ପିଏସ୍‌ଜିରେ ଯୋଗଦେ‌ଲେ ମେସି

ପ୍ୟାରିସ: ଗତ ସପ୍ତାହରେ ବାର୍ସିଲୋନା ଛାଡ଼ିଥିବା ୬ ଥରର ବାଲନ ଡି’ଓର୍‌ ବିଜେତା ଲିଓନେଲ ମେସି ବୁଧବାର ପ୍ୟାରିସ ସେଣ୍ଟ୍‌ ଜର୍ମାନ (ପିଏସ୍‌ଜି)ରେ ଯୋଗ ଦେଇଛନ୍ତି। ପିଏସ୍‌ଜିରୁ ଖେଳିବା ଲାଗି ଏହି ଆର୍ଜେଣ୍ଟିନା ତାରକା ସଂପ୍ରତି ଦୁଇ ବର୍ଷ ପାଇଁ ଚୁକ୍ତି କରିଥିଲା ବେଳେ ଆଉ ଗୋଟିଏ ବର୍ଷ ବୃଦ୍ଧିର ବିକଳ୍ପ ମଧ୍ୟ ଖୋଲା ରଖିଛନ୍ତି। ବ୍ରାଜିଲ ତାରକା ନେମାର ଏବଂ ଯୁବ ଫ୍ରାନ୍ସ ତାରକା କିଲିଆନ୍‌ ଏମ୍‌ବାପେଙ୍କ ପରେ ପିଏସ୍‌ଜିର ଏହା ଆଉ ଏକ ଦାମୀ ଚୁକ୍ତି। ମଙ୍ଗଳବାର ପ୍ୟାରିସ୍‌ ଅଭିମୁଖେ ବାର୍ସିଲୋନା ଛାଡ଼ିବା ବେଳେ ବିମାନ ବନ୍ଦରରେ କିନ୍ତୁ ମେସି ଏହି ଚୁକ୍ତି ବିଷୟ ନେଇ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ମେସି ନିଜ ଚୁକ୍ତି ବିଷୟରେ ସ୍ପଷ୍ଟ କରିଥିଲେ। ‘‘ମୁଁ ଫ୍ରାନ୍ସ କ୍ଲବ୍‌ ପିଏସ୍‌ଜି ସହ ଚୁକ୍ତି କରିଛି ଏବଂ ଦଳକୁ ଚାମ୍ପିଅନ୍ସ ଲିଗ୍‌ ମୁକୁଟ ଜିତାଇବା ଲାଗି ସହଯୋଗ କରିବାକୁ ପୂରା ପ୍ରସ୍ତୁତ ଅଛି।

ଯୋଗଦେବାର କାରଣ ହେଉଛି, କ୍ଲବ୍‌ର ଉଚ୍ଚଆଶା ରହିଛି। ତେଣୁ କ୍ଲବ୍‌ ସବୁ ପ୍ରକାର ଲଢ଼େଇ ପାଇଁ ପ୍ରସ୍ତୁତ। ମୋର ସ୍ବପ୍ନ ହେଉଛି ଆଉ ଏକ ଚାମ୍ପିଅନ୍ସ ଲିଗ୍‌ ଏବଂ ମୁଁ ଭାବୁଛି ଏହା ଠିକ୍‌ ସ୍ଥାନ। ମୁଁ ସର୍ବଦା ବାର୍କା ଓ ଏହାର ପ୍ରଶଂସକଙ୍କୁ ଧନ୍ୟବାଦ ଦେବି। ମୁଁ ସେଠାକୁ ‌‌ବାଳକ ଭାବେ ଯାଇଥିଲି ଏବଂ ଭଲ ଓ ଖରାପ ସମୟ ‌ସେଠାରେ କାଟିଛି। ବାର୍କା ପ୍ରଶଂସକ ଜାଣିଛନ୍ତି ମୁଁ ଭଲ କ୍ଲବ୍‌ ସହ ଯୋଗ ଦେଇଛି, ଚାମ୍ପିଅନ୍ସ ଲିଗ୍‌ରେ ଲଢ଼େଇ ଜୋରଦାର ହେବ। କାରଣ ସେମାନେ ମୋତେ ଜାଣନ୍ତି, ମୁଁ ବିଜୟକୁ ପସନ୍ଦ କରେ। ମୁଁ ବି‌ଜେତା ଏବଂ ଏହା କରିବାକୁ ସବୁ ଚେଷ୍ଟା ଜାରି ରଖିବି। ମୋର କୌଣସି ଅବିଶ୍ବାସ କରିବାର ନାହିଁ ଯେ ପିଏସ୍‌ଜି ବିଜୟ ଓ ଉନ୍ନତି ଚାହେଁ’’ ବୋଲି ୩୪ ବର୍ଷୀୟ ମେସି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବାର୍ସିଲୋନାର ସର୍ବକାଳୀନ ଶ୍ରେଷ୍ଠ ଗୋଲ୍‌ ‌ସ୍କୋରର୍‌ ୩୪ ବର୍ଷୀୟ ମେସି (୬୮୨)ଙ୍କ ବଳରେ ପିଏସ୍‌ଜି ପ୍ରଥମ ଥର ଲାଗି ଚାମ୍ପିଅନ୍‌ସ ଲିଗ୍‌ ଜିତିବା ଲକ୍ଷ୍ୟ ରଖିଛି। ମେସିଙ୍କୁ ବର୍ଷକୁ ୩୫ ମିଲିୟନ ୟୁରୋ ‌ଅଥବା ଭାରତୀୟ ମୂଦ୍ରାରେ ୩୦୫ କୋଟି ଟଙ୍କା ଦେବାକୁ ପିଏସ୍‌ଜି ଚୁକ୍ତି କରିଛି।

ସମ୍ବନ୍ଧିତ ଖବର