ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିଂବଦନ୍ତି ଫୁଟ୍ବଲର୍ ଲିଓନେଲ ମେସି ଚଳିତ ବର୍ଷ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ସେ କୋଲ୍କାତା, ଅହମଦାବାଦ, ମୁମ୍ବାଇ ଓ ନୂଆଦିଲ୍ଲୀରେ ରହିବେ। ଏହି ଅବସରରେ ସେ କୋଲ୍କାତାରେ ୭୦ଫୁଟ୍ ଉଚ୍ଚ ନିଜର ଏକ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଗୋଟ୍ କପ୍ ଇଭେଣ୍ଟ୍ରେ ଯୋଗଦେବେ। ଏହା ସହିତ ଛୋଟପିଲାଙ୍କ ସହ କିଛି ସମୟ ଅତିବାହିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୧୨ ତାରିଖରେ ସେ କୋଲ୍କାତାରେ ରାତି ୧୦ଟାରେ ପହଞ୍ଚିବେ।
ଏହା ପରଦିନ ଲେକ୍ ଟାଉନ୍ ଶ୍ରୀଭୂମିସ୍ଥିତ ଭିଆଇପି ରୋଡ୍ରେ ଏହି ବିଶ୍ବକପ୍ ବିଜେତା ଅଧିନାୟକ ନିଜର ପ୍ରଥମ ଓ ଉଚ୍ଚତମ ପ୍ରତିମୂର୍ତ୍ତି ଅନାବରଣ କରିବେ। ସେହିଦିନ ଇଡେନ୍ ଗାର୍ଡେନ୍ସରେ ୭ ସାଇଡ୍ ସଫ୍ଟବଲ୍ ପ୍ରତିଯୋଗିତା ଗୋଟ୍ କପ୍ରେ ଭାଗନେବେ। ଏହି ପ୍ରତିଯୋଗିତାରେ ସୌରଭ ଗାଙ୍ଗୁଲି, ଲିଆଣ୍ଡର ପେସ୍, ଜନ୍ ଆବ୍ରାହମ୍, ବାଇଚୁଙ୍ଗ ଭୂତିଆଙ୍କ ଭଳି ତାରକାମାନେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡେନ୍ ଗାର୍ଡେନ୍ସରେ ତାଙ୍କୁ ସମର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ୧୩ ତାରିଖ ସଂଧ୍ୟାରେ ମେସି ଅହମଦାବାଦ ଗସ୍ତ କରି ଆଦାନୀ ଫାଉଣ୍ଡେସନ୍ର ଶାନ୍ତିଗ୍ରାମ ମୁଖ୍ୟାଳୟରେ ଏକ ଘରୋଇ କାର୍ଯ୍ୟରେ ଯୋଗଦେବେ। ୧୪ରେ ମୁମ୍ବାଇ ଗସ୍ତ କରି ଭାରତୀୟ ସେଲିବ୍ରିଟିଙ୍କ ସହ କ୍ରିକେଟ୍ ଖେଳିବେ ଏବଂ ଭାରତୀୟ ଫୁଟ୍ବଲ୍ ଦଳକୁ ଭେଟିବାର ଯୋଜନା ରହିଛି। ୧୫ତାରିଖରେ ଦିଲ୍ଲୀ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏବଂ ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଫୁଟ୍ବଲର୍ ଏବଂ କୁନି ପିଲାଙ୍କ ସହ ମିଶିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/03/rtt-14-2025-08-03-11-47-50.jpg)