୨୦୦୫ ପରେ ପ୍ରଥମ ଥର ବାଦ୍ ପଡ଼ିଲେ ମେସି: ବାଲନ ଡି’ ଓର ମନୋନୟନ ତାଲିକାରେ ବେଞ୍ଜେମା, ରୋନାଲଡୋ ଓ ହଲାଣ୍ଡ

ପ୍ୟାରିସ୍: ଫୁଟବଲ୍ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ‘ବାଲନ ଡି’ଓର’ ପୁରସ୍କାର ମନୋନୟନ ତାଲିକାରେ ରିଅଲ ମାଦ୍ରିଦ ଦଳର ଆଗ୍ରଭାଗ ଖେଳାଳି କରିମ ବେଞ୍ଜେମାଙ୍କ ସହ ପର୍ତ୍ତୁଗାଲ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍ ଅଗ୍ରଭାଗ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ମା‌ଞ୍ଚେଷ୍ଟର ସିଟି ଅଗ୍ରଭାଗ ଖେଳାଳି ଏର୍ଲିଙ୍ଗ ହଲାଣ୍ଡଙ୍କ ସହ ମୋଟ ୩୦ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ୭ ଥର ପୁରସ୍କାର ବିଜେତା ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସି ୨୦୦୫ ମସିହା ପରେ ପ୍ରଥମ ଥର ଲାଗି ଏହି ତାଲିକାରେ ସ୍ଥାନ ପାଇନାହାନ୍ତି। ମେସିଙ୍କ ପ୍ୟାରିସ୍ ସେଣ୍ଟ ଜର୍ମାନ ସାଥୀ ତଥା ବ୍ରାଜିଲ ଅଧିନାୟକ ନେମାରଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନ ମିଳିନାହିଁ। ଫ୍ରାନ୍ସର ବେଞ୍ଜେମା ରିଅଲ ମାଦ୍ରିଦ ପକ୍ଷରୁ ଚଳିତ ଋତୁରେ ୪୬ ମ୍ୟାଚ୍ ଖେଳି ୪୪ ଗୋଲ୍ ଦେଇଛନ୍ତି। ରିଅଲ ମାଦ୍ରିଦ ଦଳର ଚାମ୍ପିଅନ୍ସ ଲିଗ୍ ଏବଂ ଲା’ ଲିଗା ଜିତିବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ ସେ। ରୋନାଲ୍‌ଡୋ ଓ ହଲାଣ୍ଡ ମଧ୍ୟ ନିଜ ନିଜ କ୍ଲବ୍‌ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ୩୦ ଜଣିଆ ମନୋନୟନ ତାଲିକାରୁ ଏହା ପରେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯିବ। ତା’ ପରେ ବିଜେତାଙ୍କ ନାଁ ଘୋଷଣା ହେବ।

ସମ୍ବନ୍ଧିତ ଖବର