ନୂଆଦିଲ୍ଲୀ: ଆଇପିଏଲ୍‌ର ଚଳିତ ସଂସ୍କରଣ ଅନ୍ୟ ଋତୁଗୁଡ଼ିକ ଅପେକ୍ଷା ସ୍ବତନ୍ତ୍ର ହୋଇପାରିଛି। ସଂସ୍କରଣ ଆରମ୍ଭରୁ ନିଲାମ ସମୟରେ ଉଚ୍ଚ ମୂଲ୍ୟରେ ଖେଳାଳି ନିଲାମ ହେବାଠୁ ଆରମ୍ଭ କରି ମ୍ୟାଚ୍‌ଗୁଡ଼ିକରେ ପାୱାରହିଟିଂ ଆକର୍ଷଣୀୟ ଥିଲା। ଏସବୁ ଭିତରେ ଅମ୍ପାୟାରଙ୍କ ନିଷ୍ପତ୍ତି, ବରିଷ୍ଠ ଖେଳାଳିଙ୍କ ପ୍ରତି ମାଲିକମାନଙ୍କ ବ୍ୟବହାର ବିବାଦ ଭିତରେ ରହିଯାଇଛି। ‌ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଭିତରେ କିଛି ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ସବୁବେଳେ ପ୍ରଶଂସକଙ୍କ ମନରେ ଘର କରି ରହିଯିବ।
ବିଫଳ ପାଣ୍ଡ୍ୟା
ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦିକ ପାଣ୍ଡ୍ୟାଙ୍କ ଘରବାହୁଡ଼ା ଯୋଜନା ଅନୁସାରେ ସଫଳ ହୋଇପାରି ନଥିଲା। ଦଳକୁ ଆସୁ ଆସୁ ରୋହିତ ଶର୍ମାଙ୍କୁ ନେତୃତ୍ବରୁ ବାହାର କରାଯିବା ସହ ମ୍ୟାଚ୍‌ଗୁଡ଼ିକରେ ଦଳର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନିରାଶାଜନକ ଥିଲା। ଯେଉଁଥିପାଇଁ ଦର୍ଶକମାନେ ପ୍ରତ୍ୟେକ ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କୁ ଚିଡ଼ାଇବାକୁ ପଛାଉ ନଥିଲେ। ଏପରିକି ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ (୨୧୬ ରନ୍‌, ୧୧ ୱିକେଟ୍‌) ମଧ୍ୟ ଉତ୍ସାହଜନକ ହୋଇପାରିନି। ଯେତେବେଳେ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଲଗାତାର ୩ ଛକା ମାରିଥିଲେ, ସେତେବେଳେ ପାଣ୍ଡ୍ୟାଙ୍କ ଉପରେ ଅଧିକ ଆଲୋଚନା ହୋଇଥିଲା।
ପ୍ରଶଂସକଙ୍କ ବ୍ୟବହାର
ଗୋଟିଏ ପଟରେ ମହେନ୍ଦ୍ର ସିଂହ‌ ଧୋନିଙ୍କ ଭଳି ଖେଳାଳିଙ୍କୁ ପ୍ରତ୍ୟେକ ଷ୍ଟାଡିୟମ୍‌ରେ ଭଲପାଇବା ମିଳୁଥିଲା ବେଳେ ହାର୍ଦିକ ପାଣ୍ଡ୍ୟା କିନ୍ତୁ ଦର୍ଶକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଅହମଦାବାଦରେ ପ୍ରଥମ ମ୍ୟାଚ୍‌ରୁ ଦର୍ଶକମାନେ ତାଙ୍କୁ ‘ବୁ...’ କହି ଚିଡ଼ାଇ ଆସୁଥିଲେ। ଟସ୍‌ ପକାଇବା ପାଇଁ ଯିବା ପରଠୁ ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ, ପାଣ୍ଡ୍ୟାଙ୍କୁ ଦର୍ଶକମାନେ ନିରଂନ୍ତର ଚିଡ଼ାଉଥିଲେ। ଟସ୍‌ ପକାଇବା ବେଳେ ଭାଷ୍ୟକାର ସଂଜୟ ମଞ୍ଜରେକର୍‌ ଦର୍ଶକଙ୍କୁ ତାଳି ମାରିବା ପାଇଁ କହିଥିଲେ ମଧ୍ୟ ଷ୍ଟାଡିୟମ୍‌ ସାରା ‘ବୁ....’ ଉଚ୍ଚାରଣ କରିଥିଲେ। ପରେ ମଞ୍ଜରେକର୍‌ ଦର୍ଶକଙ୍କୁ ସଂଜତ ରହିବାକୁ ଅନୁରୋଧ କରିଥିଲେ। ଏପରିକି ଆର୍‌ସିବି ବିପକ୍ଷ ମ୍ୟାଚ୍‌ ବେଳେ ବିରାଟ କୋହଲିଙ୍କୁ ହସ୍ତକ୍ଷେପ କରି ଦର୍ଶକଙ୍କୁ ବୁଝାଇବାକୁ ପଡ଼ିଥିଲା।
ରାହୁଲ୍‌ଙ୍କ ପ୍ରତି ଗୋଏଙ୍କାଙ୍କ ବ୍ୟବହାର
ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ମାଲିକ ସଂଜୀବ ଗୋଏଙ୍କା ସର୍ବସମ୍ମୁଖରେ ଅଧିନାୟକ ତଥା ଭାରତୀୟ ଦଳର ବରିଷ୍ଠ ଖେଳାଳି କେଏଲ୍‌ ରାହୁଲଙ୍କ ଉପରେ ବିରକ୍ତ ହେବା ସହ ଯେଉଁଭଳି ଇଂଗିତ କରୁଥିଲେ, ସେଥିପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ଦ୍ବାରା ସେ ସମାଲୋଚିତ ହୋଇଥିଲେ। ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦଠୁ ଏଲ୍‌ଏସ୍‌ଜି ପରାଜିତ ହେବା ପରେ ଗୋଏଙ୍କା ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ମ୍ୟାଚ୍‌ ପରେ ସେ ରାହୁଲ୍‌ଙ୍କ ସହ ‌ଉତ୍ତେଜକ ବାର୍ତ୍ତାଳାପ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ମଧ୍ୟ ହୋଇଯାଇଥିଲା। ଫଳରେ ଏଲ୍‌ଏସ୍‌ଜିରେ ରାହୁଲଙ୍କ ଏହା ଶେଷ ଋତୁ ବୋଲି ଆକଳନ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଦିନ ପରେ ଗୋଏଙ୍କା ତାଙ୍କ ବାସଭବନରେ ରାହୁଲଙ୍କ ସହିତ ରାତ୍ରିଭୋଜନ କରିବା ସହ ଆଲିଙ୍ଗନ କରିବା ଓ ହାତ ମିଶାଇବା ସମୟର ଫଟୋ ସମସ୍ତ ଆକଳନ ଉପରେ ପୁର୍ଣ୍ଣଛେଦ ପକାଇଥିଲା।
ବିବାଦୀୟ କ୍ୟାଚ୍‌
ତୃତୀୟ ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଂଜୁ ସାମସନ୍‌ ବିବାଦୀୟ ଭାବେ ଆଉଟ୍‌ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସଂଜୁଙ୍କ ଏକ ଉଚ୍ଚ ସଟ୍‌କୁ ବାଉଣ୍ଡରି ପାଖରେ ସାଇ ହୋପ୍‌ କ୍ୟାଚ୍‌ ନେଇଥିଲେ। କିନ୍ତୁ ତାଙ୍କ ଗୋଇଠି ବାଉଣ୍ଡରିରେ ଲାଗିଥିବା ସ୍ପଷ୍ଟ ଜଣାପଡୁଥିଲା। ତଥାପି ଅମ୍ପାୟାର ସ୍ପଷ୍ଟ ନଥିବାରୁ ବିଭିନ୍ନ ଦିଗର କ୍ୟାମେରାରୁ ଏହାକୁ ତର୍ଜମା କରିଥିଲେ। ସବୁ ସତ୍ତ୍ବେ ତୃତୀୟ ଅମ୍ପାୟାର ସଂଜୁଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପାଇଁ ରାଜସ୍ଥାନକୁ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।
ଉତ୍ତେଜିତ କୋହଲି
ଏପ୍ରିଲ୍‌ ୨୧ ତାରିଖରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବିରାଟ କୋହଲିଙ୍କ ଆଉଟ୍‌ ଅଧିକ ଆଲୋଚ୍ୟ ପାଲଟିଥିଲା। କୋହଲି ମାତ୍ର ୧୮ ରନ୍‌ କରିଥିଲା ବେଳେ ହର୍ଷିତ ରାଣାଙ୍କ ଅଣ୍ଟାଉଚ୍ଚ ବଲ୍‌ରେ ଆଉଟ୍‌ ହୋଇଥିଲେ। ବଲ୍‌ ଯଦିଓ ଅଣ୍ଟା ଉପରକୁ ଆସିଥିଲା, କିନ୍ତୁ କୋହଲି ଖେଳିବା ବେଳକୁ କ୍ରିଜ୍‌ର ବାହାରେ ଥିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ନୋବଲ୍‌ ପାଇଁ ଆଇପିଏଲ୍‌ ହକ୍‌ ଆଇ ଜ୍ଞାନକୌଶଳ ଅନୁସାରେ ଯଦି ବ୍ୟାଟର୍‌ କ୍ରିଜ୍‌ ଭିତରେ ଥିବେ ତାହେଲେ ବଲ୍‌ର ଗତିମାନକୁ ଦେଖାଯିବ। କିନ୍ତୁ କୋହଲି ବାହାରେ ଥିବାରୁ ବଲ୍‌ ତାଙ୍କ ଅଣ୍ଟାତଳ ଉଚ୍ଚରେ ଛିଣ୍ଡୁଥିବାରୁ ଅମ୍ପାୟାର ଏହାକୁ ଆଉଟ୍‌ ଘୋଷଣା କରିଥିଲେ। କୋହଲି କିନ୍ତୁ ଅସନ୍ତୁଷ୍ଟ ହୋଇ ପଡ଼ିଆ ଅମ୍ପାୟାରଙ୍କ ସହିତ ପ୍ରବଳ ଯୁକ୍ତିତର୍କ କରିବା ସହିତ ଡଗ୍‌ଆଉଟ୍‌କୁ ଯିବା ବେଳେ ମଧ୍ୟ ବ୍ୟାଟ୍‌କୁ ପିଟିବା ସହ ଗ୍ଲୋଭ୍‌ସ ଫିଙ୍ଗିଦେଇଥିଲେ।
ବାକ୍‌ ଯୁଦ୍ଧ
ଗଣମାଧ୍ୟମରେ ତାରକା ବ୍ୟାଟର୍‌ ବିରାଟ କୋହଲି ଓ ଭାଷ୍ୟକାର ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। କୋହଲି ନିଜ ଷ୍ଟ୍ରାଇକ୍‌ରେଟ୍‌ ବଢ଼ାଇ ଏହି ବିବାଦର ଅବସାନ ଘଟାଇଥିଲେ। ସେ ୪୪ ବଲ୍‌ରେ ୭୦ ରନ୍‌ କରି ‘ବାହାର ଶବ୍ବ’କୁ ଶୁଣନି ବୋଲି ସମାଲୋଚକଙ୍କ ଉଦେଶ୍ୟରେ କହିଥିଲେ। କୋହଲିଙ୍କ ଷ୍ଟ୍ରାଇକ୍‌ରେଟ୍‌ ଅଶାଠାରୁ କମ୍‌ ରହୁଛି ବୋଲି ଗାଭାସ୍କର କହିଥିଲେ। କୋହଲିଙ୍କ ଜବାବ ପରେ ଗାଭାସ୍କର ସ୍ପଷ୍ଟୀକରଣ ରଖି କହିଥିଲେ ଯେ ଭାଷ୍ୟକାର କୌଣସି ଏଜେଣ୍ଡା ନାହିଁ। ଆମେ ପଡ଼ିଆରେ ଯାହା ଦେଖୁ ତାହା ଉପରେ ବିଶ୍ଳେଷଣ କରୁ ଏବଂ ନିଜ ଅଭିଜ୍ଞତା ଅନୁସାରେ କହୁ।
