ବାର୍ସିଲୋନା: ନିକଟରେ ବାର୍ସିଲୋନା ଛାଡ଼ି ପ୍ୟାରିସ ସେଣ୍ଟ୍‌ ଜର୍ମାନ (ପିଏସ୍‌ଜି)ରେ ଯୋଗ ଦେଇଥିବା ମେସି ନିଜର ପୁରୁଣା ଦଳକୁ ଫେରିବାର ସଙ୍କେତ ଦେଇଛନ୍ତି। ସୋମବାର ଏକ ସାକ୍ଷାତକାରରେ ମେସି କହିଛନ୍ତି ଯେ ‌ପିଏସ୍‌ଜିରେ ତାଙ୍କର ଚୁକ୍ତି ସରିବା ପରେ ପରିବାର ସହ ବାର୍ସିଲୋନା ଫେରିବାକୁ ଚାହାନ୍ତି। ବୈଷୟିକ ନିର୍ଦ୍ଦେଶକ ଭାବେ ଲା-ଲିଗା କ୍ଲବ୍‌ ବାର୍ସିଲୋନାକୁ ସହଯୋଗ କରିବାକୁ ସେ ଆଗ୍ରହୀ। ମେସି ଦୁଇ ଦଶନ୍ଧି ଧରି ବାର୍ସିଲୋନା ପକ୍ଷରୁ ଖେଳିଥିଲେ। ୬୭୨ ଗୋଲ୍‌ ସହ ସେ ଏହି ସ୍ପାନିସ୍‌ କ୍ଲବ୍‌ର ସର୍ବୋଚ୍ଚ ଗୋଲ୍‌ ସ୍କୋରର୍‌। ହେଲେ ବାର୍ସିଲୋନା ତାଙ୍କୁ ରଖିବାକୁ ସମର୍ଥ ନ‌ହେବାରୁ ‌ଚଳିତ ବର୍ଷ ସେ ପିଏସ୍‌ଜି ସହ ଦୁଇ ବର୍ଷିୟା ଚୁକ୍ତି କରିଥିଲେ। ‘‘ଏହା ପ୍ରାୟତଃ ନିଶ୍ଚିତ, ଆମେ ବାର୍ସିଲୋନା ଫେରିବୁ ଏବଂ ସେଠାରେ ରହିବୁ। ମୋ ପତ୍ନୀ ଓ ମୁଁ ଏହା ଚାହୁଁ। ଯେବେ ପିଏସ୍‌ଜି ସହ ଚୁକ୍ତି ସରିବ ବାର୍ସିଲୋନା ଫେରି ସେଠାରେ ଜୀବନ ଅତିବାହିତ କରିବୁ। କ୍ଲବ୍‌କୁ ସହଯୋଗ କରିବି ବୋଲି ସର୍ବଦା ମୁଁ କହି ଅସିଛି। କ୍ଲବ୍‌ର ବୈଷୟିକ ନିର୍ଦେଶକ ହେବା ମୋର ପସନ୍ଦ। କିନ୍ତୁ ଏହା ବାର୍ସିଲୋନାରେ ‌ସମ୍ଭବ କି ନାହିଁ ତାହା ଜାଣିନି। ଯଦି ଏହା ହୁଏ ତେବେ ପୁଣି ଥରେ କ୍ଲବ୍‌ର ସେବା କରିପାରିବି। କାରଣ ମୁଁ ଏହି କ୍ଲବ୍‌କୁ ବହୁତ ଭଲ ପାଏ ଏହା ବି ଜାରି ରହିବ।’’ ବୋଲି ୩୪ ବର୍ଷୀୟ ମେସି କହିଛନ୍ତି।