ନ୍ୟୁଜିଲାଣ୍ଡ ବିପକ୍ଷରେ ପୁରୁଷ ଶୃଙ୍ଖଳା ଜିତିଲେ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ଶୃଙ୍ଖଳାକୁ ଭାରତ ୨-୦ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିବା ଭାରତୀୟ ଦଳ ଶନିବାରର ଦ୍ୱିତୀୟ ମୁକାବିଲାରେ ୩-୧ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଭାରତୀୟ ଖେଳାଳିମାନେ ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରୁ ନ୍ୟୁଜିଲାଣ୍ଡ ଉପରେ ପ୍ରବଳ ଚାପ ପକାଇବା ଆରମ୍ଭ କରି ଦେଇଥିଲେ। ହେଲେ ମିଳିଥିବା ଦୁଇଟି ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲେ।  ଦ୍ୱିତୀୟ କ୍ୱାର୍ଟରରେ ଭାରତ ନିଜ ଆକ୍ରମଣକୁ ଆହୁରି ତୀବ୍ର କରିଥିଲା। ଅଷ୍ଟାଦଶ ମିନିଟରେ ଘରୋଇ ଦଳ ଲଗାତାର ତିନିଟି ପେନାଲ୍ଟି କର୍ନର ଅର୍ଜନ କରିଥିଲା। ରୂପିନ୍ଦର ପାଲ ସିଂହ ତୃତୀୟ ପ୍ରୟାସରେ ସଫଳ ହେବା ସହ ଭାରତ ୧-୦ରେ ଆଗୁଆ ହୋଇ ଯାଇଥିଲା। ୬ ମିନିଟ୍‌ ପରେ ଅର୍ଥାତ୍‌ ୨୪ ମିନିଟରେ ନ୍ୟୁଜିଲାଣ୍ଡ ଷ୍ଟିଫେନ ଜେନେସଙ୍କ ଗୋଲ୍‌ ମାଧ୍ୟମରେ ଏହାକୁ ଶୁଝି ଦେଇଥିଲା। ତେବେ ଏସ୍‌ ଭି ସୁନୀଲଙ୍କ ଚତୁର ଫିଲ୍ଡ ଗୋଲ୍‌ ବଳରେ ୨୭ ମିନିଟ୍‌ରେ ଭାରତ ପୁଣି ଥରେ ୨-୧ରେ ଆଗୁଆ ହୋଇ ଯାଇଥିଲା। ତୃତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ରକ୍ଷଣଭାଗ ଭାରତୀୟ ଆଗ୍ରଭାଗ ଖେଳାଳିଙ୍କୁ ହାତ ଖୋଲା ଖେଳ ଖେଳିବାକୁ ଦେଇ ନଥିଲେ। ତେଣୁ ଏହି କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିବା ସହ ପ୍ରଥମ ୪୫ ମିନିଟ୍‌ର ଖେଳରେ ଭାରତ ୨-୧ରେ ଆଗୁଆ ରହିଥିଲା। ନିର୍ଣ୍ଣାୟକ ଚତୁର୍ଥ କ୍ୱାର୍ଟରରେ କିନ୍ତୁ ଭାରତ ଆଉ ଏକ ଗୋଲ୍‌ ଦେଇ ବିଜୟ ବ୍ୟବଧାନକୁ ୩-୧ କରି ନେଇଥିଲା। ଖେଳ ଶେଷ ହେବାର ୪ ମିନିଟ୍‌ ପୂର୍ବରୁ ମନଦୀପ ସିଂହ ଏହି ଗୋଲ୍‌ଟିକୁ ଦେଇଥିଲେ।

ସମ୍ବନ୍ଧିତ ଖବର