ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ଖୋ ଖୋ ଦଳ ରବିବାର ଇତିହାସ ରଚିଛନ୍ତି। ସ୍ଥାନୀୟ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ବିଶ୍ବକପ୍ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି। ଫଳରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି। ଉଭୟ ଫାଇନାଲ୍ରେ ନେପାଳକୁ ହରାଇଛି ଭାରତ। ମହିଳା ଫାଇନାଲ୍କୁ ୭୮-୪୦ ଏବଂ ପୁରୁଷରେ ୫୪-୩୬ ପଏଣ୍ଟ୍ରେ ଜିତି ଏହି ଅନନ୍ୟ ସଫଳତା ପାଇଛି। ମହିଳା ଦଳରେ ଓଡ଼ିଶାର ୨ ଜଣ ଶୁଭଶ୍ରୀ ସିଂ ଓ ମାଗାଇ ମାଝୀ ଏବଂ ପୁରୁଷ ଦଳରେ ପବନୀ ଶବର ରହି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ତିନି ଜଣ ଯାକ ହେଉଛନ୍ତି କିସ୍ ବିଶ୍ବବିଦ୍ୟାଳୟର। ଏଥିସହ ଓଡ଼ିଶା ସରକାର ମଧ୍ୟ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ରହିଛନ୍ତି। ପୁଣି ବିଶ୍ବକପ୍ରେ ୫ଜଣ ଓଡ଼ିଆ ଅଧିକାରୀ ଦାୟିତ୍ବ ତୁଲାଉଥିଲେ। ଏଣୁ ଭାରତ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଭାରତର ବିଶ୍ବବିଜୟ ପର୍ବ ଏକପ୍ରକାର ଓଡ଼ିଶା ରଙ୍ଗରେ ରଙ୍ଗାୟିତ ହୋଇଛି।
ଭାରତୀୟ ଦଳର ଐତିହାସିକ ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ମହିଳା ଦଳ ଗ୍ରୁପ୍ ପର୍ଯ୍ୟାୟରେ ଦକ୍ଷିଣ କୋରିଆ, ଇରାନ ଓ ମାଲେସିଆକୁ ହରାଇ ଟେବୁଲର ଶୀର୍ଷରେ ରହି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିଲା। ଏହାପରେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ପୁରୁଷରେ ନେପାଳ, ବ୍ରାଜିଲ, ପେରୁ ଓ ଭୁଟାନକୁ ହରାଇ ଗ୍ରୁପ୍ ବିଜେତା ଭାବେ କ୍ବାର୍ଟର୍କୁ ଯାଇଥିଲା ଭାରତ। ସେହିଭଳି କ୍ବାର୍ଟରରେ ଶ୍ରୀଲଙ୍କା ଏବଂ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ୍ ଖେଳିଥିଲା। ମହିଳା ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଚିତ୍ରା ବି’ଙ୍କୁ ମିଳିଥିଲା ବେଳେ ଅଂଶୁ କୁମାରୀ ଶ୍ରେଷ୍ଠ ଆଟାକର୍ ବିବେଚିତ ହୋଇଥିଲେ। ପୁରୁଷ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ ମେହୁଲ ଏବଂ ସୂୟାଶ ଗାର୍ଗାଟେ ଶ୍ରେଷ୍ଠ ଆଟାକାର୍ ପୁରସ୍କାର ପାଇଥିଲେ।