ପୁରୁଷ ହକି କନିଷ୍ଠ ବିଶ୍ବକପ୍‌: ପାକିସ୍ତାନର କୀର୍ତ୍ତିମାନ

ଆମେରିକାକୁ ୧୮-୨ ଗୋଲ୍‌ରେ ହରାଇଲା

ଭୁବନେଶ୍ବର: କ୍ବାର୍ଟର ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିବା ପାକିସ୍ତାନ ତା’ର ଦମ୍‌ କ୍ଲାସିଫିକେସନ୍‌ ରାଉଣ୍ଡରେ ଦେଖାଇଛି। ମଙ୍ଗଳବାର ଦ୍ବିତୀୟ କ୍ଲାସିଫିକେସନ୍‌ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳି ଆମେରିକା ଉପରେ ଗୋଲ୍‌ ବର୍ଷା କରି ଦଳକୁ ୧୮-୨ରେ ବିଜୟ ଭେଟି ଦେଇଛନ୍ତି। ଏହି ୧୮ ଗୋଲ୍‌ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନର ଗୌରବ ଅର୍ଜନ କରିଛି। ଚଳିତ ବିଶ୍ବକପ୍‌ରେ ସ୍ପେନ୍‌ (୧୭ ଗୋଲ୍‌) ନାମରେ ପୂର୍ବରୁ ଏହି କୀର୍ତ୍ତିମାନ ରହିଥିଲା। ଆମେରିକା ବିପକ୍ଷ ପୁଲ୍‌ ମ୍ୟାଚ୍‌ରେ ସ୍ପେନ୍‌ ଏହି କୀର୍ତ୍ତିମାନ କରିଥିଲା।

ପାକିସ୍ତାନ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମଙ୍ଗଳବାର ମ୍ୟାଚ୍‌ ମଧ୍ୟ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନ ବହନ କରିଛି। ପୂର୍ବରୁ ସ୍ପେନ୍‌-ଆମେରିକା ଏବଂ ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ ମ୍ୟାଚ୍‌ରେ ୧୭ ଲେଖାଏଁ ଗୋଲ୍‌ ସ୍କୋର୍‌ ହୋଇଥିଲା। ମଙ୍ଗଳବାର ମ୍ୟାଚ୍‌ରେ ୪ ଗୋଲ୍‌ ଦେଇଥିବା ପାକିସ୍ତାନ ଅଧିନାୟକ ଅବ୍‌ଦୁଲ ରାଣାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ପ୍ରଦାନ କରିଥି‌ଲେ। ଏହି ମ୍ୟାଚ୍‌ ଆରମ୍ଭରେ ଅତିଥି ଥିଲେ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ରାଜୀବ ସେଠ। ଏହି ମ୍ୟାଚ୍‌ର ବିଜୟୀ ପାକିସ୍ତାନ ୯ରୁ ୧୨ ସ୍ଥାନ ପାଇଁ ଦକ୍ଷିଣ ଆଫ୍ରିକା ସହ ୨ ତାରିଖରେ ଖେଳିବ। ସେହିପରି ଆମେରିକା ୧୩ରୁ ୧୬ ସ୍ଥାନ ପାଇଁ ‌୨ ତାରିଖରେ କାନାଡ଼ାକୁ ଭେଟିବ।

ସମ୍ବନ୍ଧିତ ଖବର