ପ୍ୟାରିସ : ଆର୍ଜେଣ୍ଟିନାର ତାରକା ଫୁଟ୍ବଲର୍ ଲିଓନେଲ୍ ମେସି ଶୁକ୍ରବାର ତାଙ୍କ କ୍ଲବ୍ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍ଜି) ଓ ଦଳୀୟ ସାଥୀଙ୍କୁ କ୍ଷମା ମାଗିଛନ୍ତି। ଏକ ଅଭ୍ୟାସ ସେସନରେ ଉପସ୍ଥିତ ନରହି ମେସି ସାଉଦି ଆରବ ଗସ୍ତ କରିଥିଲେ। ବିନା ଅନୁମିତରେ ଏହି ଗସ୍ତ କରିଥିବାରୁ ଏଥିପାଇଁ ପିଏସ୍ଜି ଦୁଇ ସପ୍ତାହ ଲାଗି ମେସିଙ୍କୁ ନିଲମ୍ବିତ କରିଥିଲା ବୋଲି ଫ୍ରାନ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ‘‘ମ୍ୟାଚ୍ ପର ଦିନ ମୁଁ ଅଭ୍ୟାସ ସେସନ୍ରେ ନଥିଲି। ଏହି ଘଟଣା ଗତ ସପ୍ତାହରେ ଘଟିଥିଲା। ପୂର୍ବରୁ ସାଉଦି ଆରବ ଗସ୍ତ ଲାଗି ଯୋଜନା କରିଥିଲି। ପୂର୍ବରୁ ଥରେ ବାତିଲ କରିଥିବାରୁ ଆଉ ଥରେ ବାତିଲ ନକରି ଯାଇଥିଲି।
ତେବେ ଏହି ଭୁଲ୍ ପାଇଁ ଦଳୀୟ ସାଥୀଙ୍କୁ କ୍ଷମା ମାଗୁଛି ଏବଂ ଏଥିପାଇଁ କ୍ଲବ୍ ମୋ ଉପରେ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଅପେକ୍ଷା କରିଛି’’ ବୋଲି ମେସି ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି। ପିଏସ୍ଜିର ମୁଖ୍ୟ ଖ୍ରିଷ୍ଟୋଫ ଗାଲଟର କହିଛନ୍ତି ଯେ ମେସିଙ୍କ ନିଲମ୍ବନ ନିଷ୍ପତ୍ତିରେ ମୁଁ କିଛି କରିପାରିବିନି। ସେ ଲିଗ୍-୧ରେ ଆଗାମୀ ଦୁଇଟି ମ୍ୟାଚ୍ ଖେଳିପାରିବେନି।