ଖେଳାଳିଙ୍କ ମାନସିକ ସ୍ଥିତିକୁ ଅବହେଳା କରିବା ଉଚିତ ନୁହେଁ: କୋହଲି

ମୁମ୍ବାଇ : ଭାରତୀୟ ଦଳ ଇଂଲଣ୍ଡ ଗସ୍ତ ପୂର୍ବରୁ ଅଧିନାୟକ ବିରାଟ କୋହଲି ଖେଳାଳିମାନଙ୍କ ମାନସିକ ଅବସ୍ଥାକୁ ଅବହେ‌ଳା କରାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି। କୋଭିଡ୍ ମହାମାରୀ ପାଇଁ କ୍ରିକେଟର୍‌ମାନେ ବି ନୂଆ ପରିସ୍ଥିତି ଦେଇ ଗତି କରୁଛନ୍ତି। ବର୍ଷ ସାରା ଜୈବ ବଳୟରେ ରହି ଖେଳିବା ସହଜ ନୁହଁ। କେବଳ ଖେଳର ବୋଝ ନୁହେଁ ମାନସିକ ସ୍ବାସ୍ଥ୍ୟ ବି ଗୁରୁତ୍ବପୂର୍ଣ୍ଣ। ଲମ୍ବା ସମୟ ପାଇଁ ଖେଳାଳିମାନେ ନିଜକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା କଷ୍ଟକର। ଜୈବ ବଳୟ ଭିତରେ ଆବଦ୍ଧ ରହିବା ଖେଳାଳିଙ୍କ ମାନସିକ ଅବସ୍ଥାକୁ ପ୍ରଭାବିତ କରୁଛି। ସେହି ଦୃଷ୍ଟିରୁ ବିସିସିଆର ଦ୍ବାରା ପ୍ରସ୍ତୁତ ଦୁଇଟି ଦଳ ସୂତ୍ର ନିଶ୍ଚିତ ଭାବେ ଭବିଷ୍ୟତରେ ସାଧାରଣ କଥା ହୋଇଯିବ ବୋଲି କୋହଲି ଆଶା ପ୍ରକଟ କରିଛନ୍ତି। କେବଳ ‌ରୁମ୍‌ରୁ ବାହାରି ଅଭ୍ୟାସ କରିବା ଏବଂ ପୁଣି ରୁମ୍‌କୁ ଫେରିବା ଆମକୁ ଭିନ୍ନ ଦୁନିଆକୁ ନେଉଛି। କ୍ରିକେଟ୍‌ଠାରୁ ବିଛିନ୍ନ ହୋଇ କିଛି ସମୟ ବିତାଇଲେ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି କୋହଲି କହିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଖେଳିବାକୁ ଥିବା ୬ ଟେଷ୍ଟ୍‌ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଶେଷ ହେବ। ଏହା ମଧ୍ୟରେ ଭାରତୀୟ ସୀମିତ ଓଭର ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଥି ପାଇଁ ଆଉ ଏକ ଦଳ ଚୟନ କରାଯିବ, ଯାହା ନେତୃତ୍ବ ଶିଖର ଧାୱନ କି ହାର୍ଦିକ ପାଣ୍ଡ୍ୟା ନେବାର ସମ୍ଭାବନା ରହିଛି।

କୋହଲି ମଧ୍ୟ ଖେଳାଳିମାନଙ୍କୁ ମାନିସିକ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଅବସାଦ ଆସିଲେ ଖୋଲି କହିବାକୁ ଆହ୍ବାନ କରିଛନ୍ତି। ଏହା ବର୍ତମାନ ପରିସ୍ଥିତିରେ ବଡ଼ ପ୍ରସଙ୍ଗ ହୋଇଥିବାରୁ ମ୍ୟାନେଜମେଣ୍ଟ୍‌ ମଧ୍ୟ ଏହାକୁ ବୁଝିବା ଆବଶ୍ୟକ ବୋଲି କୋହଲି ପ୍ରକାଶ କରିଛନ୍ତି। କୋହଲିଙ୍କ ସହ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ସମାନ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତା ଫାଇନାଲକୁ ଛାଡ଼ିଦେଲେ ଆମକୁ ୬ ସପ୍ତାହ ମଧ୍ୟରେ ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ୍ ଖେଳିବାକୁ ପଡ଼ିବ ବୋଲି ଶାସ୍ତ୍ରୀ କହିଥିଲେ। ବିରାଟ ଯେଉଁ କଥା କହିଲେ ଏହା ଥଟ୍ଟା ନୁହେଁ। ପ୍ରତ୍ୟେକ ଦିନ ଗୋଟିଏ କଥା କହିବା ‘ଯାଅ ଓ ପ୍ରଦର୍ଶନ ଦିଅ’, ଏହାକୁ କାମରେ ପରିଣତ କରିବା ଏତେ ସହଜ ନୁହେଁ। ମାନସିକ ସ୍ଥିତିରେ ଭରଣା କରିବାକୁ ବି ସମୟ ଲାଗିଥାଏ। ‌ତେଣୁ ଦୀର୍ଘମିଆଦି ଭାବେ ଭବି‌ଷ୍ୟତରେ ନିଶ୍ଚିତ ସମାନ ସମୟରେ ଦୁଇଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବା ସମ୍ଭାବନା ଉଜ୍ବଳ ବୋଲି ଶାସ୍ତ୍ରୀ କହିଥିଲେ। ଟ୍ବେଣ୍ଡି-୨୦ କ୍ରିକେଟ୍ ବଢ଼ୁଥିବାରୁ ଏବଂ ଆମ ନିକଟରେ ଏତେ ଖେଳାଳି ଥିବାରୁ ଭବିଷ୍ୟତରେ ନିଶ୍ଚିତ ଏହା ବିଶ୍ବବ୍ୟାପୀ ପ୍ରସାରିତ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର