ପାଞ୍ଚଥର ବିଶ୍ୱ ତଥା ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ପ୍ରଥମ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି। ମେରି ଶ୍ରୀଲଙ୍କାର ଦିଲରୁକ୍ସି କୋଦିଥୁଆକୁଙ୍କୁ ଏକତରଫା ଭାବେ ୫-୦ ପଏଣ୍ଟରେ ହରାଇ ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ବର୍ଗରେ ଗୌରବ ସୋଲାଙ୍କି (୫୨ କିଲୋଗ୍ରାମ), ମନୀଷ କୌସିକ (୬୦ କିଲୋଗ୍ରାମ) ଓ ବିଶ୍ୱକପ୍‌ର କାଂସ୍ୟ ପଦକ ବିଜେତା ବିକାଶ କୃଷ୍ଣନ୍‌ (୭୫ କିଲୋଗ୍ରାମ) ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଫଳରେ ମୁଷ୍ଟିଯୁଦ୍ଧର ପଦକ ପର୍ଯ୍ୟାୟରେ ପ୍ରବେଶ କରିଥିବା ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସବୁଠାରୁ ବଡ଼ ଆଶା କିନ୍ତୁ ମେରିକମଙ୍କ ଉପରେ ରହିଛି। ସ୍ୱର୍ଣ୍ଣ ପଦକ ପାଇଁ ସେ ଉତ୍ତର ଆୟର୍ଲାଣ୍ଡର କ୍ରିଷ୍ଟିନା ଓ’ ହରାଙ୍କ ମୁକାବିଲା କରିବେ। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ବିଜୟିନୀ ସରିତା ଦେବୀ ଅବଶ୍ୟ ଦୁର୍ଭାଗ୍ୟଜନକ ଭାବେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ବୁଧବାରର ପ୍ରି-କ୍ୱାର୍ଟର ଲଢ଼େଇରେ ତାଙ୍କୁ ଅଷ୍ଟ୍ରେଲିଆର ଅଞ୍ଜା ଷ୍ଟ୍ରିଡ୍ସମ୍ୟାନ୍‌ ୦-୫ରେ ହରାଇ ଦେଇଥିଲେ। ପିଙ୍କି ସିଂହ ମଧ୍ୟ ୫୧ କିଲୋଗ୍ରାମର କ୍ୱାର୍ଟର ଫାଇନାଲ୍‌ ଲଢ଼େଇ ହାରି ଯାଇଥିଲେ।

ସାଇନା, ସିନ୍ଧୁ, ଶ୍ରୀକାନ୍ତଙ୍କ ଏକକ ଅଭିଯାନ ଆରମ୍ଭ

Advertisment

publive-image

ବ୍ୟାଡମିଣ୍ଟନରେ ସାଇନା ନେହଓ୍ଵାଲ, ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତଙ୍କ ଏକକ ଅଭିଯାନ ବୁଧବାର ଆରମ୍ଭ ହୋଇଛି। ତିନି ଜଣ ଯାକ ନିଜ ନିଜ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଜିତି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସାଇନା ୨୧-୩, ୨୧-୧ରେ ଦକ୍ଷିଣ ଆଫ୍ରିକାର ଏଲସି ଡିଭିଲିୟର୍ସଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଶ୍ରୀକାନ୍ତ ୨୧-୧୩, ୨୧-୧୦ରେ ମରିସସ୍‌ର ଆତିଶ ଲୁଭଙ୍କୁ ହରାଇ ଦେଇଥିଲେ। ଅନ୍ୟ ପକ୍ଷରେ ସିନ୍ଧୁ ୨୧-୬, ୨୧-୧୩ରେ ଫିଜିର ଆନ୍ଦ୍ରା ହ୍ଵାଇଟ୍‌ ସାଇଡଙ୍କୁ ୨୧-୬, ୨୧-୩ରେ ପରାସ୍ତ କରିଥିଲେ। ସେହିଭଳି ମିଶ୍ରିତ ଯୁଗଳରେ ସାତ୍ୱିକ ରାଙ୍କିରେଡ୍ଡୀ ଏବଂ ଅଶ୍ୱିନ ପୋନାପ୍ପା ଇଂଲଣ୍ଡର ବେନ୍‌ ଲେନ୍‌ ଏବଂ ଜେସିକା ପଗଙ୍କୁ ୨୧-୧୭, ୨୧-୧୬ରେ ହରାଇ ପରବର୍ତୀ ପର୍ଯ୍ୟାୟକୁ ଯାଇଥିଲେ।