ଟି-୨୦ ପୁରୁଷ ବିଶ୍ବକପ୍: ଭାରତ-ପାକ୍ ଲଢ଼େଇ ୨୩ରେ
ମୋଟ ୧୨ ଦଳ: ଦୁଇଟି ଗ୍ରୁପ୍ ାଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍ ଉଦ୍ଘାଟନୀ ମୁକାବିଲା
ଦୁବାଇ: ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖରୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ଟି-୨୦ ପୁରୁଷ ବିଶ୍ବକପ୍। ଏହି ବିଶ୍ବକପ୍ର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ଅକ୍ଟୋବର ୨୩ ତାରିଖରେ ହେବ। ଏଥିରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ସାରା ବିଶ୍ବର ନଜର ରହିଥିବା ଏହି ମୁକାବିଲାକୁ ମେଲ୍ବର୍ଣ୍ଣ ଆୟୋଜନ କରିବ। ଐତିହାସିକ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ ଏହି ମ୍ୟାଚ୍ର ମୁକସାକ୍ଷୀ ରହିବ। ବିଶ୍ବକପ୍ ତଥା ଆଇସିସିର କୌଣସି ପ୍ରତିଯୋଗିତାରେ ପାକିସ୍ତାନ ସବୁବେଳେ ଭାରତଠାରୁ ପରାସ୍ତ ହେଉଥିଲା। କିନ୍ତୁ ଭାରତ ବିପକ୍ଷରେ ପ୍ରଥମ ଥର ପାଇଁ ପାକିସ୍ତାନ ଗତବର୍ଷ ୟୁଏଇରେ ଆୟୋଜିତ ଟି-୨୦ ବିଶ୍ବକପ୍ରେ ବିଜୟ ହାସଲ କରିଥିଲା। ଆଇସିସି ପ୍ରତିଯୋଗିତାରେ ଏହା ମଧ୍ୟ ଭାରତ ବିପକ୍ଷରେ ପାକିସ୍ତାନର ଏକମାତ୍ର ବିଜୟ ରହିଛି। ପାକିସ୍ତାନକୁ ଭେଟିବା ପରେ ଭାରତ ଅକ୍ଟୋବର ୨୭ରେ ଯୋଗ୍ୟତାପର୍ଯ୍ୟାୟ ଦଳ ସହ ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ଥିଲା ବେଳେ ୩୦ ତାରିଖ ଯୁଗଳ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା ପର୍ଥରେ ଲଢ଼ିବେ।
ଶୁକ୍ରବାର ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ଏହି ବିଶ୍ବକପ୍ ପାଇଁ ଗ୍ରୁପ୍ ଏବଂ ସୂଚୀ ଘୋଷଣା କରିଛି। ଏଥିରେ ମୋଟ ୧୨ ଦଳ ମୁଖ୍ୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ମଧ୍ୟରୁ ୮ ଦଳ ଆଇସିସି ମାନ୍ୟତା ଅନୁଯାୟୀ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିଲା ବେଳେ ଅନ୍ୟ ୪ ଦଳ ଯୋଗ୍ୟତାପର୍ଯ୍ୟାୟ ତଥା ପ୍ରଥମ ରାଉଣ୍ଡ୍ ଖେଳି ଆସିବେ। ଅକ୍ଟୋବର ୧୬ରୁ ପ୍ରଥମ ରାଉଣ୍ଡ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ। ଏହାପରେ ୨୨ ତାରିଖରୁ ସୁପର-୧୨ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଦଳକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍ରେ ୬ ଲେଖାଏଁ ଦଳ ସାମିଲ ଥିଲା ବେଳେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଏସୀୟ ଶକ୍ତି ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସାମିଲ ହୋଇଛନ୍ତି। ଏମାନଙ୍କ ସହିତ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ପ୍ରଥମ ରାଉଣ୍ଡ୍ର ଗ୍ରୁପ୍-ଏ ଉପବିଜେତା ଓ ଗ୍ରୁପ୍-ବି ବିଜେତା ଦଳ ସାମିଲ ରହିଛନ୍ତି। ଗ୍ରୁପ୍-୧ରେ ବିଜେତା ଅଷ୍ଟ୍ରେଲିଆ ସାଙ୍ଗକୁ ଉପବିଜେତା ନ୍ୟୁଜିଲାଣ୍ଡ୍, ଇଂଲଣ୍ଡ, ଆଫ୍ଗାନିସ୍ତାନ ଏବଂ ପ୍ରଥମ ରାଉଣ୍ଡ୍ର ଗ୍ରୁପ୍-ଏ ବିଜେତା ଓ ଗ୍ରୁପ୍-ବି ଉପବିଜେତା ରହିଛନ୍ତି।
ଅକ୍ଟୋବର ୨୨ ତାରିଖରେ ଗତ ସଂସ୍କରଣର ବିଜେତା ଅଷ୍ଟ୍ରେଲିଆ ଓ ଉପବିଜେତା ନ୍ୟୁଜିଲାଣ୍ଡ୍ ଲଢ଼େଇରୁ ହିଁ ବିଶ୍ବକପ୍ ଉଦ୍ଘାଟନ ହେବ। ଉଦ୍ଘାଟନୀ ମ୍ୟାଚ୍ ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିଲା ବେଳେ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୩ ତାରିଖରେ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇ ବିଶ୍ବକପ୍ର ପରିସମାପ୍ତି ଘଟିବ। ସେମିଫାଇନାଲ୍ ନଭେମ୍ବର ୯ ଓ ୧୦ ତାରିଖରେ ସିଡ୍ନି ଏବଂ ଆଡିଲେଡ୍ରେ ଖେଳାଯିବ। ଆଡିଲେଡ୍ ମଧ୍ୟ ପ୍ରଥମ ଥର ପାଇଁ ବିଶ୍ବକପ୍ ସେମିଫାଇନାଲ୍ ମ୍ୟାଚ୍ ଆୟୋଜନ କରିବ।
ସୂଚନାଯୋଗ୍ୟ ଏହି ବିଶ୍ବକପ୍ ବାସ୍ତବରେ ୨୦୨୦ରେ ଅଷ୍ଟ୍ରେଲିଆ ଆୟୋଜନ କରିବାର ଥିଲା। ହେଲେ କରୋନା ମହାମାରୀ ପାଇଁ ସ୍ଥଗିତ ରହିଥିଲା। ତେଣୁ ପରବର୍ତୀ ବିଶ୍ବକପ୍ ଆୟୋଜନ ପାଇଁ ଭାରତ ସହ ଅଷ୍ଟ୍ରେଲିଆ ଅଦଳବଦଳ କରିଥିଲା। ଯାହା ଫଳରେ ୨୦୨୧ ସଂସ୍କରଣକୁ ଭାରତ ଏବଂ ୨୦୨୨ ସଂସ୍କରଣକୁ ଅଷ୍ଟ୍ରେଲିଆ ଆୟୋଜନ କରିବା ପାଇଁ ଉଭୟ ବିସିସିଆଇ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ସହମତି ହୋଇଥିଲା।