ଲା’ ଲିଗା ଲେଉଟାଣିରେ ଇତିହାସ ରଚିଲେ ମେସି, ଶାସ୍ତ୍ରୀଙ୍କୁ ଆଉ ଟ୍ରୋଲ୍‌ କରିବେନି ବାର୍ସିଲୋନା ପ୍ରଶଂସକ

ମାଲୋର୍କା: କୋଭିଡ୍‌-୧୯ ମହାମାରୀ ଯୋଗୁଁ ସ୍ପାନିସ୍‌ ଫୁଟ୍‌ବଲ୍‌ ପ୍ରାୟ ୩ ମାସ ଧରି ବନ୍ଦ ରହିବା ପରେ ଲା ଲିଗା ପ୍ରତିଯୋଗିତା ପ୍ରତ୍ୟାବର୍ତନ କରିଛି। ଆଉ ଏହି ପ୍ରତ୍ୟାବର୍ତନରେ ଲିଓନେଲ୍‌ ମେସି ତାଙ୍କ ଚମକ ଦେଖାଇ ନୂଆ ଇତିହାସ ରଚିଛନ୍ତି। ଶନିବାର ମାଲୋର୍କା ବିପକ୍ଷ ଏକ ମ୍ୟାଚ୍‌ରେ ନିଜେ ଗୋଟିଏ ଗୋଲ୍‌ କରିବା ସାଙ୍ଗକୁ ଦୁଇଟି ଗୋଲ୍‌ରେ ସହାୟତା କରି ବାର୍ସିଲୋନାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଏହି ମ୍ୟାଚ୍‌ରେ ବାର୍ସିଲୋନା ୪-୦ ଗୋଲ୍‌ରେ ବିଜୟ ହାସଲ କରିଥିଲା। ଦଳର ଚିଲି ମିଡ୍‌ଫିଲଡର ଅର୍ତୁରୋ ଭିଡାଲ ଦ୍ବିତୀୟ ମିନିଟ୍‌ରେ ଚମତ୍କାର ହେଡର ଜରିଆରେ ବାର୍ସିଲୋନା ପାଇଁ ପ୍ରଥମ ଗୋଲ୍‌ ଦେଇଥି‌ଲେ। ଏହାପରେ ଡେନ୍‌ମାର୍କର ଆନ୍ତର୍ଜାତିକ ତାରକା ମାର୍ଟିନ୍‌ ବ୍ରାଥ୍‌ୱେଟ୍‌ ପ୍ରଥମାର୍ଧ ମଧ୍ୟରେ ଆଉ ଗୋଟିଏ ଗୋଲ୍‌ କରିବାରୁ ମଧ୍ୟାହ୍ନ ବିରତି ବେଳକୁ ବାର୍ସିଲୋନା ୨-୦ର ଅଗ୍ରଣୀ ପାଇଥିଲା। ମେସିଙ୍କ ସହାୟତା ପାଇ ବ୍ରାଥ୍‌ୱେଟ୍‌ ଗୋଲ୍‌ ଦେଇଥିଲେ।

