ଇତିହାସ ରଚିଲେ ମେରି, ୮ ବିଶ୍ବ ପଦକ ଜିତିବାରେ ପ୍ରଥମ ମୁଷ୍ଟିଯୋଦ୍ଧା

ମହିଳା ମୁଷ୍ଟିଯୁଦ୍ଧ ବିଶ୍ବ ଚାମ୍ପିଅନ୍‌ସିପ୍ ସେମିରେ ମଞ୍ଜୁ, ଜମୁନା ଓ ଲଭ୍‌ଲିନା

ଉଲାନ୍‌ ଉଦେ (ରୁଷିଆ): ପୂର୍ବରୁ ୬ ଥର ବିଜୟିନୀ ତଥା ମୋଟ ୭ ଥର ବିଶ୍ବ ପଦକ ହାସଲ କରିସାରିଥିବା ଭାରତୀୟ ମହିଳା ଯୋଦ୍ଧା ଏମ୍‌ସି ମେରି କମ୍‌ ଅଷ୍ଟମ ପଦକ ପକ୍କା କରିଛନ୍ତି। ଏଠାରେ ଚାଲିଥିବା ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାକୁ ଆସିବା ପୂର୍ବରୁ ମେରି କମ୍‌ ୬ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ନିଜ ନାମରେ ରଖିଥିଳେ। ଗୁରୁବାର ଚଳିତ ପ୍ରତିଯୋଗିତାରେ ସେମିଫାଇନାଲ୍‌ ପ୍ରବେଶ କରିବା ପରେ ଅତି କମ୍‌ରେ ସେ କାଂସ୍ୟ ପଦକ ନିଶ୍ଚିତ କରିନେଇଛନ୍ତି। ଫଳରେ ବିଶ୍ବ ପ୍ରତିଯୋଗିତାରେ ୮ ପଦକ କରାୟତ କରିବାରେ ସେ ପ୍ରଥମ ମୁଷ୍ଟିଯୋଦ୍ଧା ଭାବେ ଇତିହାସ ରଚିଛନ୍ତି। ଉଭୟ ମହିଳା ଓ ପୁରୁଷ ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ମେରି କମ୍‌ଙ୍କ ୮ ବିଶ୍ବ ପଦକ ସର୍ବାଧିକ। ପୁରୁଷ ମୁଷ୍ଟିଯୋଦ୍ଧା ଭାବେ କ୍ୟୁବାର ଫେଲିକ୍ସ ସାଭନ୍‌ ୭ (୬ ସ୍ବର୍ଣ୍ଣ, ୧ ରୌପ୍ୟ) ବିଶ୍ବ ପଦକ ପାଇ ସର୍ବାଧିକ ସଫଳ ରହିଛନ୍ତି। ଚଳିତ ପ୍ରତିଯୋଗିତା ପୂର୍ବରୁ ମେରି କମ୍‌ (୭ ପଦକ) ଫେଲିକ୍ସ (୭)ଙ୍କ ସମକକ୍ଷ ଥିଲେ। ହେଲେ ଗୁରୁବାର ପଦକ ପକ୍କା କରିବା ପରେ ଫେଲିକ୍ସଙ୍କୁ ଟପି ସେ ବିଶ୍ବ ପ୍ରତିଯୋଗିତାର ସର୍ବାଧିକ ସଫଳ ମୁଷ୍ଟିଯୋଦ୍ଧା ବନି ଯାଇଛନ୍ତି। ୩୬ ବର୍ଷ ବୟସ୍କା ମେରି କମ୍‌ ୨୦୧୮ ବିଶ୍ବ ଚାମ୍ପିଅନ୍‌ସିପ୍‌ (ନୂଆଦିଲ୍ଲୀ)ରେ ଶେଷ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୭ ପଦକ ବ୍ୟତୀତ ମେରି କମ୍‌ଙ୍କ ନାମରେ ଗୋଟିଏ ଅଲିମ୍ପିକ୍‌ କାଂସ୍ୟ (୨୦୧୨), ଗୋଟିଏ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ, ୫ ଏସୀୟ ପ୍ରତିଯୋଗିତାର ସ୍ବର୍ଣ୍ଣ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ରହିଛି। ଚଳିତ ବର୍ଷ ମେରି କମ୍‌ ମଧ୍ୟ ଗୌହାଟୀରେ ଇଣ୍ଡିଆ ଓପନ୍‌ ଏବଂ ଇଣ୍ଡୋନେସିଆରେ ପ୍ରେସିଡେଣ୍ଟ୍‌ସ କପ୍‌ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗୁରୁବାର ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଅଷ୍ଟମ ପଦକ ପକ୍କା କରିବା ପରେ ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ବର୍ତମାନ ରାଜ୍ୟସଭା ସାଂସଦ ଥିବା ମେରି କମ୍‌ଙ୍କୁ ତାଙ୍କ ବିଶ୍ବ କୀର୍ତ୍ତିମାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ମଙ୍ଗଳବାର ଥାଇଲାଣ୍ଡର ଜୁତାମସ୍‌ ଜିତ୍‌ପଙ୍ଗ୍‌ଙ୍କୁ ୫-୦ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ ପହଞ୍ଚିଥିବା ତୃତୀୟ ମାନ୍ୟତାପ୍ରାପ୍ତ ମେରି କମ୍‌ ଗୁରୁବାର ୫୧ କେଜି କ୍ବାର୍ଟର ଫାଇନାଲ୍‌ରେ କଲମ୍ବିଆର ଇନ୍‌ଗ୍ରିଟ୍‌ ଭାଲେନ୍‌ସିଆଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଏଥି ସହିତ ସେ ସପ୍ତମ ବିଶ୍ବ ସ୍ବର୍ଣ୍ଣ ପଦକ ଅକ୍ତିଆର ଦିଗରେ ଆଗକୁ ବଢିଛନ୍ତି। ସେମିଫାଇନାଲ୍‌ରେ ତାଙ୍କର ଲଢ଼େଇ ଦ୍ବିତୀୟ ମାନ୍ୟତାପାପ୍ତ ତୁର୍କ ବୁସେନାଜ୍‌ କାଗିରୋଗ୍‌ଲୁଙ୍କ ସହ ହେବ। ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ ଏବଂ ୟୁରୋପୀୟ କ୍ରୀଡ଼ାର ସ୍ବର୍ଣ୍ଣ ପଦକ ବିଜୟିନୀ ତୁର୍କ ଗୁରୁବାର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ଚୀନ୍‌ର କାଇ ଜୋଙ୍ଗ୍‌ଜୁଙ୍କୁ ପରାସ୍ତ କରିଛନ୍ତି। ଶୁକ୍ରବାର ବିଶ୍ରାମ ଦିବସ ପରେ ଶନିବାର ସେମିଫାଇନାଲ୍‌ ଲଢ଼େଇ ହେବ। ତେବେ ଐତିହାସିକ ଅଷ୍ଟମ ବିଶ୍ବ ପଦକ ନିଶ୍ଚିତ କରିଥିଲେ ମଧ୍ୟ ମେରି କମ୍‌ ଏହାକୁ ସ୍ବର୍ଣ୍ଣରେ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୁଁ ଅଷ୍ଟମ ପଦକ ପକ୍କା କରି ବହୁତ ଖୁସୀ, ହେଲେ ସ୍ବର୍ଣ୍ଣ ଜିତିପାରିଲେ ଅଧିକ ଖୁସୀ ହେବି ବୋଲି କ୍ବାର୍ଟର ଫାଇନାଲ୍‌ ବିଜୟ ପରେ କହିଛନ୍ତି ମେରି କମ୍‌।

ଚଳିତ ବିଶ୍ବ ପ୍ରତିଯୋଗିତାରେ ମେରି କମ୍‌ଙ୍କ ପରେ ଆଉ ତିନି ଜଣ ଭାରତୀୟ ମଧ୍ୟ ସେମିଫାଇନାଲ୍‌ ପହଞ୍ଚି ପଦକ ନିଶ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୁଇ ପଦାର୍ପଣକାରୀ ମହିଳା ମଞ୍ଜୁ ରାଣୀ ଓ ଜମୁନା ବୋରୋ ଏବଂ ଲଭ୍‌ଲିନା ବୋର୍ଗୋହେଁ। ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ମଞ୍ଜୁ ରାଣୀ (୪୮ କେଜି) ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ଗତ ସଂସ୍କରଣ‌ର କାଂସ୍ୟ ବିଜୟିନୀ ଦକ୍ଷିଣ କୋରିଆର କିମ୍‌ ହ୍ୟାଙ୍ଗ୍‌ ମି’ଙ୍କୁ ୪-୧ରେ ପରାସ୍ତ କରିଥିଲା ବେଳେ ଜମୁନା ବୋରୋ (୫୪ କେଜି) ଜର୍ମାନିର ଉର୍ସୁଲା ଗୋଟ୍‌ଲବ୍‌ଙ୍କୁ ସମାନ ୪-୧ରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍‌ରେ ମଞ୍ଜୁ ରାଣୀଙ୍କ ଲଢ଼େଇ ଥାଇଲାଣ୍ଡର ଚୁଟ୍‌ହମତ ରକ୍ଷତ ଏବଂ ଜମୁନାଙ୍କ ଲଢ଼େଇ ଶୀର୍ଷ ମାନ୍ୟତାପ୍ରାପ୍ତ ଏସୀୟ କ୍ରୀଡ଼ା କାଂସ୍ୟ ବିଜୟିନୀ ହୁଆଙ୍ଗ୍‌ ସିଆଓ ୱେନ୍‌ଙ୍କ ସହ ହେବ। ସେହିପରି ଲଭ୍‌ଲିନା (୬୯ କେଜି) କ୍ବାର୍ଟର ଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ପୋଲାଣ୍ଡର କାରୋଲିନା କୋସେୱାସ୍କାଙ୍କୁ ୪-୧ରେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଏଥି ସହିତ ଚଳିତ ବିଶ୍ବ ପ୍ରତିଯୋଗିତାରେ ଭାରତ ୪ ପଦକ ପକ୍କା କରି ଗତ ସଂସ୍କରଣର ପଦକ ସଂଖ୍ୟା ସହ ସମାନ ହୋଇଛି। ତେବେ ଦୁଇ ଥର କାଂସ୍ୟ ଏବଂ ତିନି ଥର ଏସୀୟ ପଦକ ଜିତିଥିବା ଅନ୍ୟତମ ଭାରତୀୟ ମହିଳା କବିତା ଚହଲ୍‌ (+୮୧ କେଜି) ନିରାଶ କରିଛନ୍ତି। ସେ ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ବେଲାରୁଷର କାସ୍ୟାରିନା କାଭାଲେଭାଙ୍କ ନିକଟରୁ ୦-୫ରେ ହାରି ପଦକରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର