ମେସି ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ

ରିଓ ଡି ଜାନେଇରୋ,: କୋପା ଆମେରିକା ପ୍ଲେଅଫ୍‌ ମ୍ୟାଚ୍‌ରେ ରେଡ୍‌ କାର୍ଡ ପାଇଁ ଅର୍ଜେଣ୍ଟିନା ଅଧିନାୟକ ଲିଓନେଲ୍‌ ମେସିଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ବ୍ରାଜିଲ୍‌ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ହାରିଯିବା ପରେ ତୃତୀୟ ସ୍ଥାନ ପାଇଁ ଚିଲି ସହ ପ୍ଲେଅଫ୍‌ ଖେଳିଥିଲା। ସେହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ବିଜୟୀ ହୋଇଥିଲା ବେଳେ ମେସିଙ୍କୁ ରେଡ୍‌ କାର୍ଡ ମିଳିଥିଲା। ଚିଲିର ଗ୍ୟାରି ମେଡେଲଙ୍କୁ ଧକ୍କା ଦେବାରୁ ମେସିଙ୍କୁ ନାଲି କାର୍ଡ ମିଳିଥିଲା। ଏହାପରେ ମେସି ଆୟୋଜକ ବ୍ରାଜିଲ ସପକ୍ଷରେ ପ୍ରତିଯୋଗିତା ଫିକ୍ସ ହୋଇଥିବା ଗୁରୁତର ଅଭିଯୋଗ କରିଥିଲେ। ଏପରିକି ଦକ୍ଷିଣ ଆମେରିକୀୟ ଫୁଟ୍‌ବଲ୍‌ ମହାସଂଘ ମୁଖ୍ୟଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ସାଙ୍ଗକୁ ପଦକ ଉତ୍ସବରେ ଯୋଗ‌ନଦେବା କାରଣରୁ ମେସିଙ୍କୁ ଦଣ୍ଡ ମିଳିଛି। ରେଡ୍‌ କାର୍ଡ ଏବଂ ମହାସଂଘ ମୁଖ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଯୋଗୁଁ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଥିଲା ବେଳେ ତାଙ୍କ ଉପରେ ୧୫୦୦ ଡଲାର ଅର୍ଥ ଜରିମାନା ଲଦି ଦିଆଯାଇଛି। ମେସିଙ୍କ ଦୁର୍ନୀତି ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ବୋଲି ମହାସଂଘ କହିଛି। ତଥାପି ୫ ଥର ବିଶ୍ବର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଜେତା ମେସି ବଡ଼ ଧରଣର ଦଣ୍ଡରୁ ବର୍ତି ଯାଇଛନ୍ତି ବୋଲି ମହାସଂଘ କହିଛି। ମେସିଙ୍କ ନିଲମ୍ବନ ଆଗାମୀ ୨୦୨୨ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟରେ ଆର୍ଜେଣ୍ଟିନାର ପ୍ରଥମ ମ୍ୟାଚ୍‌ରେ ଲାଗୁ ହେବ। ମେସିଙ୍କ ନିଲମ୍ବନ ବ୍ୟତୀତ ଆର୍ଜେଣ୍ଟିନାକୁ ଆଉ ଏକ ଝଟ୍‌କା ମଧ୍ୟ ଲାଗିଛି। ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ସଂଘର ମୁଖ୍ୟ କ୍ଲାଉଡିଓ ତାପିଆଙ୍କୁ ଦକ୍ଷିଣ ଆମେରିକୀୟ ଫୁଟ୍‌ବଲ୍‌ ମହାସଂଘ ଫିଫାରେ ତା’ର ଅଫିସିଆଲ ପ୍ରତିନିଧିତ୍ବରୁ ବହିଷ୍କାର କରିଛି। ମେସିଙ୍କ ଭଳି କ୍ଲାଉଡିଓ ମଧ୍ୟ କୋପା ଆମେରିକା ଅବସରରେ ଦକ୍ଷିଣ ଆମେରିକୀୟ ଫୁଟ୍‌ବଲ୍‌ ମହାସଂଘକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର