ବାର୍ସେଲୋନା ଛାଡ଼ିବାର କାରଣ କହିଲେ ମେସି

ପ୍ୟାରିସ୍: ଆର୍ଜେଣ୍ଟିନା କିଂବଦନ୍ତି ଲିଓନେଲ ମେସି ଦୀର୍ଘ ୧୭ ବର୍ଷ ହେବ ସ୍ପେନ୍‌ର ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍ ବାର୍ସେଲୋନାର ଅବିଚ୍ଛିନ୍ନ ଅଙ୍ଗ ହୋଇରହିଛନ୍ତି। ଏବେ କିନ୍ତୁ ସେ ନିଜ ପ୍ରିୟ କ୍ଲବ୍‌କୁ ଛାଡ଼ିବାର ଆଗ୍ରହ ପ୍ରକାଶ କରିଛନ୍ତି। ମଙ୍ଗଳବାର ମେସିଙ୍କ ଆଗାମୀ ଭବିଷ୍ୟତ ନେଇ ଏଭଳି ଖବର ପଦାକୁ ଆସିବା ପରେ ବିଶ୍ବ ଫୁଟବଲ୍‌ରେ ଏହା ପ୍ରମୁଖ ଚର୍ଚାର ବିଷୟ ହୋଇଥିଲା। କାହିଁକି ଏବଂ କେଉଁ ପରିସ୍ଥିତିରେ ସେ ବାର୍ସେଲୋନା ଛାଡ଼ିବାକୁ ଚାହୁଛନ୍ତି, ସେ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଥିଲା। ବୁଧବାର ମେସି ନିଜେ ଏହାର କାରଣ ଉପରୁ ପରଦା ଉଠାଇଛନ୍ତି। ଚଳିତ ଋତୁରେ ବାର୍ସେଲୋନା ଦଳର ଦୁର୍ବଳ ପ୍ରଦର୍ଶନ ଏହାର ପ୍ରମୁଖ କାରଣ ବୋଲି ସେ ଆଭାସ ଦେଇଛନ୍ତି। ଚାମ୍ପିଅନ୍ସ ଲିଗ୍ କ୍ବାର୍ଟର ଫାଇନାଲରେ ବେୟର୍ନ ମ୍ୟୁନିକଠାରୁ ବାର୍ସେଲୋନା ୨-୮ ଗୋଲ୍‌ର ଲଜ୍ଜାଜନକ ପରାଜୟ ବରଣ କରିବା ତାଙ୍କୁ ବ୍ୟଥିତ କରିଥିଲା। ଏହା ମଧ୍ୟ ମେସିଙ୍କ ଖେଳ ଜୀବନର ଅନ୍ୟତମ ଲଜ୍ଜାଜନକ ପରାଜୟ ଥିଲା।

ସେହିଭଳି ଏହି ପରାଜୟ ପରେ ବାର୍ସେଲୋନା ୨୦୦୭-୦୮ ପରେ ପ୍ରଥମ ଥର ପାଇଁ କୌଣସି ଟ୍ରଫି ନ ଜିତି ଋତୁ ଶେଷ କରିଥିଲା। ମେସିଙ୍କ କ୍ଲବ୍ ଛାଡ଼ିବା ପ୍ରସ୍ତାବ ପରେ କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଆଇନଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମେସି ତାଙ୍କ ଚୁକ୍ତିରେ ଥିବା ଏକ ଧାରା ଆଧାରରେ ଋତୁ ଶେଷ ପରେ ମାଗଣାରେ କ୍ଲବ୍ ଛାଡ଼ିବାକୁ କହିଛନ୍ତି। ହେଲେ କ୍ଲବ୍ ତାଙ୍କ ସହ ଏକମତ ‌ହୋଇନି। ଏହି ଧାରାର ଅବଧି ଗତ ଜୁନ୍ ମାସରୁ ଶେଷ ହୋଇଯାଇଛି ବୋଲି କ୍ଲବ୍ ଅଣଆନୁଷ୍ଠାନିକ ଭାବେ ଜଣାଇଛି। ଏହି ବିଷୟରେ ଆଇନ ବିଶେଷଜ୍ଞଙ୍କ ପରମର୍ଶ ନେଉଥିବା ମଧ୍ୟ ସୂଚନା ଦେଇଛି। ବାର୍ସେଲୋନାରେ ରହିବା ସମୟରେ ମେସି ବ୍ୟକ୍ତିଗତ ଭାବେ ୬ଟି ବାଲନ’ଡିଓର ଟ୍ରଫି ଜିତିଥିଲା ବେଳେ କ୍ଲବ୍‌କୁ ଦଶଟି ସ୍ପାନିସ୍ ଲିଗ୍ ଓ ଚାରିଟି ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତାଇଥିଲେ। ସୂଚନାଯୋଗ୍ୟ ଯେ ସ୍ପାନିସ୍ ଫୁଟବଲ୍ ଋତୁ ସାଧାରଣତଃ ମେ’ ମାସରେ ଶେଷ ହୋଇଥାଏ। ହେଲେ କରୋନା ସଙ୍କଟ ପାଇଁ ଚଳିତ ବର୍ଷ ଏହା ଅଗଷ୍ଟ ମାସକୁ ଲମ୍ବିଥିଲା। ମେସିଙ୍କୁ ଯଦି ବାର୍ସେଲୋନା କ୍ଲବ୍ ବିନା ଟ୍ରାନ୍ସଫର ଫି’ରେ ଛାଡ଼ିଦିଏ, ତାହାଲେ ତାଙ୍କୁ ଏକ ନୂଆ ଦଳ ଖୋଜିବା ଲାଗି ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସାରା ବିଶ୍ବରେ ତାଙ୍କର କୋଟି କୋଟି ପ୍ରଶଂସକ ଥିଲା ବେଳେ ଏବେଠାରୁ ବିଭିନ୍ନ କ୍ଲବ୍ ତାଙ୍କୁ ନିଜ ନିଜର ଦଳରେ ନେବାକୁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଦେଲେଣି।

ସମ୍ବନ୍ଧିତ ଖବର