ପୁରୁଷ ଏଫ୍‌ଟିପି: ୨୦୨୩-୨୭ ଋତୁଚକ୍ରରେ ୩୮ ଟେଷ୍ଟ୍‌ ଖେଳିବ ଭାରତ

ମୋଟ ୭୭୭ ଆନ୍ତର୍ଜାତିକ ମ୍ୟାଚ୍‌, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳିବେ ସର୍ବାଧିକ ଟେଷ୍ଟ୍‌

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ବୁଧବାର ଆଗାମୀ ୨୦୨୩ରୁ ୨୦୨୭ ଋତୁଚକ୍ର ପାଇଁ ଏଫ୍‌ଟିପି (ଫ୍ୟୁଚର ଟୁର୍‌ସ ଆଣ୍ଡ୍‌ ପ୍ରୋଗ୍ରାମ) ଘୋଷଣା କରିଛି। ୨୦୨୩ ମେ’ ମାସରୁ ୨୦୨୭ ଏପ୍ରିଲ ମାସର ଏହି ପାଞ୍ଚ ବର୍ଷିୟା ଚକ୍ର ମଧ୍ୟରେ ମୋଟ ୧୨ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ୭୭୭ ଆନ୍ତର୍ଜାତିକ ମ୍ୟାଚ୍‌ ସ୍ଥାନ ପାଇଛି। ସେଥିରେ ରହିଛି ୧୭୩ ଟେଷ୍ଟ୍‌, ୨୮୧ ଦିନିକିଆ ଏବଂ ୩୨୩ ‌ଟ୍ବେଣ୍ଟି-୨୦। ଯାହାକି ଏବର ଏଫ୍‌ଟିପି (୬୯୪ ମ୍ୟାଚ୍‌) ତୁଳନାରେ ୮୩ ଆନ୍ତର୍ଜାତିକ ମ୍ୟାଚ୍‌ ଅଧିକ। ଏହି ଏଫ୍‌ଟିପି ମଧ୍ୟରେ ଦୁଇଟି ଆଇସିସି ପୁରୁଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌, ୫ଟି ବୃହତ୍‌ ଆଇସିସି ଇଭେଣ୍ଟ (ଦିନିକିଆ ବିଶ୍ବକପ୍‌-୨୦୨୩ ଓ ୨୦୨୭, ଟ୍ବେଣ୍ଟି-୨୦ ବିଶ୍ବକପ୍‌-୨୦୨୪ ଓ ୨୦୨୬, ଚାମ୍ପିଅନ୍‌ସ ଟ୍ରଫି-୨୦୨୫) ଏବଂ ଦ୍ବିପାକ୍ଷିକ ଶୃଙ୍ଖଳା ବ୍ୟତୀତ ତ୍ରିକୋଣୀୟ ଶୃଙ୍ଖଳା ସାମିଲ ରହିଛି। ଦିନିକିଆ ଦ୍ବିପାକ୍ଷିକ ଶୃଙ୍ଖଳା ବିଶେଷକରି ୩ ମ୍ୟାଚ୍‌ ବିଶିଷ୍ଟ ବି ରହିବ। ଇଂଲଣ୍ଡ (୪୩) ଓ ଅଷ୍ଟ୍ରେଲିଆ (୪୦) ସର୍ବାଧିକ ଟେଷ୍ଟ୍‌ ଖେଳିବାକୁ ଥିଲା ବେଳେ ଭାରତୀୟ ଦଳ ୩୮ ଟେଷ୍ଟ୍‌ ଖେଳିବ। ଟେଷ୍ଟ୍‌ ବ୍ୟତୀତ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ୩୯ ଦିନିକିଆ ସହିତ ୬୧ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଫଳରେ ୨୦୨୩-୨୭ ଋତୁଚ୍ରକ୍ରରେ ଭାରତ ମୋଟ ୧୩୮ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ସୂଚୀ ସ୍ଥିର ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି ୪ ମ୍ୟାଚ୍‌ ବଦଳରେ ଏଣିକି ୫ ଟେ‌ଷ୍ଟ୍‌ ବିଶିଷ୍ଟ ଖେଳାଯିବ। ତେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଭାରତର କୌଣସି ଦ୍ବିପାକ୍ଷିକ ସଂପର୍କ ଏଫ୍‌ଟିପିରେ ସ୍ଥାନ ପାଇନାହିଁ।

ମୋଟ ୭୭୭ ଆନ୍ତର୍ଜାତିକ ମ୍ୟାଚ୍‌
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳିବେ ସର୍ବାଧିକ ଟେଷ୍ଟ୍‌
୫ ବର୍ଷରେ ଭାରତ ଖେଳିବ ୩୯ ଦିନିକିଆ ଓ ୬୧ ଟ୍ବେଣ୍ଟି-୨୦
ବର୍ଡର-ଗାଭାସ୍କର ଟ୍ରଫି ୫ ଟେ‌ଷ୍ଟ ଶୃଙ୍ଖଳା ହେବ
ପାକିସ୍ତାନ ସହ ଦ୍ବିପାକ୍ଷିକ ଶୃଙ୍ଖଳା ନାହିଁ

ଆଗାମୀ ୫ ବର୍ଷିୟା ଋତୁଚକ୍ର ମଧ୍ୟରେ ଭାରତ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଲେଖାଏଁ ଟେଷ୍ଟ୍‌ ଶୃଙ୍ଖଳା ସାଙ୍ଗକୁ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ବି ୫ ମ୍ୟାଚ୍‌ ଶୃଙ୍ଖଳା ଖେଳିବ। ପରବର୍ତୀ ଏଫ୍‌ଟିପି ଋତୁଚକ୍ର ଅବସରରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ଗସ୍ତ (ଜୁଲାଇ-ଅଗଷ୍ଟ ୨୦୨୩) କରି ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ। ଯେଉଁଥିରେ ୨ ଟେଷ୍ଟ୍‌, ୩ ଦିନିକିଆ ଏବଂ ୨ ଟ୍ବେଣ୍ଟି-୨୦ ମ୍ୟାଚ୍‌ ସାମିଲ ରହିଛି। ସେହିପରି ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ୍‌ ଘରୋଇ ଶୃଙ୍ଖଳା ୨୦୨୪ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଖେଳାଯିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତ ଗସ୍ତରେ ଆସି ବର୍ଡର-ଗାଭାସ୍କର ଟ୍ରଫି ଖେଳିବ। ଅବଶ୍ୟ ଏହା ପୂର୍ବ ଏଫ୍‌ଟିପି ଅନୁଯାୟୀ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ରହିବ। ହେଲେ ୨୦୨୪-୨୫ ଡିସେମ୍ବର-ଜାନୁଆରିରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୧୯୯୧-୯୨ ପରେ ପ୍ରଥମ ଥର ଲାଗି ୫ ଟେ‌ଷ୍ଟ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହି ଋତୁଚକ୍ର ଅବସରରେ ଭାରତ ମଧ୍ୟ ବାଂଲାଦେଶ ସହ ସେପ୍ଟେମ୍ବର ୨୦୨୪ରେ ୨ ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଆୟୋଜନ କରିବ। ପୁଣି ଭାରତୀୟ ଦଳ ୨୦୨୩ ଦିନିକିଆ ବିଶ୍ବକପ୍‌ (ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବର) ପୂର୍ବରୁ ୨୭ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପାଇବ। ଯାହାକି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରୁ ଆରମ୍ଭ ହେବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଶୃଙ୍ଖଳା ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୩ ମ୍ୟାଚ୍‌ ଶୃଙ୍ଖଳା ଖେଳିବାର ସୂଚୀ ରହିଛି। ଏହି ୫ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରତିବର୍ଷ ଭାରତ ଓ ଇଂଲଣ୍ଡ ସହ ସବୁ ଫର୍ମାଟ୍‌ରେ ଗୋଟିଏ ଶୃଙ୍ଖଳା ଖେଳିବ ବୋଲି ସୂଚୀରୁ ବାରି ହୋଇପଡ଼ିଛି। ଏପରିକି ଆଗାମୀ ଋତୁଚକ୍ରରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଭାରତ ଯଥାକ୍ରମେ ୨୨, ୨୧ ଓ ୨୦ ଟେ‌ଷ୍ଟ୍‌ ଖେଳିବେ। ଆଇସିସିର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ୍‌ ଆଗାମୀ ୫ ବର୍ଷ ମଧ୍ୟରେ ୩୨ ଟେଷ୍ଟ୍‌ ଖେଳିବାକୁ ଥିଲା ବେଳେ ଦକ୍ଷିଣ ଆଫ୍ରିକା ୨୯, ପାକିସ୍ତାନ ୨୭, ଶ୍ରୀଲଙ୍କା ଓ ୱେଷ୍ଟ୍‌ଇଣ୍ଡିଜ୍‌ ୨୫ ଲେଖାଏଁ ଟେଷ୍ଟ୍‌ ଖେଳିବାର ଏଫ୍‌ଟିପିରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର