ପୁରୁଷ ହକି କନିଷ୍ଠ ବିଶ୍ବକପ୍‌: କାନାଡ଼ାକୁ ହରାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ବର: ମଙ୍ଗଳବାର କ୍ବାଲିଫିକେସନ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭-୩ ଗୋଲ୍‌ରେ କାନାଡ଼ାକୁ ପରାସ୍ତ କରି ୯ରୁ ୧୨ତମ ସ୍ଥାନ ପାଇଁ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପକ୍ଷରେ କାନାଡ଼ା ୧୩ରୁ ୧୬ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ। ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ପରେ ଦ୍ବିତୀୟ କ୍ବାର୍ଟରରେ ଦକ୍ଷିଣ ଆଫ୍ରିକାର କାମେରନ ଲି’ଫୋରଷ୍ଟାୟର (୧୬ ମିନିଟ୍‌) ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ।

ଏହାପରେ ଇଦ୍ରେସ ଅବ୍‌ଦୁଲା (୨୬ ମିନିଟ୍‌) ଓ ‌ଗୁୟ ମୋର୍ଗାନ (୨୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ତୃତୀୟ କ୍ବାର୍ଟରରେ କାମେରନ୍‌ (୩୧, ୩୫ ମିନିଟ୍‌) ଦୁଇଟି ଗୋଲ୍‌ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଚତୁର୍ଥ କ୍ବାର୍ଟରରେ ମୋର୍ଗାନ (୪୮ ମିନିଟ୍‌) ଓ ଟ୍ରେଭର ଡି’ଲୋରା (୫୪ ମିନିଟ୍‌) ଦକ୍ଷିଣ ଆଫ୍ରିକା ପାଇଁ ଦୁଇଟି ଗୋଲ୍‌ ଦେଇଥିଲା ବେଳେ କାନାଡ଼ା ୩ ଗୋଲ୍‌ ଶୁଝି ଦେଇଥିଲା।

କାନାଡ଼ା ପକ୍ଷରୁ ଏହି ୩ ଗୋଲ୍‌ ଫ୍ଲାଇନ ମ୍ୟାକୁଲୋଚ (୫୦ ମିନିଟ୍‌), ଆଲେକ୍‌ଜାଣ୍ଡର ବାର୍ଡ (୫୮ ମିନିଟ୍‌) ଓ ଡେଭିଡ ସିନ୍‌ (୫୫ ମିନିଟ୍‌) ଦେଇଥିଲେ। ହ୍ୟାଟ୍ରିକ୍‌ ଅର୍ଜନ କରିଥିବା କାମେରନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହକି ପ୍ରଶିକ୍ଷିକା ଲୁସିଲା ଏକ୍କା ପ୍ରଦାନ କରିଥିଲେ। ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

ଶେଷ ମିନିଟ୍‌ ଗୋଲ୍‌ରେ ଜିତିଲା ପୋଲାଣ୍ଡ

ମଙ୍ଗଳବାର ତୃତୀୟ ମ୍ୟାଚ୍‌ରେ ପୋଲାଣ୍ଡ ଶେଷ ମିନିଟ୍ ଗୋଲ୍‌ ବଳରେ ବିଜୟୀ ହୋଇଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ପୋଲାଣ୍ଡ ୨-୧ ଗୋଲ୍‌ ବ୍ୟବଧାନରେ ଚିଲିକୁ ମାତ୍‌ ଦେଇଛି। ଏହି ବିଜୟ ସହ ପୋଲାଣ୍ଡ ୯ରୁ ୧୨ ସ୍ଥାନ ପାଇଁ ଏବଂ ପରାଜିତ ଚିଲି ୧୩ରୁ ୧୬ ସ୍ଥାନ ପାଇଁ ଖେଳିବ।

ନବମ ମିନିଟ୍‌ରେ ଚିଲିକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଡାନିଏଲ୍‌ ବେରୋଗି ଗୋଲ୍‌ରେ ପରିଣତ କରିଥିଲେ। ଏହି ଗୋଲ୍‌ ବଳରେ ଚିଲି ପ୍ରଥମ କ୍ବାର୍ଟର ୧-୦ରେ ଶେଷ କରିଥିଲା। ୨୨ତମ ମିନିଟ୍‌ରେ ପୋଲାଣ୍ଡ ପେନାଲ୍‌ଟି କର୍ଣ୍ଣର ମାଧ୍ୟମରେ ଏହି ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲା। ଏହି ଗୋଲ୍‌ଟିକୁ ଜୁଲିଆନ୍‌ ବ୍ଲାଜକିୱିଜ୍‌ ଦେଇଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ‌

ଚତୁର୍ଥ କ୍ବାର୍ଟର ଶେଷ ପର୍ଯ୍ୟନ୍ତ ମଧ୍ୟ କେହି କାହାରିକୁ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ତେବେ ମ୍ୟାଚ୍‌ ଆଉ ୫୫ ସେକେଣ୍ଡ ବାକି ଥିଲା ବେଳେ ପୋଲାଣ୍ଡ ଏକ ପେନାଲ୍‌ଟି କର୍ଣ୍ଣର ହାସଲ କରିଥିଲା। ଏହାକୁ ଗୋଲ୍‌ରେ ପରିଣତ କରି ତୋମାଜ ବେମବେନେକ (୬୦ ମିନିଟ୍‌) ପୋଲାଣ୍ଡକୁ ବିଜୟ ଭେଟି ଦେଇଥିଲେ। ବିଜୟ ସୂଚକ ଗୋଲ୍‌ କରିଥିବା ବେମବେନେକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କ‌ାର ମିଳିଥିଲା। କିଟ୍‌ ବିଶ୍ବବିଦ୍ୟାଳୟର ଉପକୁଳପତି ସସ୍ମିତା ସାମନ୍ତ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମ୍ୟାଚ୍‌ ଆରମ୍ଭରୁ ଅତିଥି ଥିଲେ।

ସମ୍ବନ୍ଧିତ ଖବର