ନୂଆଦିଲ୍ଲୀ: ଅଧୁନିକ କ୍ରିକେଟ୍ରେ ବିନା ଦ୍ବିଧାରେ ବିରାଟ କୋହଲି ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ବିଶେଷ କରି ଦିନିକିଆ କ୍ରିକେଟ୍ରେ ତାଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଛି। ଅତୀତରେ ବଡ଼ ବଡ଼ ଦଳ ବିପକ୍ଷରେ ତାଙ୍କ ପ୍ରଦର୍ଶନ ବଳରେ ଭାରତ ଦେଶ ଓ ବିଦେଶରେ ବହୁ ମ୍ୟାଚ୍ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆରେ ଆୟୋଜିତ ଏକ ତ୍ରିକୋଣୀୟ ଦିନିକିଆ ଶୃଙ୍ଖଳାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ କୋହଲିଙ୍କ ଦମ୍ଦାର ପାଳି ଯୋଗୁଁ ଭାରତ ୩୨୧ ରନ୍ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା।
ଏହି ମ୍ୟାଚ୍ ୨୦୧୨ ଫେବ୍ରୁଆରି ୨୮ ତାରିଖରେ ହୋବାର୍ଟରେ ଖେଳାଯାଇଥିଲା। ଟସ୍ ଜିତି ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଆରମ୍ଭରୁ ଧିମା ଖେଳିଥିବା ଶ୍ରୀଲଙ୍କା ପ୍ରଥମ ୧୨ ଓଭରରେ ୪୯ ରନ୍ କରିଥିଲା। ମାହେଲା ଜୟବର୍ଧନେ (୨୨ ରନ୍)ଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ କରି ଭାରତ ପାଇଁ ସଫଳତା ଆଣିଥିଲେ। ତେବେ ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ତିଲକରତ୍ନେ ଦିଲସାନ ଓ କୁମାର ସାଙ୍ଗାକାରା ୩୧.୨ ଓଭରରେ ୨୦୦ ରନ୍ ଯୋଡ଼ି ବଡ଼ ସ୍କୋର୍ ଦିଗରେ ଦଳକୁ ବଢ଼ାଇଥିଲେ। ଶେଷରେ ଦିଲ୍ସାନଙ୍କ ଅପରାଜିତ ୧୬୦ (୧୬୫ ବଲ୍) ଏବଂ ସାଙ୍ଗାକାରାଙ୍କ ୧୦୫ (୮୭ ବଲ୍) ରନ୍ ବଳରେ ଶ୍ରୀଲଙ୍କା ନିର୍ଧାରିତ ୫୦ ଓଭରରେ ୩୨୦/୪ କରିଥିଲା।
ଶୃଙ୍ଖଳାରେ ଜୀବିତ ରହିବା ଲାଗି ଭାରତକୁ ଏହି ଲକ୍ଷ୍ୟ ୪୦ ଓଭରରେ ହାସଲ କରି ବୋନସ ପଏଣ୍ଟ କରାୟତ୍ତ କରିବାର ଆବଶ୍ୟକ ଥିଲା। ବିଜୟ ପାଇଁ ୫୦ ଓଭରରେ ୩୨୧ ରନ୍ ଥିଲେ ମଧ୍ୟ ବୋନସ ପଏଣ୍ଟ ପାଇଁ ୪୦ ଓଭରରେ ବିଜୟ ଆବଶ୍ୟକ ଥିଲା। ତାହାକୁ ଦୃଷ୍ଟିରେ ରଖି ଓଭର ପ୍ରତି ୮ ରନ୍ ହାରରେ ଭାରତ ପଶ୍ଚାତ୍ଧାବନ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ (୩୦, ୧୬ ବଲ୍) ଏବଂ ସଚିନ ତେନ୍ଦୁଲକର (୩୯, ୩୦ ବଲ୍) ୬.୨ ଓଭରରେ ୫୪ ରନ୍ କରି ଭଲ ମୂଳଦୁଆ ପକାଇଥିଲେ। ହେଲେ ୯.୨ ଓଭରରେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କୁ ଭାରତ ହରାଇ ୮୬ ରନ୍ କରିଥିଲା। ବିଜୟ ପାଇଁ ୩୦.୪ ଓଭରରେ ୨୩୫ ରନ୍ ଥିଲା ବେଳେ ଜୋନ୍ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିବା ୨୩ ବର୍ଷୀୟ କୋହଲି କ୍ରିଜ୍କୁ ଆସିଥିଲେ। ଅପରପାର୍ଶ୍ବରେ ଗୌତମ ଗମ୍ଭୀର ଥିଲେ।
କୋହଲି ଲଗାତାର ବାଉଣ୍ଡାରି ମାରି ଦଳୀୟ ସ୍କୋର୍କୁ ଆଗକୁ ବଢ଼ାଉଥିଲା ବେଳେ ଗମ୍ଭୀର ମଧ୍ୟ ତାଙ୍କୁ ସହଯୋଗ କରୁଥିଲେ। ବାମ ଓ ଡାହାଣହାତୀ ଯୋଡ଼ି ସହଜରେ ରନ୍ ସଂଗ୍ରହ କରି ଦଳୀୟ ସ୍କୋର୍କୁ ଆଗକୁ ନେଉଥିଲେ। ୨୮ତମ ଓଭରରେ ଗମ୍ଭୀର ୬୪ ବଲ୍ରେ ୬୩ ରନ୍ କରି ଆଉଟ୍ ହୋଇଥିଲେ। ଏହି ଭାଗୀଦାରି କିନ୍ତୁ ୧୮.୧ ଓଭରରେ ମୂଲ୍ୟବାନ ୧୧୫ ରନ୍ ଯୋଡ଼ି ଦେଇଥିଲେ। ତଥାପି ବୋନସ ପଏଣ୍ଟ୍ ପାଇଁ ଭାରତ ସମ୍ମୁଖରେ ୭୫ ବଲ୍ରେ ୧୨୦ ରନ୍ ରହିଥିଲା। କୋହଲିଙ୍କ ସହ ସୁରେଶ ରାଇନା ଯୋଗ ଦେଇଥିଲେ। ରାଇନା ଦ୍ରୁତ ୪୦ ରନ୍ (୨୦ ବଲ୍, ୧ ଛକା, ୩ ଚୌକା) କରିଥିଲେ। ବିଜୟ ନିଶ୍ଚିତ ଜଣା ପଡ଼ୁଥିଲା। ହେଲେ ମୁଖ୍ୟ ଲକ୍ଷ୍ୟ ଥିଲା ବୋନସ ପଏଣ୍ଟ୍। ୩୫ତମ ଓଭରରେ ଲସିଥ ମାଲିଙ୍ଗାଙ୍କୁ ନିର୍ଧୁମ ପ୍ରହାର କରିଥିଲେ କୋହଲି। ଏହି ଓଭରରେ ସେ ଗୋଟିଏ ଛକା ଓ ୪ ଚୌକା ସହ ୨୪ ରନ୍ ସଂଗ୍ରହ କରିଥିଲେ। ଭାରତ ୩୬.୪ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିବା ସହ ବୋନସ ପଏଣ୍ଟ୍ ମଧ୍ୟ କରାୟତ୍ତ କରିଥିଲା। କୋହଲି ପାଖାପାଖି ୧୫୫ ଷ୍ଟ୍ରାଇକ୍ ରେଟ୍ରେ ଅପରାଜିତ ୧୩୩ ରନ୍ କରିଥିଲେ। ଏଥିରେ ୨ ଛକା ଓ ୧୬ ଚୌକା ସାମିଲ ଥିଲା। କୋହଲି ଅଷ୍ଟ୍ରେଲିଆରେ ମୋଟ ୫ ଦିନିକିଆ ଶତକ ହାସଲ କରିଛନ୍ତି। ହେଲେ ସେହି ପାଳି ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା।