ପୁରୁଷ କନିଷ୍ଠ ଏସିଆ କପ୍‌ ହକି: ଭାରତର ବିଜୟ ଜାରି

ସାଲାଲା (ଓମାନ): ଏଠାରେ ଚାଲିଥିବା ପୁରୁଷ କନିଷ୍ଠ ଏସିଆ କପ୍‌ ହକିରେ ଭାରତର ବିଜୟ ଧାରା ଜାରି ରହିଛି। ପୁଲ-ଏ’ରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେକୁ ବଡ଼ ବ୍ୟବଧାନରେ ହରାଇବା ପରେ ଗୁରୁବାର ଦ୍ବିତୀୟ ମ୍ୟାଚ୍‌ରେ ଜାପାନ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେ‌ଷ ହୋଇଥିଲା ବେଳେ ୧୯ତମ ମିନିଟ୍‌ରେ ଜାପାନର କୁମ୍ପେଇ ୟାସୁଦା ଫିଲ୍ଡ ଗୋଲ୍‌ ଦେଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ଥିବା ଭାରତ ୩୬ତମ ମିନିଟ୍‌ରେ ଅର୍ଜିତ ସିଂହ ହୁଣ୍ଡାଲଙ୍କ ଗୋଲ୍‌ରେ ସ୍ଥିତି ସମାନ କରିଥିଲା। ଏହାର ୩ ମିନିଟ୍‌ ପରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଶାରଦା ନନ୍ଦ ତିୱାରୀ ଗୋଲ୍‌ରେ ପରିଣତ କରି ଦଳକୁ ୨-୧ରେ ଅଗ୍ରଣୀ ଦେଇଥିଲେ। ୫୬ତମ ମିନିଟ୍‌ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ଉତ୍ତମ ସିଂହ ଗୋଲ୍‌ ଦେଇ ଭାରତକୁ ୩-୧ର ବିଜୟ ଭେଟି ଦେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ଶନିବାର ପାକିସ୍ତାନକୁ ଭେଟିବ।

ସମ୍ବନ୍ଧିତ ଖବର