ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ନୂଆ ସମ୍ବିଧାନରେ ସଦସ୍ୟ ଏବଂ ସହଯୋଗୀ ସଦସ୍ୟତାକୁ ନେଇ ଲାଗି ରହିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଦଶନ୍ଧି ଦଶନ୍ଧି ଧରି କଟକ ସହରରେ ସୀମିତ କ୍ଲବ୍ ଓ ଶିକ୍ଷାନୁଷ୍ଠାନକୁ ସଦସ୍ୟ ରଖି ଗଠିତ ଓସିଏ ଏବେ ସେହି ସଦସ୍ୟଙ୍କ ବିରୋଧର ସମ୍ମୁଖୀନ ହୋଇଛି। କାରଣ ଲୋଧା ସମିତିର ସୁପାରିସ୍ ଅନୁସାରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଆଦେଶକ୍ରମେ ନୂଆ ସମ୍ବିଧାନରେ ଏହି ସବୁ କ୍ଲବ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ପୂର୍ଣ୍ଣକାଳୀନ ସଦସ୍ୟତା କଟିଯାଇଛି। ସହଯୋଗୀ ସଦସ୍ୟ ରଖିବାକୁ ବିସିସିଆଇକୁ ସୁପାରିସ ହୋଇଛି। ଏହାକୁ କଟକ ଅନୁଷ୍ଠାନ ଗୁଡ଼ିକ ବିରୋଧ କରି ବିସିସିଆଇ, ଓସିଏ ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ସୁଫଳ ମିଳିନାହିଁ କି ମିଳିବାର ସମ୍ଭାବନା ନାହିଁ।
ପରିବର୍ତିତ ପରିସ୍ଥିତିରେ ଓସିଏର ଏକଛତ୍ରବାଦୀ ଶାସନ ତଥା ଅହଂକାରୀ ଅଧିକାରୀଙ୍କ ଅଣଦେଖାର ଶିକାର ହୋଇଥିବା ରାଜ୍ୟର ଅନ୍ୟ ଅଗ୍ରଣୀ କ୍ରିକେଟ୍ କ୍ଲବ୍ ଗୁଡ଼ିକ ଏବେ ମେଳି ହୋଇଛନ୍ତି। ବାରମ୍ବାର ସେମାନଙ୍କ ସଦସ୍ୟତାକୁ ପ୍ରତ୍ୟାଖାନ କରାଯାଇଥିବାରୁ ଏବେ ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ଭୁବନେଶ୍ବର, ଜଗତସିଂହପୁର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ଫୁଲବାଣୀ, ସୁନ୍ଦରଗଡ଼, ବାଲେଶ୍ବର, କେନ୍ଦୁଝର ଆଦି ସ୍ଥାନରେ ୪୨ଟି ସକ୍ରିୟ କ୍ରିକେଟ କ୍ଲବ୍ ଗୁଡ଼ିକ ଏକାଠି ହୋଇ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା କ୍ରିକେଟକୁ ଭୁବନେଶ୍ବରର ଅବଦାନ ଅଧିକ ରହିଥିଲେ ମଧ୍ୟ ଏଠାରୁ ଗୋଟିଏ ହେଲେ କ୍ଳବ୍ ଓସିଏ ଅନୁବଂଧିତ ନ ଥିବା ଯେତିକି ହାସ୍ୟସ୍ପଦ ସେତିକି ଆଶ୍ଚର୍ଯ୍ୟଜନକ। ବିଶେଷ କରି ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତିଙ୍କ କ୍ଲବ ସହିଦ ସ୍ପୋର୍ଟିଂ, ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦,୦୦୦ରୁ ଊର୍ଧ୍ବ ରନ୍ କରିଥିବା ଟେଷ୍ଟ୍ ତାରକା ଶିବ ସୁନ୍ଦର ଦାସଙ୍କ କ୍ଲବ୍ ପ୍ରଗତି ସ୍ପୋର୍ଟିଂ, ଅଧାଡ଼ଜନେ ରଣଜୀ ଖେଳାଳି ପ୍ରଦାନ କରିଥିବା ତଥା ସମ୍ପ୍ରତି କନିଷ୍ଠ ଏସିଆ କପ୍ ବିଜେତା ହୋଇଥିବା ରାଜେଶ ମହାନ୍ତିଙ୍କ କ୍ଲବ୍ ରାମେଶ୍ବର ସ୍ପୋର୍ଟିଂ, ରାଜଧାନୀରେ ଟର୍ଫ ୱିକେଟ୍ ବ୍ୟବସ୍ଥାର ଅଗ୍ରଜ ପାରାମାଉଣ୍ଟ୍ ସ୍ପୋର୍ଟିଂ, ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ ପ୍ରମୁଖ ମଧ୍ୟ ଅଣଦେଖାର ଶିକାର ହୋଇ ଖେଳାଳିଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁହଁ ଖୋଲୁ ନ ଥିଲେ। ରାଜ୍ୟ କ୍ରିକେଟକୁ ରାଜଧାନୀ ସହିତ ଅନ୍ୟ ଛୋଟ ସହରର ଅବଦାନ କ୍ରମେ ବଢ଼ିବାରେ ଲାଗିଥିଲେ ମଧ୍ୟ ଓସିଏ ତୃଣମୂଳସ୍ତରକୁ ଉପେକ୍ଷିତ କରି କେବଳ ଭୋଟ ବ୍ୟାଙ୍କ ସୀମିତ ଜିଲ୍ଲା ଅନୁଷ୍ଠାନକୁ ଧରି ନିଜ ଗାଦି ଚଳାଇ ଆସୁଥିଲେ। କୌଣସି କ୍ଲବ୍ ସଦସ୍ୟତା ଆବେଦନ କଲେ ସେତେବେଳେ ଓସିଏ ବଡ଼ପଣ୍ଡାମାନେ କହୁଥିଲେ ‘କଟକ ବାହାର କ୍ଲବ୍’କୁ ସାମିଲ କରିବା ଲାଗି ସମ୍ବିଧାନରେ ନାହିଁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ସଂଶୋଧିତ ସମ୍ବିଧାନରେ ସେମାନଙ୍କୁ ସାମିଲ କରିବାର ସୁଯୋଗ ଥିଲେ ବି ଓସିଏ କାର୍ଯ୍ୟକାରୀ ସମିତି ଏଭଳି ପ୍ରୟାସ କରିନାହିଁ। ଫଳରେ ଦଶନ୍ଧି ଦଶନ୍ଧି ଧରି ଉପେକ୍ଷିତ ଏବଂ ନିଷ୍ପେଷିତ ରାଜ୍ୟର ପ୍ରମୁଖ କ୍ରିକେଟ କ୍ଲବ୍ଗୁଡ଼ିକ ବିସିସିଆଇର ଦ୍ବାରସ୍ଥ ହୋଇଛନ୍ତି। ରାଜ୍ୟ କ୍ରିକେଟର ସାମଗ୍ରିକ ବିକାଶ ଲାଗି ଆସିଥିବା ସୁଯୋଗକୁ ହାତଛଡ଼ା ନ କରିବାକୁ ଏହି ୪୨ କ୍ଲବ୍ ଅଣ୍ଟା ଭିଡ଼ିଛନ୍ତି। ୧୦ ବର୍ଷ ଧରି ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରୁଥିବା ଜଗତସିଂହରର ହିନ୍ଦୁସ୍ତାନ ସ୍ପୋର୍ଟିଂ ଏବଂ ପୁରୁଣା ଭୁବନେଶ୍ବରର ରାମେଶ୍ବର ସ୍ପୋର୍ଟିଂ ଏହାର ନେତୃତ୍ବ ନେଉଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଯେଉଁମାନେ ବୁଜି ନ ବୁଝିବା ଭଳି ହୋଇ ଓସିଏର ପୁରଣା ସଦସ୍ୟଙ୍କୁ ନେଇ ବୈଠକ ଡ଼ାକିବାକୁ ପ୍ରସ୍ତାବ ଦେଇଛନ୍ତି ସାହା ହାସ୍ୟାସ୍ପଦ ବୋଲି ଜଣେ ପୂର୍ବତନ ଓସିଏ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏବେ ଓସିଏ କ୍ଷମତା କାର୍ଯ୍ୟକାରୀ ସମିତି ହାତରେ ରହିଛି। ଉଚ୍ଚତମ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦେଶ ପରେ ଆଇନ ଅବମାନନାକୁ ଏଡ଼ାଇବା ପାଇଁ ସମିତି ନିଜର ପ୍ରସ୍ତାବ ରଖିବାକୁ ଯାଉଛି। ପୁରୁଣା ସଦସ୍ୟ ଏବଂ ନୂଆ ଆଦେବନକାରୀଙ୍କ ପ୍ରସ୍ତାବକୁ ବିସିସିଆଇ ଗ୍ରହଣ କଲେ ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ବାସ୍ତବ ଦୃଷ୍ଟିରୁ ଏହା ସମ୍ଭବ ହେବା ଭଳି ଲାଗୁ ନାହିଁ ବୋଲି ସେ କହିଥିଲେ।
ସଦସ୍ୟତା ବିବାଦରେ ନୂଆ ମୋଡ଼
ମେଳି ହେଲେ ରାଜ୍ୟର ୪୨ ଅଗ୍ରଣୀ କ୍ରିକେଟ୍ କ୍ଳବ୍
/sambad/media/post_attachments/wp-content/uploads/2018/10/Roundtable-Meeting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)