ପୁରୁଷ ହକି କନିଷ୍ଠ ବିଶ୍ବକପ୍‌: ସେମି ଲକ୍ଷ୍ୟରେ ଭାରତ

କ୍ବାର୍ଟର ଫାଇନାଲ୍‌ରେ ଆଜି ‌ବେଲ୍‌ଜିୟମକୁ ଭେଟିବ

ଭୁବନେଶ୍ବର: ଗତଥରର ବିଜେତା ଭାରତ ବୁଧବାର ଚଳିତ ପୁରୁଷ ହକି କନିଷ୍ଠ ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ରେ ଉପବିଜତା ବେଲ୍‌ଜିୟମକୁ ଭେଟିବ। ପୁଲ୍‌ ‘ବି’ରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ ହାସଲ କରି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ବେଲ୍‌ଜିୟମ ୩ରୁ ୨ ବିଜୟ ଓ ଗୋଟିଏ ଅମୀମାଂସିତ ରଖି ଶୀର୍ଷ ଦଳ ଭାବେ ଏହି ଯୋଗ୍ୟତା ଅର୍ଜନ କରିଥିଲା। ଭାରତ ପୁଲ୍‌ରେ ଫ୍ରାନ୍ସଠୁ ୪-୫ ଗୋଲ୍‌ରେ ହାରିଥିଲା ବେଳେ ୧୩-୧ରେ କାନାଡ଼ାକୁ ଏବଂ ପୋଲାଣ୍ଡକୁ ୮-୨ ଗୋଲ୍‌ରେ ପରାସ୍ତ କରିଥିଲା। କିନ୍ତୁ ତୃତୀୟ ଥର ପାଇଁ ବିଶ୍ବକପ୍‌ ଜିତିବାକୁ ହେଲେ ଭାରତୀୟ ଖେଳାଳି ପୂରା ମନପ୍ରାଣ ଦେଇ ଖେଳିବାକୁ ପଡ଼ିବ। ୨୦୧୬ରେ ଲକ୍ଷ୍ନୌରେ ଖେଳାଯାଇଥିବା ଫାଇନାଲ୍‌ରେ ଭାରତ ୨-୧ ଗୋଲ୍‌ରେ ଏହି ୟୁରୋପୀୟ ଦଳକୁ ହରାଇ ଟ୍ରଫି ହାତେଇଥିଲା।

ଅନ୍ୟ ପକ୍ଷରେ ବେଲ୍‌ଜିୟମ କ୍ବାର୍ଟର ଫାଇନାଲ୍‌ରେ ଭାରତକୁ ହରାଇ ଗତ ଥରର ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ଲକ୍ଷ୍ୟରେ ରହିବ। ଫଳରେ ବୁଧବାରର ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବାର ଆଶା ଅଧିକ ରହିଛି। ପୂର୍ବ ପ୍ରଦର୍ଶନକୁ ଭୁଲି ବୁଧବାର ଯେଉଁ ଦଳ ଭଲ ଖେଳିବ ସେ ଆଗକୁ ବଢ଼ିବ। ଉତ୍ତମ ସିଂହ, ଅରଜିତ ସିଂହ ହୁଣ୍ଡାଲ ଓ ଓଡ଼ିଆ ତାରକା ସୁଦୀପ ଚିର୍ମାକୋଙ୍କୁ ନେଇ ଭାରତୀୟ ଅକ୍ରମଣ ଦୃଢ଼ ରହିବ। ଗତ ମ୍ୟାଚ୍‌ଗୁଡ଼ିକରେ ଉତ୍ତମ ଓ ମନିନ୍ଦର ପ୍ରତିପକ୍ଷ ସର୍କଲରେ ଏକାଧିକ ଥର ପ୍ରବେଶ କରି ନିଜର ଦକ୍ଷତା ଦେଖାଇ ସାରିଛନ୍ତି। ତେବେ ଆହତ ଯୋଗୁଁ ମନିନ୍ଦର ସଂହ ଦଳରୁ ବାଦ୍‌ ପଡ଼ିବା ଭାରତକୁ ବଡ଼ ଝଟ୍‌କା ଲାଗିଛି।

ମନିନ୍ଦରଙ୍କ ଅନୁପସ୍ଥିତିରେ ଦଳରେ ବବି ସିଂହ ଖେଳିବେ। ତଥାପି ଚଳିତ ବିଶ୍ବକପ୍‌ରେ ଦୁଇଟି ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ସଂଜୟ, ସର୍ଦାନନ୍ଦ ତିୱାରୀ ଓ ଅଭିଷେକ ଲାକ୍ରାଙ୍କ ଭଳି ପେନାଲ୍‌ଟି ସ୍ପେସାଲିଷ୍ଟ ରହିଛନ୍ତି। ଏମାନେ ସମସ୍ତେ ଚଳିତ ପ୍ରତିଯୋଗିତାରେ ଗୋଲ୍‌ କରିଛନ୍ତି। ସଞ୍ଜୟ ଫ୍ରାନ୍ସ ଓ କାନାଡ଼ା ବିପକ୍ଷରେ ଏବଂ ହୁଣ୍ଡାଲ ପୋଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରି ନିଜର ଚମତ୍କାରିତା ଦେଖାଇଛନ୍ତି। ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ଅଭିଜ୍ଞ ବିବେକ ସାଗର ପ୍ରସାଦଙ୍କ ନେତୃତ୍ବ ସାଙ୍ଗକୁ ଗ୍ରାହମ ରିଡ୍‌ଙ୍କ ପ୍ରଶିକ୍ଷଣ ଦଳର ମନୋବଳକୁ ଦୃଢ଼ କରୁଛି।

ତେବେ ବେଲ୍‌ଜିୟମ ଆକ୍ରମଣକୁ ଅଟକାଇବାକୁ ହେଲେ ଭାରତୀୟ ରକ୍ଷଣଭାଗକୁ ସଜାଗ ରହିବାକୁ ପଡ଼ିବ। ସଞ୍ଜୟ, ତିୱାରୀ, ଅଭିଷେକ ଓ ଯଶଦୀପ ଏଥିଲାଗି ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ବେଲଜିୟମ କେବେ କନିଷ୍ଠ ବିଶ୍ୱକପ ଜିତିନାହିଁ। ‌କିନ୍ତୁ ବରିଷ୍ଠ ଦଳ ବିଶ୍ବ ବିଜେତା। ତେଣୁ ଏହି ଦଳ ବରିଷ୍ଠଙ୍କ ସଫଳତାକୁ ପାଇବା ପାଇଁ ଚେଷ୍ଟା କରିବ। ହେଲେ ଏହି ଦଳ ପାଇଁ ଏହା ‌ଏତେ ସହଜ ହେବନି। ବରି‌ଷ୍ଠ ଦଳର ସଫଳତା ପାଇବା ଲକ୍ଷ୍ୟ ନେଇ ଏମାନେ ଚାପରେ ଖେଳିବେ। ବୁଧବାରର ଅନ୍ୟ କ୍ୱାର୍ଟର ଫାଇନାଲରେ ଜର୍ମାନି ଓ ସ୍ପେନ୍, ନେଦରଲ୍ୟାଣ୍ଡ୍ସ ଓ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ଓ ମାଲେସିଆ ମୁହାଁମୁହିଁ ହେବେ।

ଭାରତର ପ୍ରତିଆକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟା କରିବୁ: ବାର୍ଟ
ଆମେ ଏଥର ଭଲ ଆରମ୍ଭ କରିଛୁ। କେବଳ ମାଲେସିଆ ବିପକ୍ଷରେ ଟିକେ ସଂଘର୍ଷ କରିବାକୁ ପଡ଼ିଥିଲା। ତଥାପି ଏପର୍ଯ୍ୟନ୍ତ ଆମେ ଚମତ୍କାର ଖେଳିଆସିଛୁ। ଭାରତ ବିପକ୍ଷରେ ଖେଳିବାକୁ ଅପେକ୍ଷା କରିଛୁ। ଭାରତ ଘରୋଇ ପଡ଼ିଆରେ ଖେଳୁଥିବାରୁ ଦୃଢ଼ ରହିଛି। ଦର୍ଶକ ନଥିଲେ ମଧ୍ୟ ଭାରତ ଅନ୍ୟ ଦଳ ଉପରେ ଚାପ ପକାଇବାକୁ ସକ୍ଷମ। ଭ‌ାରତର ଖେଳ ଶୈଳୀ ଅଲଗା ପ୍ରକାର।

ତେଣୁ ମାଲେସିଆ ସହ ତାହାକୁ ତୁଳନା କରାଯାଇପାରିବ ନାହିଁ। ଭାରତ ପ୍ରତି ଆକ୍ରମଣକୁ ଭଲ ପାଏ। ଆମେ ଏହାକୁ ଅଟକାଇବାକୁ ଚେଷ୍ଟା କରିବୁ। ତେଣୁ ଆସନ୍ତାକାଲି ମ୍ୟାଚ୍‌ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଓ ଆକର୍ଷଣୀୟ ହେବ ବୋଲି ମ୍ୟାଚ୍‌ ପୂର୍ବ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ବେଲ୍‌ଜିୟମର ମୁଖ୍ୟ ପ୍ରଶିକ୍ଷକ ଜେରୋନ ବାର୍ଟ କହିଛନ୍ତି।

ବେଲଜିୟମର ଦୁର୍ବଳତାକୁ ଖୋଜିବାକୁ ହେବ: ରିଡ୍‌
କ୍ବାର୍ଟର ଫାଇନାଲ୍‌ରେ ୟୁରୋପୀୟ ଦେଶ ବେଲ୍‌ଜିୟମର ଦୋଷ ଦୁର୍ବଳତା ଖୋଜିବାକୁ ପଡ଼ିବ। ଗତ ଲକ୍ଷ୍ନୌ ବିଶ୍ବକପ୍‌ର ଫାଇନାଲ୍‌ରେ ସେମାନଙ୍କୁ ହରାଇଥିଲୁ। କିନ୍ତୁ ତାହା ସବୁବେଳେ ସମ୍ଭବ ହେବନି। କାରଣ ଗତ ୧୦ ବର୍ଷ ହେଲା ବେଲ୍‌ଜିୟମ ଶୀର୍ଷସ୍ତରୀୟ ପ୍ରଦର୍ଶନ କରୁଛି। ତେଣୁ ଆମକୁ ଆମର ସ୍ବାଭାବିକ ଖେଳ ‌ଖେଳିବାକୁ ପଡ଼ିବ। ଆମ ଯୁବକମାନଙ୍କ ପାଇଁ ଆସନ୍ତା କାଲି ହେଉଛି ପ୍ରକୃତ ପରୀକ୍ଷା। ଆଶା କରେ ସେମାନେ ନିଶ୍ଚିତ ଭଲକରିବେ। ତେବେ ଦୁଃଖର କଥା ମନିନ୍ଦର ସିଂହଙ୍କ ମାଂସପେଶୀ ଟାଣି ହେବାରୁ ସେ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ।

ଏହା ବଡ଼ ଝଟ୍‌କା। ତେବେ ତାଙ୍କ ସ୍ଥାନରେ ବବି ସିଂହଙ୍କୁ ସୁଯୋଗ ଦେବୁ। ସଞ୍ଜୟ, ଅରଜିତ ସିଂହ ହୁଣ୍ଡାଲ ଓ ସର୍ଦାନନ୍ଦ ତିୱାରୀ ଆଗାମୀ ଦିନରେ ଭଲ ଡ୍ରାଗ୍‌ ଫ୍ଲିକର ହୋଇ ବାହାରିବେ। ଯାହା ଭାରତ ପାଇଁ ଶୁଭ ସଙ୍କେତ ବୋଲି ମ୍ୟାଚ୍‌ ପୂର୍ବ ଭର୍ଚୁଆଲ ସମ୍ବାଦିକ ସମ୍ମିଳନୀରେ ଭାରତୀୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି।

ଇଜିପ୍ଟକୁ ସଡନ୍‌ଡେଥ୍‌ରେ ମାତ୍‌ ଦେଲା କୋରିଆ

ମଙ୍ଗଳବାର ଇଜିପ୍ଟ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଥିବା ମଙ୍ଗଳବାରର ଶେ‌ଷ କ୍ଲାସିଫିକେସନ୍‌ (୯ରୁ ୧୬ ସ୍ଥାନ ପାଇଁ) ମ୍ୟାଚ୍‌ ରୋମାଞ୍ଚକ ଭାବେ ଶେଷ ହୋଇଛି। ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୩-୩ରେ ଶେଷ ହେବାରୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ସୁଟ୍‌ଆଉଟ୍‌ରେ ମଧ୍ୟ ‌ସ୍ଥିତି ୩-୩ ରହିବାରୁ ମ୍ୟାଚ୍‌ ସଡନ୍‌ଡେଥ୍‌କୁ ଯାଇଥିଲା। ଏଥିରେ କୋରିଆ ବାଜି ମାରି ନେଇଥିଲା। ୬-୫ ସୁଟ୍‌ଆଉଟ୍‌ରେ ଇଜିପ୍ଟକୁ ମାତ୍‌ ଦେଇ ଦକ୍ଷିଣ କୋରିଆ ଗୁରୁବାର ୯ରୁ ୧୨ ସ୍ଥାନ ଲାଗି ଯୋଗ୍ୟତା ଅର୍ଜନ କରିଛି।

ଗୁରୁବାର ଏହି ସ୍ଥାନ ପାଇଁ ପୋଲାଣ୍ଡକୁ ଭେଟିବ କୋରିଆ। ଅନ୍ୟପକ୍ଷରେ ୧୩ରୁ ୧୬ ସ୍ଥାନ ପାଇଁ ଇଜିପ୍ଟ ଭେଟିବ ଚିଲିକୁ। ବିଜୟ‌ରେ ପ୍ରମୁଖ ଅବଦାନ ‌ଯୋଗୁଁ କୋରିଆ ଅଧିନାୟକ ମିନ୍‌ ବିଇ ସୁଙ୍ଗ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ମ୍ୟାଚ୍ ପୂର୍ବରୁ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି କମାଣ୍ଡାଣ୍ଟ ସୁଧିର କୁମାର ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର