରି ଭାରତକୁ ପ୍ରତ୍ୟାବର୍ତନ କରାଇଥିଲେ। ପୂର୍ବଦିନ ଭାରତୀୟ ବ୍ୟାଟର୍ ଯେଭଳି ନିମ୍ନକ୍ରମଙ୍କ ଜରିଆରେ ଲଢ଼ିଥିଲା ରବିବାର ଠିକ୍ ସେଭଳି ପ୍ରଦର୍ଶନ କରିଥିଲେ ଅଷ୍ଟ୍ରେଲୀୟ। ଅଧିନାୟକ ପ୍ୟାଟ୍ କମିନ୍ସ (୯୦ ବଲ୍ରୁ ୪୧ ରନ୍)ଙ୍କ ପରେ ଅତୁଟ ଦଶମ ୱିକେଟ୍ ପାଇଁ ନାଥନ୍ ଲାୟନ୍ (୫୪ ବଲ୍ରୁ ୪୧* ରନ୍) ଓ ସ୍କଟ୍ ବୋଲାଣ୍ଡ୍ (୬୫ ବଲ୍ରୁ ୧୦* ରନ୍) ୫୫* ରନ୍ ଯୋଡ଼ି ଭାରତୀୟ ବୋଲରଙ୍କୁ ଅଧିକ ନିରାଶ କରିଛନ୍ତି। ଉଭୟ ୧୭.୫ ଓଭର ଖେଳି ଭାରତକୁ ଚତୁର୍ଥ ଦିନ ବ୍ୟାଟିଂ ସୁଯୋଗ ଦେଇନାହାନ୍ତି। ରବିବାର ଶେଷ ଓଭରରେ ଯଶ୍ରପୀତ୍ ବୁମ୍ରାଙ୍କ ବୋଲିଂରେ କେଏଲ୍ ରାହୁଲ୍ ସ୍ଲିପ୍ରେ ଲାୟନଙ୍କ କ୍ୟାଚ୍ ନେଇଥିଲେ ମଧ୍ୟ ଏହା ନୋ ବଲ୍ ହୋଇଯିବାରୁ ସୁଯୋଗ ହାତଛଡ଼ା ହୋଇଥିଲା। ଏହି ଓଭରରେ ସେ ୨ଟି ନୋ ବଲ୍ ବୋଲିଂ କରିବା ଏବଂ ଦିନ ତମାମ ସେ ୨୪ ଓଭର ବୋଲିଂ କରିବାରୁ ଏହା ଚାପର ପରିଣତି ବୋଲି ବିବେଚନା କରାଯାଇଛି। ଘରୋଇ ଦଳର ଅଗ୍ରଣୀ ୩୩୩ ରନ୍ରେ ପହଞ୍ଚିସାରିଛି। କିନ୍ତୁ ୪ ବର୍ଷ ତଳେ ଭାରତ ମେଲ୍ବର୍ଣ୍ଣରେ ୩୨୮ ରନ୍କୁ ପିଛା କରିଥିବାରୁ ଏବେ ବି ଆଶାବାଦୀ ରହିଛି।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୭୪/୧୦ (ଷ୍ଟିଭେନ୍ ସ୍ମିଥ୍-୧୪୦, ମାର୍ନସ ଲବୁସାନ୍-୭୨, ସାମ୍ କନ୍ଷ୍ଟାସ୍-୬୦, ଉସ୍ମାନ ଖୱାଜା-୫୭, ଯଶପ୍ରୀତ୍ ବୁମ୍ରା-୪/୯୯, ରବୀନ୍ଦ୍ର ଜାଡ଼େଜା-୩/୭୮, ଆକାଶ ଦୀପ-୨/୯୪, ୱାସିଂଟନ୍ ସୁନ୍ଦର-୧/୪୯)। ଭାରତ ପ୍ରଥମ ପାଳି: ୧୧୯.୩ ଓଭରରେ ୩୬୯/୧୦ (ନୀତୀଶ କୁମାର ରେଡ୍ଡୀ-୧୧୪, ଯଶସ୍ବୀ ଜୟସ୍ବାଲ-୮୨, ୱାସିଂଟନ୍ ସୁନ୍ଦର-୫୦, ସ୍କଟ୍ ବୋଲାଣ୍ଡ୍-୩/୫୭, ପ୍ୟାଟ୍ କମିନ୍ସ-୩/୮୯, ନାଥନ୍ ଲାୟନ୍-୩/୯୬)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୮୨ ଓଭରରେ ୨୨୮/୯ (ମାର୍ନସ ଲବୁସାନ୍-୭୦, ପ୍ୟାଟ୍ କମିନ୍ସ-୪୧, ନାଥନ୍ ଲାୟନ୍-୪୧, ସ୍କଟ୍ ବୋଲାଣ୍ଡ୍-୧୦*, ଯଶପ୍ରୀତ୍ ବୁମ୍ରା-୪/୫୬, ମହମ୍ମଦ ସିରାଜ-୩/୬୬, ରବୀନ୍ଦ୍ର ଜାଡ଼େଜା-୧/୩୩)।
ବୁମ୍ରାଙ୍କ ୨୦୦ ୱିକେଟ୍
ମେଲ୍ବର୍ଣ୍ଣ ଟେଷ୍ଟ୍ର ଉଭୟ ପାଳିରୁ ୮ ୱିକେଟ୍ ନେଇ ସାରିଥିବା ଯଶପ୍ରୀତ୍ ବୁମରା ଟେଷ୍ଟ୍ ଜୀବନରେ ରବିବାର ୨୦୦ ୱିକେଟ୍ ପୂରଣର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ବିଶ୍ବ କ୍ରିକେଟ୍ରେ ଶ୍ରେଷ୍ଠ ହାରାହାରି ତଥା ଏକମାତ୍ର ବୋଲର୍ ଭାବେ ୨୦ରୁ କମ୍ ହାରରେ ବୋଲିଂ କରି ୨୦୦ ୱିକେଟ୍ ଅତିକ୍ରମ କରି ବିରଳ ରେକର୍ଡ କରିଛନ୍ତି। ଟ୍ରାଭିସ୍ ହେଡ୍ଙ୍କୁ ସେ ଚଳିତ ଟେଷ୍ଟ୍ରେ ଦ୍ବିତୀୟ ଥର ଆଉଟ୍ କରି ତାଙ୍କ ୨୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ବୁମରା ୧୯.୫୬ ହାରରେ ଥାଇ ୨୦୦ ୱିକେଟ୍ ପୂର୍ଣ୍ଣ କରିଥିବାବେଳେ ଏ କ୍ଷେତ୍ରରେ ପୂର୍ବରୁ ଶୀର୍ଷରେ ଥିବା ୱେଷ୍ଟଇଣ୍ଡିଜ୍ର ଜୋଏଲ୍ ଗାର୍ନରଙ୍କ ୨୦.୩୪କୁ ପଛରେ ପକାଇଦେଇଛନ୍ତି। କ୍ୟାରିୟର୍ ଆଭରେଜ୍ରେ ସେ ମଧ୍ୟ ୩ ୱେଷ୍ଟ୍ଇଷ୍ଟିଜ୍ ତାରକା ମାଲକମ୍ ମାର୍ଶାଲ୍ (୩୭୬ ୱିକେଟ୍, ୨୦.୯୪), ଜୋଏଲ୍ ଗାର୍ଡନର୍ (୨୫୯ ୱିକେଟ୍, ୨୦.୯୭), କର୍ଟଲି ଆମ୍ବ୍ରୋଜ୍ (୪୦୫ ୱିକେଟ୍, ୨୦.୯୯)ଙ୍କୁ ପଛରେ ପକାଇଛନ୍ତି। ସେହିଭଳି ୨୦୦ ୱିକେଟ୍ ପୂରଣ ବେଳକୁ ମୋଟ ବୋଲିଂ ବଲ୍ରେ ସେ ଚତୁର୍ଥ ଦ୍ରୁତତମ ହୋଇଛନ୍ତି। ୱାକର୍ ୟୁନିସ୍ (୭୭୨୫), ଡେଲ୍ ଷ୍ଟେନ୍ (୭୮୪୮), କାଗିସୋ ରବାଡ଼ା (୮୧୫୩)ଙ୍କ ତଳେ ବୁମରା (୮୪୯୪ ବଲ୍) ପହଞ୍ଚିଛନ୍ତି। ଭାରତୀୟଙ୍କ ମଧ୍ୟରେ ବୁମରା୍ ନିଜ ୪୪ତମ ଟେଷ୍ଟ୍ରେ ୨୦୦ ୱିକେଟ୍ ମାଇଲଖୁଣ୍ଟ ଛୁଇଁ ରବୀନ୍ଦ୍ର ଜାଡ଼େଜାଙ୍କ ସମକକ୍ଷ ହୋଇଛନ୍ତି। କେବଳ ରବିଚନ୍ଦ୍ରନ ଅଶ୍ବିନ (୩୮ ଟେଷ୍ଟ୍)ଙ୍କ ପଛରେ ଏମାନେ ରହିଛନ୍ତି। ଚଳିତ ଶୃଙ୍ଖଳାରୁ ବୁମରା ୨୯ ୱିକେଟ୍ ନେଇ ସାରିଛନ୍ତି।
ଆଇସିସି ପୁରସ୍କାର ଦୌଡ଼ରେ ଅର୍ଶଦୀପ
ନୂଆଦିଲ୍ଲୀ, ୨୯/୧୨: ଭାରତୀୟ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଚଳିତ ବର୍ଷର ଶ୍ରେଷ୍ଠ ଆଇସିସି ଟ୍ବେଣ୍ଟି-୨୦ କ୍ରିକେଟର୍ ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ଫର୍ମାଟରେ ଭାରତକୁ ବିଶ୍ବ ବିଜେତା କରାଇବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା। ସେ ଚଳିତ ବର୍ଷ ୧୮ ମ୍ୟାଚ୍ ଖେଳି ୧୩.୫ ହାରରେ ୩୬ ୱିକେଟ୍ ଅକ୍ତିଆର କରିଛନ୍ତି। ଏଥି ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଅର୍ଶଦୀପ ଦ୍ବିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି। ତାଙ୍କ ଆଗରେ ଭୁବନେଶ୍ବର କୁମାର (୩୭, ୨୦୨୨) ରହିଛନ୍ତି। ଏହି ପୁରସ୍କାର ଲାଗି ଅର୍ଶଦୀପଙ୍କ ଲଢ଼େଇ ଜିମ୍ବାୱେର ସିକନ୍ଦର ରାଜା, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ ଓ ପାକିସ୍ତାନର ବାବର ଆଜମଙ୍କ ସହ ହେବ।
ନାଟକୀୟ ବିଜୟ ସହ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକା
ସେଞ୍ଚୁରିଅନ୍: ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଚଳିତ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ସ୍ଥାନ ପକ୍କା କରି ନେଇଛି। ସେଞ୍ଚୁରିଅନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍ରେ ରବିବାର ପାକିସ୍ତାନକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ରେ ହରାଇବା ସହ ପ୍ରଥମ ଦଳ ଭାବେ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛି। ଏହି ଫଳାଫଳ ଏବେ ଭାରତ ଉପରେ ଚାପ ପକାଇଛି। ଦକ୍ଷିଣ ଆଫ୍ରିକା ପରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରୁ ଗୋଟିଏ ଦେଶ ଫାଇନାଲ୍ ଖେଳିବା ସମ୍ଭାବନା ରହିଛି। ବର୍ଡର ଗାଭାସ୍କର ଟ୍ରଫି ପରେ ଦ୍ବିତୀୟ ଫାଇନାଲିଷ୍ଟ୍ ନିର୍ଣ୍ଣୟ ହେବ। ସେଞ୍ଚୁରିଅନ୍ ଟେଷ୍ଟ୍ ଜିତିବାକୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୮ ରନ୍ ଲକ୍ଷ୍ୟ ରହିଥିଲା। ମହମ୍ମଦ ଆବାସଙ୍କ ଘାତକ ବୋଲିଂ (୧୯.୩-୬-୫୪-୬) କାରଣରୁ ଦକ୍ଷିଣ ଆଫ୍ରିକା ୯୯/୮ରେ ସଂଘର୍ଷ କରିଥିଲା। କିନ୍ତୁ ମାର୍କୋ ୟାନସେନ୍ (୨୪ ବଲ୍ରୁ ୧୬* ରନ୍)ଙ୍କ ଧୈର୍ଯ୍ୟ ଏବଂ କାଗିସୋ ରବାଡ଼ାଙ୍କ ଲଢ଼ୁଆ ପାଳି (୨୬ ବଲ୍ରୁ ୩୧ ରନ୍) ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଅତୁଟ ନବମ ୱିକେଟ୍ ପାଇଁ ଏମାନେ ୫୧* ରନ୍ ଯୋଡ଼ି ଲୋମଟାଙ୍କୁରା ବିଜୟ ଦେଇଥିଲେ। ଅଧିକାଂଶ ସମୟ ଚାପରେ ଫସିଯାଉଥିବା ଦକ୍ଷିଣ ଆଫ୍ରିକା ପାଇଁ ବି ଏହା ଯୁଗାନ୍ତକାରୀ ବିଜୟ ଭଳି ହୋଇଛି। ପୂର୍ବରୁ ପାକିସ୍ତାନ ପ୍ରଥମ ପାଳିରେ ୨୧୧ ଓ ଦ୍ବିତୀୟ ପାଳିରେ ୨୩୭ ରନ୍ କରିଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୩୦୧ କରିଥିବା ବେଳେ ଦ୍ବିତୀୟ ପାଳିରେ ଚତୁର୍ଥ ଦିନ ମଧ୍ୟାହ୍ନ ଭୋଜନ ପରେ ପରେ ୮ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରି ନେଇଥିଲା। ମ୍ୟାଚ୍ ବୋଲରଙ୍କ ପ୍ରାଧାନ୍ୟ ଭିତରେ ବିତିଥିବା ବେଳେ ଐଦେନ ମାରକ୍ରମ (୮୯ ଓ ୩୭) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ୍ ଜାନୁଆରି ୩ରୁ କେପ୍ଟାଉନ୍ରୁ ଆରମ୍ଭ ହେବ।