ଦୋହା: ଫିଫା ବିଶ୍ବକପ୍‌ର କାତାର ସଂସ୍କରଣ ତାଙ୍କର ଶେଷ ବିଶ୍ବକପ୍‌ ବୋଲି ଘୋଷଣା କରିଛନ୍ତି ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସି। ରବିବାର ଫାଇନାଲ୍‌ ମ୍ୟାଚ୍‌ ତାଙ୍କର ବିଦାୟୀ ମ୍ୟାଚ୍‌ ହେବ ବୋଲି ମଙ୍ଗଳବାର କ୍ରୋଏସିଆ ବିପକ୍ଷ ସେମିଫାଇନାଲ୍‌ ବିଜୟ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସେ ଘୋଷଣା କରିଛନ୍ତି। ମେସିଙ୍କ ନେତୃତ୍ବରେ ମଙ୍ଗଳବାର ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ବିଜୟୀ ହୋଇ ୧୯୮୬ ପରେ ଦଳ ପୁଣି ଥରେ ବିଶ୍ବବିଜେତା ହେବା ନିକଟତର ହୋଇଛି। ତେବେ ଚଳିତ ବିଶ୍ବକପ୍‌ରେ ତାଙ୍କର ଓ ଦଳର ପ୍ରଦର୍ଶନକୁ ଶ୍ରେଷ୍ଠ ବୋଲି ସେ ବିବେଚନା କରିବା ସହିତ ପରବର୍ତ୍ତୀ ବିଶ୍ବକପ୍‌ ସଂସ୍କରଣ ବେଳକୁ ସେ ଏଭଳି କାରନାମା କରିବାକୁ ଆଉ ସୁଯୋଗ ପାଇବେନି ବୋଲି ପ୍ରତିକ୍ରିୟା ରଖିଥିଲେ। ମେସି ଏବେ ତାଙ୍କର ପଞ୍ଚମ ବିଶ୍ବକପ୍‌ ଖେଳୁଛନ୍ତି।

Advertisment

ଏକ୍ଷେତ୍ରରେ ନିଜ ଦେଶର ଡିଏଗୋ ମାରାଡୋନା ଓ ଜାଭିଏର ମା‌ସ୍ଚେରାନୋଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ସେହିପରି ମଙ୍ଗଳବାର କାତାର ସଂସ୍କରଣରେ ପଞ୍ଚମ ଗୋଲ୍‌ ଦେବା ଦ୍ବାରା ବିଶ୍ବକପ୍‌ରେ ମୋଟ ୧୧ ଗୋଲ୍‌ ଦେଇ ଗାବ୍ରିଏଲ୍‌ ବାତିସ୍ତୁତାଙ୍କୁ ଟପିଯାଇଛନ୍ତି। ହେଲେ ବ୍ୟକ୍ତିଗତ କୀର୍ତ୍ତିମାନ ଅପେକ୍ଷା ଦଳଗତ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ। ତେଣୁ ରବିବାର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଆମେ କଠିନ ପରିଶ୍ରମ କରୁଛୁ ଓ ପଡ଼ିଆରେ ଶତପ୍ରତିଶତ ଚେଷ୍ଟା ଦେଇ ଦଳକୁ ବିଶ୍ବ ବିଜେତା କରାଇବାକୁ ଲକ୍ଷ୍ୟ ରଖୁଛୁ ବୋଲି ମେସି କହିଛନ୍ତି। ସୂଚନାଯୋଗ୍ୟ, ମେସି ୨୦୧୪ରେ ୪ ଗୋଲ୍‌ ଦେଇଥିଲା‌ ବେଳେ ଗୋଟିଏ ଗୋଲ୍‌ରେ ସହଭାଗିତା କରିଥିଲେ। ଦଳକୁ ଫାଇନାଲ୍‌ ପର୍ଯ୍ୟନ୍ତ ନେବାରେ ତାଙ୍କର ଅବଦାନ ଅଧିକ ଥିଲା। ଏପରିକି ଏହି ବର୍ଷ ତାଙ୍କୁ ଗୋଲ୍ଡେନ୍‌ ବୁଟ୍‌ ପୁରସ୍କାର ଦିଆଯାଇଥିଲା। ଚଳିତ ବିଶ୍ବକପ୍‌ରେ ସେ ୫ ଗୋଲ୍‌ ସ୍କୋର କରିଥିବା ସମୟରେ ୩ ଗୋଲ୍‌ରେ ସହଭାଗିତା କରିଥିଲେ।