ମେସିଙ୍କ ହ୍ୟାଟ୍ରିକ୍‌: କ୍ରମାଗତ ତୃତୀୟ ଥର ପାଇଁ ୟୁ‌‌ରୋପର ଅଗ୍ରଣୀ ସ୍କୋରର୍‌

ବାର୍ସିଲୋନା: ୟୁରୋପର ସ୍ବର୍ଣ୍ଣ ଜୋତା ପୁରସ୍କାର ଜିତିବାରେ ଲିଓନେଲ୍‌ ମେସି ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ସେ କ୍ରମାଗତ ତୃତୀୟ ଥର ପାଇଁ ୟୁରୋପର ଅଗ୍ରଣୀ ସ୍କୋରର୍‌ ଭାବେ ପ୍ରଥମ ଖେଳାଳି ହେବାର କୀର୍ତିମାନ ପାଇଛନ୍ତି। ଶୁକ୍ରବାର ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ୍‌ କରିଥିଲେ ଏଥର ମେସିଙ୍କୁ ପଛରେ ପକାଇ କିଲିଆନ୍‌ ଏମ୍‌ବାପେ ସ୍ବର୍ଣ୍ଣ ଜୋତା ପୁରସ୍କାର ଜିତି ନେଇଥାନ୍ତେ। ହେଲେ କିଲିଆନ୍‌ ବିଫଳ ହେବାରୁ ମେସି ପୁଣି ଥରେ ବାଜି ମାରିନେଲେ। ମେସି ବାର୍ସିଲୋନା ପକ୍ଷରୁ ୩୬ ଗୋଲ୍‌ କରିବା ପରେ ହ୍ୟାଟ୍ରିକ୍‌ ସାଙ୍ଗକୁ ମୋଟ ଷଷ୍ଠ ଥର ପାଇଁ ୟୁରୋପର ଅଗ୍ରଣୀ ସ୍କୋରର୍‌ ହେବାର ସମ୍ମାନ ଲାଭ କରିଥିଲେ। ଅନ୍ୟପକ୍ଷରେ ଏଥର କିଲିଆନ୍‌ ପିଏସ୍‌ଜି ପକ୍ଷରୁ ୩୩ ଗୋଲ୍‌ରେ ଅଭିଯାନ ଶେଷ କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଗତ ମାସରେ ‌ମେସିଙ୍କ ଗୋଲ୍‌ ବଳରେ ବାର୍ସିଲୋନା ମଧ୍ୟ ଲା ଲିଗା ଟ୍ରଫି ଜିତିଥିଲା। ଏଥର ପୁଣି ଥରେ ସ୍ବର୍ଣ୍ଣ ଜୋତା ଜିତିବି ବୋଲି ଭାବିନଥିଲି। ହେଲେ ହ୍ୟାଟ୍ରିକ୍ କରିଥିବାରୁ ଖୁବ୍‌ ଖୁସୀ ବୋଲି ଶନିବାର ଭାଲେନ୍‌ସିଆ ବିପକ୍ଷ କୋପା ଡେଲ୍‌ ରେ ଫାଇନାଲ୍‌ ପୂର୍ବରୁ ମେସି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ସମ୍ବନ୍ଧିତ ଖବର