ବାର୍ସିଲୋନା ପାଇଁ ମାର୍ଟିନ୍‌ଙ୍କର ଏହା ପ୍ରଥମ ଗୋଲ୍‌ ଥିଲା। ଏହାପରେ ୭୯ ମିନିଟ୍‌ରେ ଜୋର୍ଡି ଅଲ୍‌ବା ତୃତୀୟ ଗୋଲ୍‌ କରିଥିଲେ। ଏହି ଗୋଲ୍‌ରେ ମେସିଙ୍କ ଅବଦାନ ମଧ୍ୟ ରହିଥିଲା। ତାଙ୍କଠୁ ବଲ୍‌ ପାଇ ଅଲ୍‌ବା ଗୋଲ୍‌ କରିଥିଲେ। ଶେଷରେ ଆର୍ଜେଣ୍ଟିନାର ଆନ୍ତର୍ଜାତିକ ତାରକା ମେସି ଷ୍ଟପେଜ୍‌ ସମୟରେ ଚତୁର୍ଥ ଗୋଲ୍‌ କରି ବାର୍ସିଲୋନାକୁ ସହଜ ବିଜୟ ଭେଟି ଦେଇଥିଲେ। ଚଳିତ ଋତୁରେ ମେସିଙ୍କ ମୋଟ ଗୋଲ୍‌ ସଂଖ୍ୟା ୨୧ ମ୍ୟାଚ୍‌ରୁ ୨୦ରେ ପହଞ୍ଚିଥିଲା। ଏଥିସହିତ ଲଗାତାର ୧୨ ଋତୁ ଧରି ୨୦ରୁ ଅଧିକ ଗୋଲ୍‌ କରିବାରେ ସେ ପ୍ରଥମ ଖେଳାଳି ଭାବେ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଅନ୍ୟପକ୍ଷରେ ମାଲୋର୍କା ବିପକ୍ଷ ଏହି ବିଦେଶ ବିଜୟ ବାର୍ସିଲୋନା ଦଳକୁ ପ୍ରତିଯୋଗିତାର ଶୀର୍ଷରେ ରଖିଛି। ୨୮ ମ୍ୟାଚ୍‌ରୁ ୬୧ ପଏଣ୍ଟ ସହ ବାର୍ସିଲୋନା ତାଲିକାର ପ୍ରଥମ ସ୍ଥାନରେ ରହିଥିଲା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ରିଅଲ୍‌ ମାଦ୍ରିଦ୍‌ଠାରୁ ୫ ପଏଣ୍ଟ୍‌ ଆଗରେ ରହିଛି। ରିଅଲ୍‌ ମାଦ୍ରିଦ୍‌ ଲା ଲିଗା ଫେରନ୍ତାରେ ତା’ର ପ୍ରଥମ ମ୍ୟାଚ୍‌ ରବିବାର ଆଇବାର୍‌ ସହ ଖେଳିବ।

ଶାସ୍ତ୍ରୀଙ୍କୁ ଆଉ ଟ୍ରୋଲ୍‌ କରିବେନି ବାର୍ସିଲୋନା ପ୍ରଶଂସକ
ନୂଆଦିଲ୍ଲୀ: କରୋନା ପାଇଁ କ୍ରୀଡ଼ା ପ୍ରତିଯୋଗିତା ଗତ ମାର୍ଚରୁ ବନ୍ଦ ରହିଥିଲା ‌‌ବେଳେ ସପ୍ତାହେ ହେଲା କିଛି ପ୍ରତିଯୋଗିତା ଆରମ୍ଭ ହୋଇଛି। ୟୁରୋପୀୟ ଫୁଟ୍‌ବଲ୍‌ ଲିଗ୍‌ ଲା ଲିଗା ମଧ୍ୟ ଆରମ୍ଭ ହେଲାଣି। କରୋନା ପରେ ଶନିବାର ଲିଓ‌ନିଲ ମେସିଙ୍କ ଦଳ ବାର୍ସିଲୋନା ଏହି ଲିଗ୍‌‌ର ପ୍ରଥମ ମ୍ୟାଚ୍‌ ଖେଳିଥିଲା। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ୪-୦ ଗୋଲ୍‌ରେ ମାଲୋର୍କାକୁ ପରାସ୍ତ କରିଥିଲା। ‌ଏହି ମ୍ୟାଚ୍‌କୁ ଭ‌ାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦେଖିବା ସହ ଟ୍ବିଟ୍‌ କରି ନିଜର ଖୁସି ବ୍ୟକ୍ତ କରିଥିଲେ। ସେ ମେସିଙ୍କ କିଛି ଫଟୋକୁ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ ‘କିକ୍‌ ଓ ଜୀବନ୍ତ କରିବାକୁ ଶ୍ରେଷ୍ଠ ଦଳ ପଡ଼ିଆକୁ ଫେରିଲା’। ଏହି ପୋଷ୍ଟ୍‌କୁ ସେ ବାର୍ସିଲୋନା କ୍ଲବ୍‌କୁ ଟ୍ୟାଗ୍‌ କରିଥିଲେ। ପୂର୍ବରୁ ସବୁବେଳେ ବିଭିନ୍ନ ପ୍ରସଂଗକୁ ନେଇ ଶାସ୍ତ୍ରୀ ଟ୍ରୋଲର ଶୀକାର ହେଉଥିଲେ। ଏହି ପୋଷ୍ଟ୍‌ ପରେ ବାର୍ସିଲୋନାର କିଛି ପ୍ରଶଂସକ ଆଉ କେବେ ଶାସ୍ତ୍ରୀଙ୍କୁ ଟ୍ରୋଲ୍‌ କରିବେନି ବୋଲି ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର