ପେଲେଙ୍କ କୀର୍ତ୍ତିମାନକୁ ଟପିଲେ ମେସି

ଭାଲାଡୋଲିଡ୍‌ (ସ୍ପେନ୍‌): ବ୍ରାଜିଲ କିଂବଦନ୍ତି ପେଲେଙ୍କ ସର୍ବକାଳୀନ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନକୁ ବାର୍ସିଲୋନା ତାରକା ଲିଓନେଲ୍‌ ମେସି ଟପି ଯାଇଛନ୍ତି। ମଙ୍ଗଳବାର ଲା’ ଲିଗା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ରିଅଲ୍‌ ଭାଲାଡୋଲିଡ୍‌ ଦଳକୁ ୩-୦ରେ ବାର୍ସିଲୋନା ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ମେସି ଦଳ ପକ୍ଷରୁ ତୃତୀୟ ଗୋଲ୍‌ଟି ସ୍କୋର୍‌ କରିଥିଲେ। ଆଉ ଏହି ଗୋଲ୍‌ ବଳରେ ବାର୍ସିଲୋନା ପାଇଁ ମେସିଙ୍କ ସର୍ବକାଳୀନ ଗୋଲ୍‌ ସଂଖ୍ୟା ୬୪୪ରେ ପହଞ୍ଚି ଯାଇଥିଲା। ଫଳରେ ସେ ଗୋଟିଏ କ୍ଲବ୍‌ ପକ୍ଷରୁ ପେଲେଙ୍କ ସର୍ବକାଳୀନ ସର୍ବାଧିକ ଗୋଲ୍‌ ୬୪୩ ସଂଖ୍ୟାକୁ ପଛରେ ପକାଇ ଦେଇଥିଲେ।

ପେଲେ ବ୍ରାଜିଲର ସାଣ୍ଟୋସ୍‌ କ୍ଲବ୍‌ ପକ୍ଷରୁ ୧୯ ବର୍ଷ ଧରି (୧୯୫୬ରୁ ୧୯୭୪ ମସିହା) ଖେଳି ୬୪୩ ଗୋଲ୍‌ର ବିଶ୍ବ କୀର୍ତ୍ତିମାନକୁ ଏପର୍ଯ୍ୟନ୍ତ ଅତୁଟ ରଖିଥିଲେ। ହେଲେ ମେସି ଗତ ଶନିବାର ଭାଲେନ୍‌ସିଆ ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ କରି ପେଲେଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଯାଇଥିଲେ। ପୁଣି ମଙ୍ଗଳବାର ଭାଲାଡୋଲିଡ୍‌ ବିପକ୍ଷରେ ଗୋଟିଏ ଗୋଲ୍‌ କରି ପେଲେଙ୍କୁ ଟପି ଯାଇଥିଲେ। ତାଙ୍କ କୀର୍ତ୍ତିମାନକୁ ଟପି ଯାଇଥିବାରୁ ମେସିଙ୍କୁ ମଧ୍ୟ ପେଲେ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି। ଆଧୁନିକ ଯୁଗର ଫୁଟ୍‌ବଲ୍‌ ଖେଳ‌ରେ କୌଣସି ଗୋଟିଏ କ୍ଲବ୍‌ ପକ୍ଷରୁ ଦୀର୍ଘ ବର୍ଷ ଖେଳିବା ଜଣେ ତାରକା ଖେଳାଳିଙ୍କ କ୍ଷେତ୍ରରେ ବିରଳ ବୋଲି ବର୍ଣ୍ଣନା କରିଛନ୍ତି ପେଲେ। ‘‘ତୁମର ଐତିହାସିକ କୀର୍ତ୍ତିମାନ ପାଇଁ ଅଭିନନ୍ଦନ ଲିଓନେଲ୍‌। କିନ୍ତୁ ସବୁ ସତ୍ତ୍ବେ ବାର୍ସିଲୋନାରେ ତୁମର ଉଜ୍ଜଳ କ୍ୟାରିୟର ପାଇଁ ମଧ୍ୟ ଆଉ ଥରେ ଅଭିନନ୍ଦନ। ଗୋଟିଏ କ୍ଲବ୍‌ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିବାର କାହାଣୀ ଅବର୍ଣ୍ଣନୀୟ। ଫୁଟ୍‌ବଲ୍‌ରେ ଏଭଳି ଘଟଣା କ୍ବଚିତ୍‌ ଦେଖାଯାଏ।’’ ବୋଲି ପେଲେ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ଲେଖିଛନ୍ତି।

