ହକି ବିଶ୍ବକପ୍‌ : କଳିଙ୍ଗରେ ଭାରତର ଗୋଲ୍ ବର୍ଷା

ଦକ୍ଷିଣ ଆଫ୍ରିକା ୫-୦ରେ ପରାସ୍ତ

ଭୁବନେଶ୍ବର : ମଙ୍ଗଳବାର ରାତିରେ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ପଡ଼ିଆରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଦେଖି ଓଡ଼ିଶା ପ୍ରଶଂସକ ବିମୋହିତ ହୋଇଥିଲେ। ଦିନକ ପରେ ଏହି ପଡ଼ିଆର ପ୍ରାୟ ୩୦୦ ମିଟର ଦୂରରେ ଥିବା କଳିଙ୍ଗ ହକି କଂପ୍ଲେକ୍ସରେ ବି ଉଲ୍ଲସିତ ହେବାର ବଡ଼ ସୁଯୋଗ ପାଇଛନ୍ତି। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ‘୭୦ ମିନିଟ୍‌ ଖେଳ’ ପ୍ରେରଣାରେ ପ୍ରାଣ ଲଗାଇ ଦେଇଥିଲା ମନପ୍ରୀତ୍ ସିଂହଙ୍କ ଦଳ। ପୁଲ୍ ‘ସି’ର ଏହି ମ୍ୟାଚ୍‌ରେ ଘରୋଇ ଦଳ ୫-୦ ଗୋଲ୍‌ରେ ହରାଇ ଦେଲା ଦକ୍ଷିଣ ଆଫ୍ରିକାକୁ। ଏଥିସହିତ ସମ୍ପୂର୍ଣ୍ଣ ୩ ପଏଣ୍ଟ୍‌ ନେଇ ନୂଆ ଆଶା ଓ ସ୍ବପ୍ନରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା। ସେହିଭଳି ଆଫ୍ରିକୀୟ ମହାଦେଶ ବିଜେତା ଦକ୍ଷିଣ ଆଫ୍ରିକା ଉପରେ ଏସିଆର ବିଜୟ ବାନା ଉଡ଼ାଇ ଦେଇଥିଲା।

ଏହାପୂର୍ବରୁ ଖେଳା ଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ ବିଜୟୀ ହୋଇଥିଲା। କାନାଡାକୁ ୨-୧ରେ ହରାଇ ପ୍ରଥମ ଥର ବିଶ୍ବ ବିଜେତା ହେବାର ମୂଳଦୁଆ ପକାଇଥିଲା।

ମଙ୍ଗଳବାର ମ୍ୟାଚ୍‌ ଆରମ୍ଭରୁ ଭାରତ ଲୟରେ ଥିବାଭଳି ଲାଗୁ ନଥିଲେ ବି ମ୍ୟାଚ୍ ଗତିଶୀଳ ହେବା ମାତ୍ରେ ଚମତ୍କାର ଖେଳିଥିଲା। ଦଶମ ମିନିଟରେ ମନଦୀପ୍ ସିଂହଙ୍କ ପେନାଲଟି କର୍ନର ଗୋଲ୍ ଭାରତକୁ ଆତ୍ମବିଶ୍ବାସରେ ଭରି ଦେଇଥିଲା। ଭାରତକୁ ଦ୍ବିତୀୟ ଗୋଲ୍‌ ପାଇଁ ଅଧିକ ସମୟ ଲାଗି ନ ଥିଲା। ମାତ୍ର ୨ ମିନିଟ୍‌ ପରେ ଆକାଶଦୀପ ସିଂହଙ୍କ ଫିଲଡ ‌ଗୋଲ୍ ଭାରତକୁ ପ୍ରଥମ କ୍ବାର୍ଟରରେ ହିଁ ୨-୦ରେ ଆଗୁଆ କରି ଦେଇଥିଲା। ଏହିଠାରୁ ଭାରତ ଆଉ ପଛକୁ ଫେରି ଚାହିଁ ନ ଥିଲା। ଦ୍ବିତୀୟ କ୍ବାର୍ଟରରେ କିଛି ସୁଯୋଗ ହାତଛଡ଼ା କରିଥିଲେ ବି ‌ଗୋଲ୍‌ ବରଣର ବାଟ ଦେଖାଇନଥିଲା। ଏଥିସହିତ ଭାରତ ପ୍ରଥମାର୍ଧକୁ ୨-୦ରେ ଶେଷ କରିଥିଲା। ମ୍ୟାଚ୍‌ର ତୃତୀୟ କ୍ବାର୍ଟରରେ ଭାରତ ୨ ଗୋଲ୍‌ ଦେଇ କଳିଙ୍ଗ ଷ୍ଟାଡିୟମର ଉପସ୍ଥିତ ୧୫,୦୦୦ ପ୍ରଶଂସକଙ୍କ ଶୀତ ଛଡ଼ାଇ ଦେଇଥିଲା। ଅଭିଜ୍ଞ ମନଦୀପ୍ ସିଂହଙ୍କ ସୁନ୍ଦର ଡ୍ରିବଲ୍‌ ପରେ ସିମରନ୍‌ଜିତ୍ ସିଂହ ୪୩ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକାର ଦୁର୍ଗକୁ ଚମତ୍କାର ଭାବେ ଭେଦି ଯାଇଥିଲେ। ପ୍ରଥମ ଭଳି ତୃତୀୟ କ୍ବାର୍ଟରରେ ଭାରତ ୨ ମିନିଟ୍‌ରେ ୨ ଗୋଲ୍‌ ପାଇଥିଲା। ଏଥର ଗୋଲ ମୁହଁରେ ହୋଇଥିବା ମେଳିରୁ କୌଶଳକ୍ରମେ ଲଳିତ ଉପାଧ୍ୟାୟ (୪୫ ମିନିଟ) ଚତୁର୍ଥ ଗୋଲଟି ଦେଇଥିଲେ। ଶେଷ କ୍ବାର୍ଟର ପ୍ରଥମ ମିନିଟରେ ଭାରତ ନିଜର ପଞ୍ଚମ ପେନାଲଟି କର୍ନରକୁ ଗୋଲରେ ପରିଣତ କରି ୫-୦ରେ ବିଶ୍ବକପ୍ ଆରମ୍ଭର ନିଆରା ଅନୁଭବ ଆଣି ଦେଇଥିଲେ। ମ୍ୟାଚ୍‌ର ୪୬ତମ ମିନିଟରେ ବରୁଣ ଓ କୋଠାଜିତଙ୍କ ଡ୍ରିବଲ୍‌ରୁ ଆସିଥିବା ଏହି ଗୋଲଟିକୁ ମଧ୍ୟ ଦେଇଥିଲେ ସିମରନ୍‌ଜିତ୍ ସିଂହ।

ମ୍ୟାଚରେ ଯୁଗଳ ଗୋଲ୍‌ ସହିତ ସିମରନ୍‌ଜିତ୍ ସିଂହ ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଶ୍ବକପ୍‌ରେ ତାରକାରୁ କିମ୍ବଦନ୍ତୀ ପାଲଟିବାର ସୁଯୋଗ ହାତୋଉଥିବା ସିମରନ୍‌ଜିତଙ୍କୁ ୧୯୭୫ ବିଶ୍ବକପ୍ ବିଜୟୀ ଅଧିନାୟକ ଅଜିତ୍ ପାଲ୍ ସିଂହ ଏହି ପୁରସ୍କର ପ୍ରଦାନ କରିଥିଲେ। ଭାରତ ମୋଟ ୫ ପେନାଲ୍‌ଟି କର୍ନର ଅର୍ଜନ କରି ସେଥିରୁ ୨ଟିରେ ସଫଳ ହୋଇଥିଲା। ପ୍ରଥମ ଓ ଶେଷ ପେନାଲଟି କର୍ନରରୁ ହୋଇଥିବାବେଳେ ମଝି ତିନୋଟି ଫିଲଡ୍‌ ଗୋଲ୍‌ରୁ ଆସିଥିଲା। ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ପ୍ରାରମ୍ଭ ଏକାଦଶରେ ନଥିଲେ ମଧ୍ୟ ତୁରନ୍ତ ପ୍ରଥମ ୭ ମିନିଟ୍‌ ଭିତରେ କଳିଙ୍ଗ ଟର୍ଫରେ ଖେଳି ପ୍ରଶଂସକଙ୍କୁ ଉଲ୍ଲସିତ କରିବାର ଅନ୍ୟତମ କାରଣ ଥିଲେ। ଦକ୍ଷିଣ ଆଫ୍ରିକା ପାଇଥିବା ଏକାମାତ୍ର ପେନାଲ୍‌ଟି କର୍ନରକୁ ନିଷ୍ଫଳ କରାଇବାରେ ବୀରେନ୍ଦ୍ରଙ୍କ ବଡ଼ ଭୂମିକା ଥିଲା। କିନ୍ତୁ ଶେଷ କ୍ବାର୍ଟରରେ ଅମିତ ‌ରୋହିଦାସ ଡାଇଭ୍ ମାରିବା ପରେ ଆହତ ହୋଇ ପଡ଼ିଆ ଛାଡ଼ିବା ତାଙ୍କ ବିଶ୍ବକପ୍ ପଦାର୍ପଣକୁ ସ୍ମରଣୀୟ ଏବଂ ତିକ୍ତତାରେ ମିଶ୍ରିତ ରଖିଥିଲା।

ସମ୍ବନ୍ଧିତ ଖବର