ନୂଆଦିଲ୍ଲୀ: ଲିଓନେଲ୍ ମେସିଙ୍କ ଇଣ୍ଟର ମିଆମି ଏଫ୍ସି ଆସନ୍ତା ବର୍ଷ ଫେବ୍ରୁଆରିରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅଲ ନାସର କ୍ଲବ୍ ସହିତ ମ୍ୟାଚ୍ ଖେଳିବା ସ୍ପଷ୍ଟ ହୋଇଛି। ପ୍ରାକ୍ ଋତୁ ଆନ୍ତର୍ଜାତିକ ଗ୍ରସ୍ତ ମଧ୍ୟରେ ଇଣ୍ଟର ମିଆମି ଏହି ମ୍ୟାଚ୍ ଖେଳିବାକୁ ଯାଉଥିବା ମେଜର ଲିଗ୍ ସକର (ଏମ୍ଏଲ୍ଏସ୍) ପକ୍ଷରୁ ଘୋଷଣା କରାଯାଇଛି। ଏମ୍ଏଲ୍ଏସ୍ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଇଣ୍ଟର ମିଆମି ୨୦୧୪ରେ ସାଉଦି ଆରବ ଗସ୍ତ କରିବା ସହ ସେଠାରେ ରିୟାଧ ସିଜନ୍ କପ୍ରେ ଅଂଶଗ୍ରହଣ କରିବ।
ଏହା କ୍ଲବ୍ର ପ୍ରଥମ ଆନ୍ତର୍ଜାତିକ ଗସ୍ତ। ସେଠାରେ ଇଣ୍ଟର ମିଆମି ଦୁଇଟି ମ୍ୟାଚ୍ ଖେଳିବ। ଜାନୁଆରି ୨୯ ତାରିଖରେ ସାଉଦି କ୍ଲବ୍ ଅଲ୍ ହିଲାଲ୍ ଏସ୍ଏଫ୍ସି ଓ ଫେବ୍ରୁଆରିରେ ଅଲ୍ ନାସର ଏଫ୍ସି ସହିତ ଉକ୍ତ ଦୁଇଟି ମ୍ୟାଚ୍ ଖେଳିବା ସ୍ପଷ୍ଟ କରାଯାଇଛି। ଉକ୍ତ ତିନି ଦଳଙ୍କ ମଧ୍ୟରେ ରାଉଣ୍ଡ ରବିନ୍ ଆଧାରରେ ମ୍ୟାଚ୍ ଖେଳାଯିବ। ସାଉଦି ଗସ୍ତ ପୂର୍ବରୁ ଇଣ୍ଟର ମିଆମିର ଇଏଲ୍ ସାଲଭାଡୋର ଓ ହଙ୍ଗକଙ୍ଗରେ ରହଣି ଥିବା କୁହାଯାଇଛି। ସୂଚନାଯୋଗ୍ୟ, ମେସି ଓ ରୋନାଲ୍ଡୋ ପରସ୍ପର ବିପକ୍ଷରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ମେସିଙ୍କ ଦଳ ୧୬ ବିଜୟ ପାଇଥିଲା ବେଳେ ରୋନାଲ୍ଡୋଙ୍କ ଦଳ ୧୦ ମ୍ୟାଚ୍ ଜିତିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ଅମୀମାଂସିତ ରହିଛି। ଏହି ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେସି ୨୧ ଗୋଲ୍ ଓ ୧୨ ସହାୟତା ଦେଇଥିଲା ବେଳେ ରୋନାଲ୍ଡୋ ୨୦ ଗୋଲ୍ ଓ ଗୋଟିଏ ଗୋଲ୍ରେ ସହାୟତା ଦେଇଛନ୍ତି।