ମେଲବର୍ଣ୍ଣ : ରବିବାର ମେଲବର୍ଣ୍ଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍ର ହାଇ ଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ସାରା ବିଶ୍ବ ନଜର ରଖିଥିଲା ବେଳେ କ୍ରିକେଟ୍ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ଉଭୟ ଦଳ ଦୁଇ ଦିନ ଆଗରୁ ଏଠାରେ ପହଞ୍ଚି ଅଭ୍ୟାସ କରିଥିଲା ବେଳେ ସୁପର ସନ୍ଡେର ମହାମୁକାବିଲା ପାଇଁ ଉଭୟ ପ୍ରସ୍ତୁତ ଅଛନ୍ତି। ହେଲେ ମେଲବର୍ଣ୍ଣର ପାଣିପାଗ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି। ରବିବାର ୮୦ରୁ ୯୦ ପ୍ରତିଶତ ବର୍ଷା ସମ୍ଭାବନା ଥିବାରୁ ମ୍ୟାଚ୍ ପ୍ରଭାବିତ ହୋଇପାରେ। ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବାରୁ ରବିବାର ପାଗ ଏଭଳି ରହିପାରେ। ଏପରିକି ମ୍ୟାଚ୍ ବାତିଲ୍ ହେବା ଆଶଙ୍କା ମଧ୍ୟ କରାଯାଉଛି।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ରେ ପାକିସ୍ତାନକୁ ହରାଇ ପ୍ରଥମ ଥର ବିଶ୍ବବିଜେତା ହୋଇଥିଲା। କିନ୍ତୁ ୧୫ ବର୍ଷ ହେଲାଣି ଏହି ସ୍ବାଦ ଭାରତ ଚାଖିନି। କେବଳ ଏତିକି ନୁହେଁ, ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ମଧ୍ୟ ଗତ ବିଶ୍ବକପ୍ରେ ଭାଙ୍ଗିଥିଲା। ଦୁବାଇରେ ପରାଜୟ ଯୋଗୁ ଭାରତୀୟ ଖେଳାଳି ଘାଇଲା ଥିବା ବେଳେ ମେଲବର୍ଣ୍ଣରେ ତାହାର ପ୍ରତିଶୋଧ ନେବାକୁ ଆଗ୍ରହୀ। ପ୍ରଥମ କରି ସାହିନ୍ ଆଫ୍ରିଦିଙ୍କୁ ଭାରତୀୟ ବ୍ୟାଟର ସାମ୍ନା କରିପାରିନଥିଲେ, ହେଲେ ଏବେ ସମସ୍ତେ ଏଭଳି ବୋଲିଂ ସହ ଅଭ୍ୟସ୍ତ ହେଲେଣି। ତଥାପି ଭାରତୀୟ ବ୍ୟାଟିଂ କ୍ରମ ଏବେ ବି ପ୍ରଶ୍ନ ଘେରରେ ରହିଛି। କାରଣ ୨୦୧୯ ଦିନିକିଆ ବିଶ୍ବକପ୍ରେ ଭାରତର ଚତୁର୍ଥ ସ୍ଥାନର ଖେଳାଳି କେହି ନଥିବା ବେଳେ ଗତ ଏକ ବର୍ଷ ଧରି ଦଳର ସ୍ଥାୟୀ ବ୍ୟାଟିଂ କ୍ରମ ନିର୍ଧାରିତ ହୋଇପାରୁନି। ତଥାପି ରବିବାର ରୋହିତଙ୍କ ସହ କେଏଲ୍ ରାହୁଲ, କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ଏକ ପ୍ରକାର ନିଶ୍ଚିତ।