୨୦୧୫ରେ ବାର୍ସିଲୋନା ପାଇଁ ପ୍ରଥମ ଗୋଲ୍‌ କରିଥିବା ମେସି କୀର୍ତ୍ତିମାନଭରା ୬୪୪ ଗୋଲ୍‌ କରିବା ପାଇଁ ୭୪୯ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୧୭ ଋତୁ ଧରି ଏହି କ୍ଲବ୍‌ ପକ୍ଷରୁ ଖେଳି ଆସୁଛନ୍ତି। ପୁଣି ମେସି ୧୦ ଲା ଲିଗା ଟ୍ରଫି ଜିତିଥିଲା ବେଳେ କ୍ଲବ୍‌ ପାଇଁ ୪ ଚାମ୍ପିଅନ୍‌ସ ଲିଗ୍‌ ଟ୍ରଫିରେ ଭାଗୀଦାରି ରହିଛନ୍ତି। ଅନ୍ୟପକ୍ଷରେ ପେଲେ ୬୪୩ ଗୋଲ୍‌ କରିବା ଦିଗରେ ମେସିଙ୍କଠୁ ଦ୍ରୁତତମ ଥିଲେ। ପେଲେ ୬୬୫ ମ୍ୟାଚ୍‌ରେ ୬୪୩ ଗୋଲ୍‌ କରିଥିଲେ। ପେଲେଙ୍କ ସର୍ବକାଳୀନ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ ମଧ୍ୟ ମେସିଙ୍କ ପାଇଁ ପେଲେଙ୍କ ଆଉ ଏକ କୀର୍ତ୍ତିମାନ ଭାଙ୍ଗିବା ସମ୍ଭବ ହୋଇନି। ପେଲେ ନିଜ ଦେଶ ବ୍ରାଜିଲ୍‌ ପାଇଁ କରିଥିବା ୭୭ ଗୋଲ୍‌ ଏବେ ବି ଦକ୍ଷିଣ ଆମେରିକୀୟ କୀର୍ତ୍ତିମାନ ହୋଇ ରହିଛି। ମେସି ଏପର୍ଯ୍ୟନ୍ତ ନିଜ ଦେଶ ଆର୍ଜେଣ୍ଟିନା ପକ୍ଷରୁ ୭୧ ଗୋଲ୍‌ କରିସାରିଥିଲା ବେଳେ ପେଲେଙ୍କ କୀର୍ତ୍ତିମାନକୁ ଟପିବାଠାରୁ ୭ ପଛରେ ରହିଛନ୍ତି। ଏପରିକି ଆଉ ୬ ଗୋଲ୍‌ କରିପାରିଲେ ସେ ପେଲେଙ୍କ କୀର୍ତ୍ତିମାନ ସମକକ୍ଷ ହୋଇପାରିବେ।

ପ୍ରଶଂସକଙ୍କୁ ଆବେଗଭରା ବାର୍ତା
ପେଲେଙ୍କ କୀର୍ତ୍ତିମାନକୁ ଟପି ଯିବା ପରେ ମେସି ତାଙ୍କ ପ୍ରଶଂସକଙ୍କ ଉଦେଶ୍ୟରେ ଆବେଗଭରା ବାର୍ତା ପଠାଇଛନ୍ତି। ‘‘ଯେତେବେଳେ ଫୁଟ୍‌ବଲ୍‌ ଖେଳିବା ଆରମ୍ଭ କଲି ସେତେବେଳେ ଅନ୍ୟ କାହାରି ଏବଂ ବିଶେଷକରି ପେଲେଙ୍କ କୀର୍ତ୍ତିମାନକୁ ଟପିଯିବା କଥା ମୁଁ କେବେ ବି ଭାବିନଥିଲି। ତେବେ ବି ସେଥିରୁ ଗୋଟିଏ ବଡ଼ କୀର୍ତ୍ତିମାନକୁ ଭାଙ୍ଗି ଦେଇପାରିଛି। ଆଉ ତାହା ହେଉଛନ୍ତି କିଂବଦନ୍ତି ପେଲେଙ୍କର। ଏହି ସଫଳତା ପାଇଁ ମୋତେ ଏତେ ବର୍ଷ ଧରି ସମର୍ଥନ ଦେଇଆସିଥିବା ପ୍ରତ୍ୟେକ ପ୍ରଶଂସକ ଏବଂ ଦଳୀୟ ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପରିବାରବର୍ଗ ଏବଂ ବନ୍ଧୁ ପରିଜନଙ୍କ ସହଯୋଗ ଓ ସମର୍ଥନକୁ ମଧ୍ୟ ସାଧୁବାଦ ଜଣାଉଛି’’ ବୋଲି ମେସି ବୁଧବାର ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର