ବୁଏନ୍‌ସ ଏୟାର୍ସ : ୨୦୨୨ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟର ଗୁରୁବାର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନାର ତାରକା ଖେଳାଳି ଲିଓନେଲ୍‌ ମେସି ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ବୋଲିଭିଆ ବିପକ୍ଷ ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ରେ ବିଜୟୀ ହୋଇଥିଲା ବେଳେ ମେସି ହିଁ ସବୁତକ ଗୋଲ୍‌ କରିଥିଲେ। ଏହି ବିଜୟ ବଳରେ ଆର୍ଜେଣ୍ଟିନା ମଧ୍ୟ ଆସନ୍ତାବର୍ଷ କାତାରରେ ଆୟୋଜିତ ଫାଇନାଲ୍‌ସକୁ ଯୋଗ୍ୟତା ହାସଲ କରିବାର ନିକଟତର ହୋଇଛି।

Advertisment

ତେବେ ବୋଲିଭିଆ ମ୍ୟାଚ୍‌ରେ ୩ ଗୋଲ୍‌ କରିଥିବା ମେସି ଏହି ଅବସରରେ ବ୍ରାଜିଲ୍‌ର ମହାନ୍‌ ତାରକା ପେଲେଙ୍କ କୀର୍ତ୍ତିମାନକୁ ଟପିଯାଇଛନ୍ତି। ଏକ୍ଷେତ୍ରରେ ସେ ଦକ୍ଷିଣ ଆମେରିକୀୟ ଫୁଟ୍‌ବଲ୍‌ ଇତିହାସରେ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍‌ ସ୍କୋରର୍‌ ହୋଇଛନ୍ତି। ଏହି କୀର୍ତ୍ତିମାନ ପେଲେ (୭୭ ଗୋଲ୍‌)ଙ୍କ ନାମରେ ବହୁ ବର୍ଷ ଧରି ଅତୁଟ ରହିଥିଲା ବେଳେ ମେସିଙ୍କ ଗୋଲ୍‌ ସଂଖ୍ୟା ୭୯ରେ ପହଞ୍ଚିଯାଇଛି। ୩୪ ବର୍ଷ ବୟସ୍କ ଫରୱାର୍ଡ ମେସି ଆର୍ଜେଣ୍ଟିନା ପାଇଁ ୧୫୩ତମ ମ୍ୟାଚ୍‌ ଖେଳିଥିଲେ। ବୋଲିଭିଆ ବିପକ୍ଷ ଗୁରୁବାର ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ କରି ମେସି ସର୍ବାଧିକ ଆନ୍ତର୍ଜାତିକ ଗୋଲ୍‌ ସଂଖ୍ୟାରେ ପେଲେଙ୍କ ସମକକ୍ଷ ହୋଇଥିଲେ। ଏହାପରେ ୬୪ତମ ମିନିଟ୍‌ରେ ଦ୍ବିତୀୟ ଗୋଲ୍‌ କରି ପେଲେଙ୍କୁ ଟପି ଯାଇଥିଲେ। ଶେଷରେ ମ୍ୟାଚ୍‌ ସରିବାକୁ ୨ ମିନିଟ୍‌ ଥିଲା ବେଳେ ମେସି ତୃତୀୟ ତଥା ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ପେଲେଙ୍କଠୁ ୨ ଅଗ୍ରଣୀ ପାଇଥିଲେ। ଏଥି ସହିତ ମେସି ମଧ୍ୟ ନିଜ ଖେଳ ଜୀବନରେ ସପ୍ତମ ଥର ପାଇଁ ଆନ୍ତର୍ଜାତିକ ହ୍ୟାଟ୍ରିକ୍‌ ଅର୍ଜନ କରିନେଇଥିଲେ। ଫଳରେ ଦକ୍ଷିଣ ଆମେରିକୀୟ ଭାବେ ପେଲେଙ୍କ ହ୍ୟାଟ୍ରିକ୍‌ ସଂଖ୍ୟା ତୁଳନାରେ ମେସି ୨ ଅଧିକ ଆଗରେ ରହିଛନ୍ତି।

publive-image

ପେରୁକୁ ହରାଇଲା ବ୍ରାଜିଲ
ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟର ଗୁରୁବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାଜିଲ ୨-୦ ଗୋଲ୍‌ରେ ପେରୁକୁ ପରାସ୍ତ କରିଥିଲା। ଏଭରଟନ୍‌ ରିବେଇରୋ ଦୁଇଟି ମ୍ୟାଚ୍‌ରେ ନିଜର ଦ୍ବତୀୟ ଗୋଲ୍‌ ସ୍କୋର୍‌ କରି ବ୍ରାଜିଲ ବିଜୟର କର୍ଣ୍ଣଧାର ସାଜିଥିଲେ। ଗତ ସପ୍ତାହରେ ଚିଲି ବିପକ୍ଷ ବିଜୟୀ ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ କରିଥିବା ରିବେଇରୋ ପେରୁ ବିପକ୍ଷରେ ମଧ୍ୟ ଗୋଟିଏ ଗୋଲ୍‌ କରିଥିଲେ। ସେ ୧୫ତମ ମିନିଟ୍‌ରେ ଏହି ଗୋଲ୍‌ ଦେଇଥିଲେ। ପରବର୍ତୀ ଗୋଲ୍‌ଟି ନେମାର କରିଥିଲେ। ଏଥି ସହିତ ପୂର୍ବ ୧୨ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକରେ ପେରୁକୁ ପରାସ୍ତ କରିଥିବା ବ୍ରାଜିଲ ଏହି ଦଳ ବିପକ୍ଷରେ ଅପରାଜେୟ ରହିଛି। ଏହା ମଧ୍ୟ ଘରୋଇ ମାଟିରେ ବ୍ରାଜିଲ୍‌ର ନବମ କ୍ରମାଗତ ଯୋଗ୍ୟତାପର୍ଯ୍ୟାୟ ବିଜୟ ଥିଲା। କେବଳ ସେତିକି ନୁହେଁ ୨୦୨୨ କାତାର ଯୋଗ୍ୟତାପର୍ଯ୍ୟାୟରେ ବ୍ରାଜିଲ ମଧ୍ୟ ୮ ମ୍ୟାଚ୍‌ରୁ ୮ ବିଜୟ ହାସଲ କରିସାରିଛି। ଫଳରେ ବ୍ରାଜିଲ ୨୪ ପଏଣ୍ଟ ସହ ଦକ୍ଷିଣ ଆମେରିକୀୟ ଯୋଗ୍ୟତାପର୍ଯ୍ୟାୟ ଗ୍ରୁପ୍‌ରେ ଶୀର୍ଷରେ ରହିଥିଲା ବେଳେ ଆର୍ଜେଣ୍ଟିନାଠାରୁ ୬ ପଏଣ୍ଟ୍‌ ଆ‌ଗରେ ରହିଛି। ଏହି ଗ୍ରୁପ୍‌ରୁ ଶ୍ରେଷ୍ଠ ୪ ଦଳ ହିଁ ଫାଇନାଲ୍‌ସକୁ ସିଧାସଳଖ ଯୋଗ୍ୟତା ହାସଲ କରିବେ ଏବଂ ପଞ୍ଚମ ଦଳ ଅନ୍ତଃଆଞ୍ଚଳିକ ପ୍ଲେଅଫ୍‌କୁ ଯିବ।

ଚିଲିକୁ କଲମ୍ବିଆ ଏବଂ ଇକ୍ବେଡରକୁ ଉରୁଗୁଏ ହରାଇଲା
ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟର ଗୁରୁବାର ଖେଳାଯାଇଥିବା ଅନ୍ୟ ଦୁଇଟି ମ୍ୟାଚ୍‌ରେ କଲମ୍ବିଆ ଏବଂ ଉରୁଗୁଏ ବିଜୟୀ ହୋଇଛନ୍ତି। ମିଗୁଏଲ୍‌ ବୋର୍ଜାଙ୍କ ଯୁଗଳ ଗୋଲ୍‌ ବଳରେ କଲମ୍ବିଆ ୩-୧ରେ ଚିଲିକୁ ପରାସ୍ତ କରିଥିଲା ବେଳେ ଗାଷ୍ଟନ ପେରେଇରୋଙ୍କ ଷ୍ଟପେଜ୍‌ ଟାଇମ୍‌ ଗୋଲ୍‌ ସହାୟତାରେ ଉରୁଗୁଏ ୧-୦ରେ ଇକ୍ବେଡରକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଉରୁଗୁଏ ଗ୍ରୁପ୍‌ରେ ତୃତୀୟ ଏବଂ କଲମ୍ବିଆ ପଞ୍ଚମ ସ୍ଥାନରେ ରହିଛନ୍ତି।