ସେହିପରି ୱିକେଟ୍ ରକ୍ଷକ ବ୍ୟାଟର୍ଙ୍କ ମଧ୍ୟରେ ପନ୍ତ୍ଙ୍କଠୁ କାର୍ତ୍ତିକ ଅଧିକ ପସନ୍ଦ ରହିବେ। ଏହାସତ୍ତ୍ବେ ପନ୍ତ୍ ଏକମାତ୍ର ବାମହାତୀ ବ୍ୟାଟର୍ ହୋଇଥିବାରୁ ଦଳୀୟ ସନ୍ତୁଳନ ପାଇଁ ତାଙ୍କ ନାମକୁ ଏଡ଼ାଇ ହେବନି। ସ୍ପିନରଙ୍କ ମଧ୍ୟରେ ଯଦିଓ ଅକ୍ଷର ପଟେଲ ଏବେ ଚମତ୍କାର ଲୟରେ ଅଛନ୍ତି, କିନ୍ତୁ ପାକିସ୍ତାନର ତିନି ବାମହାତୀ ବ୍ୟାଟର ଫକର ଜମନ, ମହମ୍ମଦ ନୱାଜ ଓ ଖୁସ୍ଦିଲ ଶାହଙ୍କୁ ଅଟକାଇବା ପାଇଁ ଅଭିଜ୍ଞ ରବିଚନ୍ଦ୍ରନ୍ ଅଶ୍ବିନୀ ଅନ୍ୟତମ ବିକଳ୍ପ ରହିବେ। ଅଷ୍ଟ୍ରେଲିଆର ବଡ଼ ପଡ଼ିଆରେ ପ୍ରଥମ ପସନ୍ଦ ସ୍ପିନର ଭାବେ ଚହଲ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବେ। ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଙ୍କ ନେତୃତ୍ବରେ ଯୁବ ଅର୍ଶଦୀପ ଓ ଭୁବନେଶ୍ବର ଖେଳିବା ନିଶ୍ଚିତ।
ଭାରତୀୟ ଡାହାଣହାତୀ ବ୍ୟାଟର୍ଙ୍କୁ ଆଫ୍ରିଦି, ନସିମ୍ ଓ ହାରିସ୍ଙ୍କୁ ସାମ୍ନା କରିବାକୁ ପଡ଼ିବ। ସମସ୍ତଙ୍କ ଭିତରେ ସୂର୍ଯ୍ୟକୁମାର ଯାଦବଙ୍କ ପାଖରେ ଆଫ୍ରିଦିଙ୍କୁ ମୁକାବିଲା କରିବା ଭଳି ଦକ୍ଷତା ରହିଛି। ମଧ୍ୟକ୍ରମରେ କାର୍ତ୍ତିକ ଓ ପାଣ୍ଡ୍ୟା ଶକ୍ତ ପ୍ରହାର କରିବାରେ ଧୂରନ୍ଧର। ସେହିପରି ବୁମ୍ରା ଓ ଜାଦେଜାଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତୀୟ ବୋଲିଂ କ୍ରମ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି। ଏଥିସହ ମେଲବର୍ଣ୍ଣର ପଡ଼ିଆ ଆକାର ସ୍ପିନରଙ୍କ ପାଇଁ ବରଦାନ ହୋଇପାରେ। ତେଣୁ ଓଦା ପଡ଼ିଆ ଓ କୋହଲା ପାଗ ମଧ୍ୟରେ ରୋହିତ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିବେ। ଅନ୍ୟପକ୍ଷରେ ପାକିସ୍ତାନ ପରାଜୟ ଧାରା ଭାଙ୍ଗି ବିଜୟ ଅଭିଯାନକୁ ଫେରିଥିବାରୁ ବାବର ଆଜମ୍ ରବିବାର ମଧ୍ୟ ଜିତିବାକୁ ସବୁପ୍ରକାର ଉଦ୍ୟମ କରିବେ। ଯଦିଓ ପାକିସ୍ଥାନର ପ୍ରାରମ୍ଭିକ ଯୋଡ଼ି ଚିନ୍ତାଜନକ ରହିଛି, ତଥାପି ରିଜୱାନ୍ଙ୍କ ଉପରେ ଦଳ ଅଧିକ ଭରସା ରଖୁଛି।