ଭାଲେନ୍ସିଆ: ଲିଓନେଲ୍ ମେସିଙ୍କ ଯୁଗଳ ଗୋଲ୍ ବଳରେ ବାର୍ସିଲୋନା ଚଳିତ ଲା ଲିଗାରେ ୩-୨ରେ ଭାଲେନ୍ସିଆକୁ ପରାସ୍ତ କରିଛି। ଏଥି ସହିତ ବାର୍ସିଲୋନା ଲା ଲିଗା ଟାଇଟଲ ପ୍ରତିଦ୍ବନ୍ଦ୍ବୀ ଆଟ୍ଲେଟିକୋ ମାଦ୍ରିଦ୍ ଓ ରିଅଲ୍ ମାଦ୍ରିଦ୍ ଉପରେ ଚାପ ପ୍ରୟୋଗ କରିଛି। ଏହି ମ୍ୟାଚ୍ ଅବସରରେ ମେସି ଚଳିତ ଋତୁରେ ବ୍ୟକ୍ତିଗତ ୨୮ତମ ଲିଗ୍ ଗୋଲ୍ କରିଥିଲା ବେଳେ ବାର୍ସିଲୋନା ପାଇଁ ମଧ୍ୟ ୫୦ତମ ଫ୍ରିକିକ୍ ଗୋଲ୍ ସ୍କୋର୍ କରିଥିଲେ। ମେସି ୫୭ ଓ ୬୯ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ବାର୍ସିଲୋନା ପାଇଁ ଅବଶିଷ୍ଟ ଗୋଲ୍ଟି ୬୩ ମିନିଟ୍ରେ ଆଣ୍ଟୋନି ଗ୍ରିଜ୍ମ୍ୟାନ୍ ସ୍କୋର୍ କରିଥିଲେ। ଆଉ ୪ ମାଚ୍ ବାକି ଥିଲାବେଳେ ଏହି ବିଜୟ ପରେ ବାର୍ସିଲୋନା ୭୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଥିଲା ବେଳେ ସମାନ ପଏଣ୍ଟ୍ ପାଇ ରିଅଲ୍ ମାଦ୍ରିଦ୍ ଦ୍ବିତୀୟରେ ରହିଛି। ଆଟ୍ଲେଟିକୋ ମାଦ୍ରିଦ୍ ଏମାନଙ୍କଠୁ ୨ ପଏଣ୍ଟ୍ ଅଧିନ ସହ ଶୀର୍ଷରେ ରହିଛି।
ଜୁଭେଣ୍ଟସକୁ ଜିତାଇଲେ ରୋନାଲ୍ଡୋ
କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କ ଯୁଗଳ ଗୋଲ୍ ଜୁଭେଣ୍ଟସ୍କୁ ପରାଜୟରୁ ରକ୍ଷା କରିଛି। ସେରି-ଏ ପ୍ରତିଯୋଗିତାର ଏକ ମ୍ୟାଚ୍ରେ ୦-୧ରେ ପଛୁଆ ଥିବା ଜୁଭେଣ୍ଟସ୍ ପାଇଁ ରୋନାଲ୍ଡୋ ୨ଟି ଗୋଲ୍ କରିବାରୁ ତାଙ୍କ ଦଳ ୨-୧ରେ ବିଜୟୀ ହୋଇଥିଲା। ସେରି-ଏ’ରେ ୩୦ ମ୍ୟାଚ୍ରୁ ରୋନାଲ୍ଡୋ ବ୍ୟକ୍ତିଗତ ୨୭ତମ ଗୋଲ୍ କରିଛନ୍ତି। ଏହି ବିଜୟ ବଳରେ ଜୁଭେଣ୍ଟସ୍ ମଧ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ୪ ଦଳ ଦୌଡ଼ରେ ରହିଛି। ମୋଟ ୬୯ ପଏଣ୍ଟ ସହ ଜୁଭେଣ୍ଟସ୍ ତୃତୀୟକୁ ଉଠିଥିଲା ବେଳେ ସମାନ ପଏଣ୍ଟ ପାଇ ଆଟ୍ଲାଣ୍ଟା ଦ୍ବିତୀୟ ଏବଂ ଏସି ମିଲନ୍ ଚତୁର୍ଥ ସ୍ଥାନରେ ରହିଛି।
୧୧ ବର୍ଷ ପରେ ପ୍ରଥମ ଥର ଇଟାଲିର ବିଜେତା ହେଲା ଇଣ୍ଟର ମିଲନ
ଦୀର୍ଘ ୧୧ ବର୍ଷ ପରେ ଇଣ୍ଟର ମିଲନ୍ ପ୍ରଥମ ଥର ଲାଗି ଇଟାଲିର ବିଜେତା ଆଖ୍ୟା ହାତେଇଛି। ଦ୍ବିତୀୟ ସ୍ଥାନରେ ଥିବା ଆଟ୍ଲାଣ୍ଟା ସହ ୧-୧ ଗୋଲ୍ରେ ରବିବାର ମ୍ୟାଚ୍ ଅମୀମାଂସିତ ରଖିବାପରେ ମିଲନ୍ ୧୧ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ସେରି-ଏ ଟ୍ରଫି କରାୟତ୍ତ କରିଛି। ମିଲନ ମୋଟ ୧୩ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ରହି ଏହି ସଫଳତା ହାସଲ କରିଥିଲା ବେଳେ ଜୁଭେଣ୍ଟସ୍ର କ୍ରମାଗତ ୯ ବର୍ଷ ଧରି ବିଜେତା ଧାରାରେ ଅଙ୍କୁଶ ଲଗାଇଛି। ଶେଷ ଥର ପାଇଁ ୨୦୦୯-୧୦ ଋତୁରେ ସେରି-ଏ, କୋପା ଇଟାଲିଆ ଓ ଚାମ୍ପିଅନ୍ସ ଲିଗ୍ ଜିତିଥିବା ଇଣ୍ଟର ମିଲନ ଏଥରକୁ ମିଶାଇ ମୋଟ ୧୯ ଥର ଇଟାଲି ବିଜେତା ହୋଇଛି। ଏଥି ସହିତ ଏସି ମିଲନ୍ (୧୮ ଥର ବିଜେତା)କୁ ମଧ୍ୟ ପଛରେ ପକାଇ ଦେଇଛି।