ଡଗ୍‌ଆଉଟ୍‌ ଡିଲ୍ଲେମା
ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍‌ ଡେଭିଡ୍‌ ଓ ବ୍ୟାଟିଂ ପ୍ରଶିକ୍ଷକ କିରଣ ପୋଲାର୍ଡ ଡଗ୍‌ଆଉଟ୍‌ରୁ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ସଙ୍କେତ ଦେଇ ଦଣ୍ଡିତ ହୋଇଥିଲେ। ସୂର୍ଯ୍ୟ ଆଉଟ୍‌ ହେବା ପରେ ଆଇପିଏଲ୍‌ର କୌଣସି ଯୋଗାଯୋଗ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା। ଏହି ମ୍ୟାଚ୍‌ରେ ଅନେକ ବିବାଦୀୟ କଲ୍‌ ହୋଇଥିଲା। ୧୫ତମ ଓଭରରେ ସବୁଠୁ ବଡ଼ ବିବାଦ ଦେଖିବାକୁ ମିଳିଥିଲା। ଅର୍ଶଦୀପ ସିଂହଙ୍କ ବାହାର ବଲ୍‌ରେ ସୂର୍ଯ୍ୟ ଆଉଟ୍‌ ହୋଇଥିଲେ। ଏହାକୁ ରିଭ୍ୟୁ ନେବାକୁ ଡଗ୍‌ଆଉଟ୍‌ରୁ ସଙ୍କେତ ଆସିଥିଲା। ଯାହା ପାଇଁ ଦଣ୍ଡ ମିଳିଥିଲା।
ହେଡ୍‌ କିମ୍ବା ଟେଲ୍‌
ଟସ୍‌କୁ ନେଇ ଏକ ଅଜବ ବିବାଦ ଦେଖା ଦେଇଯାଇଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ମୁମ୍ବାଇ ବିପକ୍ଷରେ ଟସ୍‌କୁ ନେଇ ଅଭିଯୋଗ ଆଣିଥି‌ଲେ। ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ଭିଡିଓରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା କଏନ୍‌କୁ ଉପରକୁ ପକାଉଛନ୍ତି। ଏହାକୁ ମ୍ୟାଚ୍‌ ରେଫରି ଜଭାଗାଲ ଶ୍ରୀନାଥ ଧରିଛନ୍ତି। କିନ୍ତୁ ଅନ୍‌ଲାଇନ୍‌ରେ ଏକ ଗୁଜବ ପ୍ରଚାରିତ ହୋଇଥିଲା ଶ୍ରୀନାଥ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷ ନେଇ କଏନ୍ ଧରିଛନ୍ତି। ପ୍ରମାଣ ଅଭାବ ଥିବାରୁ ଏହି ବିବାଦ ବଢ଼ିଲା। ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ପ୍ରସାରଣକାରୀ ସଂସ୍ଥାର କ୍ୟାମେରା ଟସ୍‌ ବେଳେ ଜୁମ୍‌ କରି ଦେଖାଇଥିଲା। ଯେଉଁଥିରେ ଆର୍‌ସିବି ଜଡ଼ିତ ହୋଇଥିଲା।
ବାଧା ପହଞ୍ଚାଇ ଆଉଟ୍‌
ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର୍‌ ରବୀନ୍ଦ୍ର ଜାଡ଼େଜା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ବେଳେ ପଡ଼ିଆରେ ବାଧା ପହଞ୍ଚାଇ ଆଉଟ୍‌ ହୋଇଥିଲେ। ଦ୍ବିତୀୟ ରନ୍‌ ନେବାକୁ ଯାଉଥିବା ବେଳେ ସାଥୀ ଖେଳାଳିଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ପିଚ୍‌ ମଝିରେ ରହିଯାଇଥିଲେ। ରାଜସ୍ଥାନ ୱିକେଟ୍‌ରକ୍ଷକ ବଲ୍‌ ବୋଲିଂ ପଟକୁ ପକାଉଥିଲା ବେଳେ ଏହା ଜାଡ଼େଜାଙ୍କ ଦେହରେ ବାଜି ଥିଲା। ରାଜସ୍ଥାନ ଦଳ ବାଧା ପହଞ୍ଚାଇବା ଆଉଟ୍‌ ଲାଗି ଅପିଲ୍‌ କରିଥିଲା। ରିଭ୍ୟୁ ପରେ ତୃତୀୟ ଅମ୍ପାୟାର ଆଉଟ୍‌ ଦେଇଥିଲେ।
ମାନସିକ ସ୍ବାସ୍ଥ୍ୟ ବିରତି
ଆର୍‌ସିବି ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ ନିଜର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଚଳିତ ଆଇପିଏଲ୍‌ରୁ କିଛି ଦିନ ବିରତି ନେଇଥି‌ଲେ। ସେ କମ୍‌ ରନ୍‌ କରିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ। ପ୍ରଥମ ୬ ମ୍ୟାଚ୍‌ରେ ସେ ମାତ୍ର ୩୨ ରନ୍‌ କରିଥିଲେ। ଏହାପରେ ସେ ଅଧିନାୟକ ଓ ପ୍ରଶିକ୍ଷକଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚୂଡ଼ାନ୍ତ ଏକାଦଶରେ ନରଖିବାକୁ ନିବେଦନ କରିଥିଲେ। ୨୦୧୯ରେ ମଧ୍ୟ ସମାନ କାରଣ ପାଇଁ ସେ ପ୍ରଥମ ଥର ଲାଗି ଦଳରୁ ବିରତି ନେଇଥିଲେ।
କିଂବଦନ୍ତିଙ୍କ ଭବିଷ୍ୟତ
ଆର୍‌ସିବିଠୁ ହାରିବା ପରେ ସିଏସ୍‌କେର ଆଇପିଏଲ୍‌ରେ ଚଳିତ ଋତୁ ଶେଷ ହୋଇଥିଲା। ଏହାପରେ କିଂବଦନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଧୋନି ଆନୁଷ୍ଠାନିକ ଭାବେ କେବେ ଘୋଷଣା କରୁଛନ୍ତି, ସି‌ଏସ୍‌କେ କିଂବଦନ୍ତିଙ୍କ ଏହା ଶେଷ ମ୍ୟାଚ୍‌ ଥିଲା କି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଶେ‌ଷ ଓଭରରେ ସେ ଆଉଟ୍‌ ହେବା ପରେ ତାଙ୍କ ଭାବପ୍ରବଣ ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା। ତାଙ୍କର କିଛି ପ୍ରଶଂସକ ଧୋନିଙ୍କ ୧୩ ବଲ୍‌ରେ ୨୫ ରନ୍‌ର ପାଳି ଆଇପିଏଲ୍‌ର ଶେଷ ବୋଲି କହିବା ସହ ସେମାନେ ୨୦୧୯ ବିଶ୍ବକପ୍‌ ପରାଜୟ ପରେ ଅନ୍ତର୍ଜାତୀୟ ଅବସରକୁ ଉଦାହରଣ ଦେଇଛନ୍ତି।