ମରେଙ୍କ କଷ୍ଟସାଧ୍ୟ ବିଜୟ: କ୍ବିତୋଭା, କର୍ବର ବିଦା

ମେଲ୍‌ବର୍ଣ୍ଣ: ଦୁଇଥରର ୱିମ୍ବଲଡନ୍‌ ବିଜୟିନୀ ପେଟ୍ରା କ୍ବିତୋଭା, ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଆଞ୍ଜେଲିକ୍‌ କର୍ବର ଏବଂ ୟୁଏସ୍‌ ଓପନ୍‌ ଫାଇନାଲିଷ୍ଟ ଲିଲା ଫର୍ଣ୍ଣାଣ୍ଡିଜ୍‌ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟେନିସ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ତେବେ ଅନ୍ୟ ମହିଳା ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା, ତୃତୀୟ ମାନ୍ୟତାପ୍ରାପ୍ତ ଗାର୍ବିନେ ମୁଗୁରୁଜା, ଆନେଟ କୋଣ୍ଟାଭିଟ୍‌ (ଷଷ୍ଠ), ଈଗା ସ୍ବିତେକ (ସପ୍ତମ), ପୂର୍ବତନ ଏକ ନମ୍ବର ସିମୋନା ହାଲେପ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ବିଂଶ ମାନ୍ୟତାପ୍ରାପ୍ତ ତଥା ୨୦୧୯ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲିଷ୍ଟ୍‌ କ୍ବିତୋଭା ୨-୬, ୨-୬ ସେଟ୍‌ରେ ରୋମାନିଆ ଭେଟେରାନ ସୋରାନା କ୍ରିଷ୍ଟିଆଙ୍କଠୁ, ଜର୍ମାନିର କର୍ବର ୪-୬, ୩-୬ ସେଟ୍‌ରେ ଇସ୍ତୋନିଆର କାଇଆ କାନେପିଙ୍କଠୁ, ଆମେରିକାର ଫର୍ଣ୍ଣାଣ୍ଡିଜ୍‌ ୬-୪, ୬-୨ରେ ସ୍ଥାନୀୟ ୱାଇଲ୍ଡ କାର୍ଡଧାରୀ ମାଡିସନ ଇଙ୍ଗଲିସଙ୍କଠୁ ହାରି ଯାଇଥିଲେ। ବେଲାରୁଷର ସାବଲେଙ୍କା ୫-୭, ୬-୩, ୬-୨ ସେଟ୍‌ରେ ସ୍ଥାନୀୟ ଖେଳାଳି ଷ୍ଟ୍ରମ ସାଣ୍ଡର୍ସଙ୍କୁ, ସ୍ପେନ୍‌ର ମୁଗୁରୁଜା ୬-୩, ୬-୪ ସେଟ୍‌ରେ ‌ଫ୍ରାନ୍ସର କ୍ଲାରା ବୁରେଲଙ୍କୁ, ଇସ୍ତୋନିଆର କୋଣ୍ଟାଭିଟ୍‌ ୬-୨, ୬-୩ ସେଟ୍‌ରେ କାଟେରିନା ସିନିକୋଭାଙ୍କୁ, ପୋଲାଣ୍ଡର ସ୍ବିତେକ ୬-୩, ୬-୦ ସେଟ୍‌ରେ ଇଂଲଣ୍ଡର ହାରିଏଟ୍‌ ଡାର୍ଟଙ୍କୁ, ରୋମାନିଆର ହାଲେପ ୬-୪, ୬-୩ ସେଟ୍‌ରେ ପୋଲାର୍ଡର ମାଗଡାଲେନା ଫ୍ରେଚ୍‌ଙ୍କୁ ପରାସ୍ତ କରିଥିଲେ। ଦଶମ ମାନ୍ୟତାପ୍ରାପ୍ତ ଆନାସ୍ତେସିଆ ପାଭ୍ଲ୍ୟୁଚେଙ୍କୋଭା ଓ ଦ୍ବାଦଶ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା ଓ ପୂର୍ବତନ ୟୁଏସ୍‌ ଓପନ୍‌ ବିଜୟିନୀ ‌ସାମ ଷ୍ଟୋସୁର ନିଜ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପୁରୁଷ ଏକକରେ ପୂର୍ବତନ ଏକ ନମ୍ବର ଆଣ୍ଡି ମରେ କଷ୍ଟସାଧ୍ୟ ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଏଠାରେ ପାଞ୍ଚ ଥରର ଫାଇନାଲିଷ୍ଟ୍‌ ଇଂଲଣ୍ଡ ତାରକା ମରେ ୬-୧, ୩-୬, ୬-୪, ୬-୭, ୬-୪ ସେଟ୍‌ରେ ଜର୍ଜିଆର ନିକୋଲୋଗ ବାସିଲାସଭିଲିଙ୍କୁ ମାତ୍‌ ଦେଇ ପାଞ୍ଚବର୍ଷ ପରେ ପ୍ରଥମ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିଲେ। ରୁଷିଆର ଦୁଇ ତାରକା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦ୍‌ଭେଦେଭ ଓ ପଞ୍ଚମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବ୍‌ଲେଭ ସହଜରେ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ନୋଭାକ ଜୋକୋଭିକ୍‌ଙ୍କ ଅନୁପସ୍ଥିତିରେ ମେଲ୍‌ବର୍ଣ୍ଣ ପାର୍କରେ ଟ୍ରଫିର ପ୍ରମୁଖ ଦାବିଦାର ୟୁଏସ୍‌ ଓପନ୍‌ ବିଜେତା ମେଦ୍‌ଭେଦେଭ ୬-୧, ୬-୪, ୭-୬ ସେଟ୍‌ରେ ସ୍ବିଜରଲାଣ୍ଡର ହେନରି ଲାକସୋନେନଙ୍କୁ ପରାସ୍ତ କରିଥିଲେ। ଗତଥରର କ୍ବାର୍ଟର ଫାଇନାଲିଷ୍ଟ୍‌ ରୁବ୍‌ଲେଭ ୬-୩, ୬-୨, ୬-୨ ସେଟ୍‌ରେ ଇଟାଲିର ଜିଆନ୍‌ଲୁକା ମାଗେରଙ୍କୁ ହରାଇଥିଲେ। ସେହିପରି ଚତୁର୍ଥ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ ସିସିପାସ, ନବମ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗର ଆଲାସିମ୍‌ ଓ ଏକାଦଶ ମାନ୍ୟତାପ୍ରାପ୍ତ ଜାନିକ ସିନ୍ନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗ୍ରିସ୍‌ର ସିସିପାସ ୬-୨, ୬-୪, ୬-୩ ସେଟ୍‌ରେ ସ୍ବିଡେନ୍‌ର ମିକାଇଲ ୟିମେରଙ୍କୁ, କାନାଡ଼ାର ଆଲିସମ୍‌ ୬-୪, ୦-୬, ୩-୬, ୬-୩, ୬-୪ ସେଟ୍‌ରେ ଫିନ୍‌ଲାଣ୍ଡର ଏମିଲ ରୁସୁଭୁଓରିଙ୍କୁ ଏବଂ ଇଟାଲିର ସିନ୍ନର ୬-୪, ୭-୫, ୬-୧ ସେଟ୍‌ରେ ପର୍ତ୍ତୁଗାଲର ଜୋଆଓ ସୌସାଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର