ପ୍ୟାରିସ୍: ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଲିଓନେଲ ମେସିଙ୍କୁ ରେକର୍ଡ ସପ୍ତମଥର ପାଇଁ ବାଲାନ ଡି’ଓର ପୁରସ୍କାର ମିଳିଛି। ଫୁଟ୍‌ବଲ୍ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଭାବେ ପରିଚିତ ଏହି ପୁରସ୍କାର ଜିତିବାକ୍ରମରେ ମେସି ପୋଲାଣ୍ଡର ରୋବର୍ଟ ଲିୱାଣ୍ଡସ୍କି ଏବଂ ବ୍ରାଜିଲର ଜର୍ଗିନୋଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଦେଇଥିଲେ।

Advertisment

ଚଳିତ ବର୍ଷ ଆର୍ଜେଣ୍ଟିନାକୁ ପ୍ରଥମ ଥର ପାଇଁ କୋପା ଆମେରିକା କପ୍ ଜିତାଇଥିବା ମେସି ଏହା ପୂର୍ବରୁ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ବାଲାନ ଡି’ଓର ପୁରସ୍କାର ଜିତିଥିଲେ। ‘‘ଦୁଇବର୍ଷ ତଳେ ମୁଁ ଶେଷ ବାଲାନ ଡି’ଓର ଜିତିଲି ବୋଲି ଭାବିଥିଲି। ହେଲେ କୋପା ଆମେରିକା ବିଜୟ ପାଇଁ ପୁଣି ଏହି ପୁରସ୍କାର ଜିତିଥିବାରୁ ବହୁତ ଖୁସି ଲାଗୁଛି’’ ବୋଲି ମେସି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ୬୧୩ ପଏଣ୍ଟ ପାଇ ମେସି ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲା ବେଳେ ୫୮୦ ପଏଣ୍ଟ ପାଇ ବେୟର୍ଣ୍ଣ ମ୍ୟୁନିକ ଖେଳାଳି ଲିୱାଣ୍ଡସ୍କି ଶ୍ରେଷ୍ଠ ଆଗ୍ରଭାଗ ଖେଳାଳି ପୁରସ୍କାର ଲାଭ କରିଛନ୍ତି।

ଚେଲସି ଦଳର ଜର୍ଗିନୋ ୪୬୦ ପଏଣ୍ଟ ପାଇ ଫ୍ରାନ୍ସର କରିମ ବେଞ୍ଜିମା ଓ ଏନ୍‌ଗୋଲୋ କାଣ୍ଟେଙ୍କ ଆଗରେ ରହିଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ବର୍ଗର ବାଲାନ ଡି’ଓର ସ୍ପେନ୍‌ର ଆଲେକ୍ସିଆ ପୁତେଲାସ୍ ହାସଲ କରିଥିଲେ। ବାର୍ସେଲୋନାକୁ ଚାମ୍ପିଅନ୍ସ ଲିଗ୍ ବିଜେତା କରିବାରେ ପୁତେଲାସ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।