ଟୋକିଓ : ଆଉ ଏକ ଚମତ୍କାର ବିଜୟ ସହ ଭାରତୀୟ ପୁରୁଷ ହକି ଦଳ ଚଳିତ ଟୋକିଓ ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିନେଇଛି। ପୁଲ୍-ଏ’ରେ ସ୍ଥାନ ପାଇଥିବା ଏହି ୮ ଥର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳ ଟୋକିଓରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ହେଲେ ଦ୍ବିତୀୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ୧-୭ ବ୍ୟବଧାନରେ ହାରିଯାଇ ସାମାନ୍ୟ ଆଶଙ୍କାରେ ପଡ଼ିଯାଇଥିଲା। କିନ୍ତୁ ଏହି ବଡ଼ ବ୍ୟବଧାନର ପରାଜୟରେ ଭାଙ୍ଗିନପଡ଼ି ମନ୍ପ୍ରୀତ୍ ସିଂହଙ୍କ ନେତୃତ୍ବାଧୀନ ଦଳ ପରବର୍ତୀ ଦୁଇଟି ମ୍ୟାଚ୍କୁ ଷ୍ଟାଇଲ୍ରେ ଜିତି ନେଇଛି। ତୃତୀୟ ମ୍ୟାଚ୍ରେ ସ୍ପେନ୍କୁ ୩-୦ରେ ହରାଇଥିବା ଭାରତ ଗୁରୁବାର ଚତୁର୍ଥ ମ୍ୟାଚ୍ରେ ରିଓ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନାକୁ ୩-୧ ଗୋଲ୍ରେ ପରାସ୍ତ କରିଦେଲା। ଫଳରେ ୪ ମ୍ୟାଚ୍ରୁ ତୃତୀୟ ବିଜୟ ସହ ଭାରତ ଶେଷ ପୁଲ୍ ମୁକାବିଲା ପୂର୍ବରୁ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛି। ଭାରତ ୪ ମ୍ୟାଚ୍ରୁ ୯ ପଏଣ୍ଟ ପାଇଁ ଅପରାଜେୟ ଅଷ୍ଟ୍ରେଲିଆ (୧୨ ପଏଣ୍ଟ୍) ପଛକୁ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଆସନ୍ତାକାଲି ଭାରତ ତା’ର ଶେଷ ଗ୍ରୁପ୍ ମ୍ୟାଚ୍ରେ ଜାପାନକୁ ଭେଟିବ। ଏହି ମ୍ୟାଚ୍ର ଫଳାଫଳ ଭାରତକୁ କୌଣସିମତେ ପ୍ରଭାବିତ କରିବାର ଆଶଙ୍କା ନଥିଲା ବେଳେ କେବଳ ବିଜୟ ମନୋବଳକୁ ବଢ଼ାଇପାରିବ। ଅନ୍ୟପକ୍ଷରେ ଏହି ଗ୍ରୁପ୍ରେ ଅବଶିଷ୍ଟ ଦୁଇଟି କ୍ବାର୍ଟର ଫାଇନାଲ୍ ସ୍ଥାନ ପାଇଁ ସ୍ପେନ୍, ନ୍ୟୁଜିଲାଣ୍ଡ୍ ଓ ଆର୍ଜେଣ୍ଟିନା ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ସମସ୍ତ ଦଳ ୪ ଲେଖାଏଁ ମ୍ୟାଚ୍ ଖେଳି ସାରିଥିଲା ବେଳେ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାକୁ ବାକି ରହିଛି। ସେଥିରେ ସ୍ପେନ୍, ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଗୋଟିଏ ଲେଖାଏଁ ବିଜୟ ସହ ସମାନ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି। ଜାପାନ ଏହି ଗ୍ରୁପ୍ର ଏକମାତ୍ର ଦଳ ଭାବେ ବିଜୟଶୂନ୍ୟ ରହିଛି।
ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଗୁରୁବାର ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ମ୍ୟାଚ୍ର ପ୍ରଥମ ଦୁଇ କ୍ବାର୍ଟର ତଥା ମଧ୍ୟାନ୍ତର ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ଉଭୟ ଦଳର ରକ୍ଷଣଭାଗ ଏହି ଅବଧି ମଧ୍ୟରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। କେହି କାହାରିକୁ ଗୋଲ୍ ଦେବାର ସୁଯୋଗ ବି ଦେଇନଥିଲେ। ତେବେ ତୃତୀୟ କ୍ବାର୍ଟରରେ ଭାରତ ଗୋଲ୍ ଖାତା ଖୋଲିଥିଲା। ୪୩ ମିନିଟ୍ରେ ବରୁଣ କୁମାର ପେନାଲ୍ଟି କର୍ନରରୁ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ। ଭାରତ ମଧ୍ୟ ଭିଡିଓ ରେଫରାଲ ପାଇଁ ଅନୁରୋଧ କରି ପେନାଲ୍ଟି କର୍ନର ପାଇଥିଲା। ଫଳରେ ତୃତୀୟ କ୍ବାର୍ଟର ୧-୦ରେ ଭାରତ ସପକ୍ଷରେ ରହିଥିଲା। ତେବେ ଚତୁର୍ଥ କ୍ବାର୍ଟରରେ ଆର୍ଜେଣ୍ଟିନା ଗୋଲ୍ଟି ଶୁଝି ସ୍ଥିତି ସମାନ କରିଦେଇଥିଲା। ୪୮ ମିନିଟ୍ରେ ମାଇକୋ କାସେଲା ମଧ୍ୟ ପେନାଲ୍ଟି କର୍ନରକୁ ଗୋଲ୍ରେ ରୂପାନ୍ତରିତ କରି ସ୍ଥିତି ୧-୧ କରିଦେଇଥିଲେ। ଏହାପରେ ଭାରତ ଆଉ ଆର୍ଜେଣ୍ଟିନାକୁ ସୁଯୋଗ ଦେଇନଥିଲା। ଶେଷ କ୍ବାର୍ଟରରେ ଆଉ ଦୁଇଟି ଗୋଲ୍ ଲଦିଦେଇ ଆର୍ଜେଣ୍ଟିନାକୁ ପରାଜୟ ପାଇଁ ବାଧ୍ୟ କରିଥିଲା। ୫୮ ମିନିଟ୍ରେ ଦିଲ୍ପ୍ରୀତ୍ ସିଂହ ବଲ୍କୁ ସର୍କଲ ମଧ୍ୟକୁ ପଠାଇଦେବା ମାତ୍ରେ ବିବେକ ସାଗର ପ୍ରସାଦ ଆକର୍ଷଣୀୟ ଢଙ୍ଗରେ ଷ୍ଟିକ୍ ସହ ବଲ୍ର ସଂଯୋଗ କରିଥିଲେ। ବଲ୍ ମଧ୍ୟ ଆର୍ଜେଣ୍ଟିନା ଗୋଲ୍ରକ୍ଷକ ଭିଭାଲ୍ଡିଙ୍କ ଷ୍ଟିକ୍ରେ ବାଜି ପୋଷ୍ଟ ମଧ୍ୟକୁ ଚାଲିଯାଇଥିଲା। ଏହି ଫିଲ୍ଡ ଗୋଲ୍ କରି ବିବେକ ସାଗର ଭାରତକୁ ୨-୧ର ଅଗ୍ରଣୀ ଦେବା ପରେ ୬୯ ମିନିଟ୍ରେ ହର୍ମନପ୍ରୀତ୍ ସିଂହ ପେନାଲ୍ଟି କର୍ନରରୁ ଗୋଲ୍ କରି ୩-୧ର ବିଜୟ ଭେଟିଦେଇଥିଲେ। ମ୍ୟାଚ୍ ଶେଷ କ୍ଷଣ ତଥା ଆଉ ଗୋଟିଏ ମିନିଟ୍ ବାକି ଥିଲା ବେଳେ ଭାରତକୁ ମିଳିଥିଲା ଅଷ୍ଟମ ପେନାଲ୍ଟି କର୍ନର। ଯାହାକୁ କି ହର୍ମନ୍ପ୍ରୀତ୍ ତାଙ୍କ ଚମତ୍କାର ଡ୍ରାଗ୍ ଫ୍ଲିକ୍ର ସଦୁପଯୋଗ କରି ଭାରତର ଗୋଲ୍ ବ୍ୟବଧାନ ବଢ଼ାଇଥିଲେ। ଏଥି ସହିତ ଭାରତ କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଥିଲା। ଭାରତଠୁ ହାରିଯାଇଥିବା ବିଜେତା ଆର୍ଜେଣ୍ଟିନାର କ୍ବାର୍ଟର ଫାଇନାଲ୍ ଆଶା ଏବେ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବ। ଏହି ମ୍ୟାଚ୍ର ବିଜେତା ନିଶ୍ଚିତ କ୍ବାର୍ଟର ଫାଇନାଲ୍କୁ ଉଠିବ।