ମେଲ୍‌ବର୍ନ ଟେଷ୍ଟ୍‍ ଅମୀମାଂସିତ: ସ୍ମିଥ୍‌ଙ୍କ ମନ୍ଥରତମ ଶତକ

ମେଲ୍‌ବର୍ନ: ଏମ୍‌ସିଜିରେ ଶନିବାର ଶେଷ ହୋଇଥିବା ଚତୁର୍ଥ ଆସେସ୍‌ ଟେଷ୍ଟ୍‍ ବିନା ହାରଜିତ୍‌ରେ ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଆଉ ଏକ ଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ମଧ୍ୟ ୩-୦ ଅଗ୍ରଣୀକୁ ସୁରକ୍ଷିତ ରଖିଛି। ଶନିବାର ଶେଷ ଦିନ ତମାମ ବ୍ୟାଟିଂ କରି ସ୍ମିଥ୍‌ ନିଜ ଖେଳ ଜୀବନର ମନ୍ଥରତମ ଶତକ ଅର୍ଜନ କରିଥିଲେ। ୨୫୯ ବଲ୍‌ରୁ ତିନି ଅଙ୍କ ଛୁଇଁଥିଲେ। କିନ୍ତୁ ତାଙ୍କ ଏକାଗ୍ରତା, ଶୃଙ୍ଖଳିତ ଖେଳ ଏବଂ ଧୈର୍ଯ୍ୟ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଚଳିତ ଆସେସ୍‌ ଶୃଙ୍କଳାରେ ସେ ଅଦ୍ୟାବଧି ଆଶ୍ଚର୍ଯ୍ୟଜନକ ଭାବେ ୧୫୧ ହାରାହାରିରେ ୬୦୪ ରନ୍‌ ସଂଗ୍ରହ କରି ସରିଛନ୍ତି। ଆସନ୍ତା ସପ୍ତାହରେ ପଞ୍ଚମ ତଥା ଶେଷ ଟେଷ୍ଟ ସିଡ୍‌ନିରେ ଖେଳାଯିବ।

ଶନିବାର ଅଷ୍ଟ୍ରେଲିଆ ୧୦୩/୨ରୁ ଖେଳିବା ବେଳେ ତଥାପି ୬୧ ରନ୍‌ ପଛରେ ଥିଲା। ଡେଭିଡ୍‌ ଓ୍ଵାର୍ନର (୮୬, ୨୨୭ ବଲ୍‌, ୮ ଚୌକା) ଏବଂ ଷ୍ଟିଭେନ୍‌ ସ୍ମିଥ୍‌ (୧୦୨*, ୨୭୫ ବଲ୍‌, ୬ ଚୌକା) ଲଢ଼େଇ କରିଥିଲେ। ଫଳରେ ନୀର୍ଜିବ ପିଚ୍‌ରେ ଇଂଲଣ୍ଡ ବୋଲରମାନେ ନୟାନ୍ତ ହୋଇଥିଲେ। ରୁଟ୍‌ ତାଙ୍କ ସାମୟିକ ଅଫସ୍ପିନ୍‌ରେ ଓ୍ଵାର୍ନରଙ୍କୁ ଉଭୟ ପାଳି ଶତକରୁ ରୋକିଥିଲେ। ସନ୍‌ ମାର୍ସଙ୍କ ଓ୍ଵିକେଟ୍‌ ନେଇ ବ୍ରଡ୍‌ କିଛିଟା ରୋମାଞ୍ଚ ଭରିଥିଲେ। କିନ୍ତୁ ସ୍ମିଥ୍‌ ଏବଂ ମିଚେଲ୍‌ ମାର୍ସ (୨୯*, ୧୬୬ ବଲ୍‌) ୪୮ ଓଭର ଖେଳି ବିନା ଓ୍ଵିକେଟ୍‌ରେ ୮୫* ରନ୍‌ ଯୋଡ଼ିନେବାରୁ ଉଭୟ ଦଳର ଅଧିନାୟକ ମ୍ୟାଚ୍‌ ଅମୀମାଂସିତ ରଖିବାକୁ ରାଜି ହୋଇଥିଲେ। ସେତେବେଳେକୁ ଅଷ୍ଟ୍ରେଲିଆ ହାତରେ ୬ ଓ୍ଵିକେଟ୍‌ ଥାଇ ୯୯ ରନ୍‌ରେ ଆଗୁଆ ଥିଲା। ସ୍ମିଥ୍‌ ଚଳିତ ଶୃଙ୍ଖଳାରେ ତୃତୀୟ ତଥା ଖେଳ ଜୀବନର ୨୩ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଦ୍ୱିଶତକ ଅର୍ଜନ କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ଖେଳାଳି ଆଲେଷ୍ଟର୍‌ କୁକ୍‌ (୨୪୪*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଆଗରଙ୍କୁ ଡାକରା: ଆସେସ୍‌ ଅର୍ଜନ କରି ସାରିଥିବା ଅଷ୍ଟ୍ରେଲିଆ ଦଳ ଆସନ୍ତା ସପ୍ତାହରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ୍‍ ଲାଗି ବାମହାତୀ ସ୍ପିନର୍‌ ଆଷ୍ଟନ୍‌ ଆଗରଙ୍କୁ ଡାକରା ଦେଇଛି। ୨୪ ବର୍ଷୀୟ ଆଗର ଶେଷ ଥର ପାଇଁ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ଚିଟାଗଙ୍ଗ ଟେଷ୍ଟ୍‍ରେ ଖେଳିଥିଲେ। ସିଡ୍‌ନିରେ ଗୁରୁବାରଠାରୁ ଖେଳାଯିବାକୁ ଥିବା ଏହି ଟେଷ୍ଟ୍‍ରେ ଅଷ୍ଟ୍ରେଲିଆ ଯୁଗଳ ସ୍ପିନ୍‌ ଆକ୍ରମଣରେ ଓହ୍ଲାଇବା ଯୋଜନା କରିଥିବାରୁ ନାଥନ୍‌ ଲିଅନ୍‌ଙ୍କ ସହ ଆଗରଙ୍କୁ ସାମିଲ କରିଛି। ଆଗରଙ୍କୁ ଡାକରା ମିଳିବା ଫଳରେ ୩୩ ବର୍ଷୀୟ ବାମହାତୀ ସ୍ପିନର୍‌ ଷ୍ଟିଭ୍‌ ଓ’କିଫ୍‌ଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ବିଦାୟୀ ବର୍ଷ ସେ ଉପ ମହାଦେଶରେ ୫ ଟେଷ୍ଟ୍‍ ଖେଳିବା ସହିତ ପୁନେରେ ଭାରତ ବିପକ୍ଷରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରି ୧୨ ଓ୍ଵିକେଟ୍‌ ଦଖଲ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୭ (ଡେଭିଡ୍‌ ଓ୍ଵାର୍ନର-୧୦୩, ଷ୍ଟିଭେନ୍‌ ସ୍ମିଥ୍‌-୭୬, ସନ୍‌ ମାର୍ସ-୬୧, ଷ୍ଟୁଆର୍ଟ ବ୍ରଡ୍‌-୪/୫୧, ଜେମ୍‌ସ ଆଣ୍ଡରସନ୍‌-୩/୬୧, କ୍ରିସ୍‌ ଓ୍ଵକ୍‌ସ-୨/୭୨)। ଇଂଲଣ୍ଡ ପ୍ରଥମ ପାଳି: ୪୯୧ (ଆଲେଷ୍ଟର୍‌ କୁକ୍‌-୨୪୪*, ଜୋ ରୁଟ୍‌-୬୧, ଷ୍ଟୁଆର୍ଟ ବ୍ରଡ୍‌-୫୬, କମିନ୍‌ସ-୪/୧୧୭, ହାଜେଲ୍‌ଉଡ୍‌-୩/୯୫, ଲିଅନ୍‌-୩/୧୦୯)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୨୬୩/୪ (ଡେଭିଡ ଓ୍ଵାର୍ନର-୮୬, ଷ୍ଟିଭେନ୍‌ ସ୍ମିଥ୍‌-୧୦୨*, ରୁଟ୍‌-୧/୧, ବ୍ରଡ୍‌-୧/୪୪, ଆଣ୍ଡରସନ୍‌-୧/୪୬, ଓ୍ଵକ୍‌ସ-୧/୬୨)।

ସମ୍ବନ୍ଧିତ ଖବର