ମେସିଙ୍କ ସ୍ବପ୍ନ ସାକାର, ବ୍ରାଜିଲକୁ ହରାଇ କୋପା ଆମେରିକା ଟ୍ରଫି ଜିତିଲା ଆର୍ଜେଣ୍ଟିନା

ଆୟୋଜକ ଭାବେ ପ୍ରଥମ ଥର ଫାଇନାଲ୍‌ରେ ହାରିଲା ବ୍ରାଜିଲ

ରିଓ ଡି’ଜେନିରୋ: ଦୁଇ ଥରର ବିଶ୍ବବିଜେତା ଆର୍ଜେଣ୍ଟିନା ୨୮ ବର୍ଷ ପରେ କୋପା ଆମେରିକା ଟ୍ରଫି ଜିତିବାକୁ ସକ୍ଷମ ‌ହୋଇଛି। ଏଥି ସହିତ ତାରକା ଖେଳାଳି ଲିଓନେଲ୍‌ ମେସିଙ୍କ ଟ୍ରଫି ହାସଲ ସ୍ବପ୍ନ ସାକାର ରୂପ ନେଇଛି। ଭାରତୀୟ ସମୟ ରବିବାର ପୂର୍ବାହ୍ନ ସାଢ଼େ ୫ଟାରେ ବ୍ରାଜିଲର ରିଓ ଡି’ଜେନି‌ରୋସ୍ଥିତ ମାରାକାନା ଷ୍ଟାଡିୟମରେ ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ଆୟୋଜକ ବ୍ରାଜିଲକୁ ପରାସ୍ତ କରି ପଞ୍ଚଦଶ ଥର ଲାଗି ଏହି ଟ୍ରଫି ହାତେଇଥି‌ଲା। ଏଥିସହ ଆର୍ଜେଣ୍ଟିନ‌ା ସର୍ବାଧିକ କୋପା ଆମେରିକା ଟ୍ରଫି ଜିତିବାରେ ଉରୁଗୁଏର ସମକକ୍ଷ ହୋଇଛି। ଶେଷ ଥର ଲାଗି ଏହି ଟ୍ରଫି ଆର୍ଜେଣ୍ଟିନା‌ ୧୯୯୩ରେ ଜିତିଥିଲା। ସେହିପରି ୧୯୯୩ ପରେ ଆର୍ଜେଣ୍ଟିନାର ଏହା ମଧ୍ୟ ପ୍ରଥମ ବଡ଼ ପ୍ରତିଯୋଗିତା ଟ୍ରଫି। ଏଥିସହ ଏହି ଦଳର ଅଧିନାୟକ ତଥା ତାରକା ଖେଳାଳି ‌ଲିଓନେଲ ମେସି ଅନ୍ତର୍ଜାତୀୟସ୍ତରରେ ପ୍ରଥମ ଥର ବଡ଼ ପ୍ରତିଯୋଗିତାରେ ଟ୍ରଫି ଜିତିବାରେ ସଫଳ ହୋଇଥିଲେ। ଲିଓନେଲ ସ୍କାଲୋନିଙ୍କ ପ୍ରଶିକ୍ଷଣରେ ଦଳ ମଧ୍ୟ ୨୦ ମ୍ୟାଚ୍‌ରେ ଅପରାଜିତ ରହିଛି। ଅନ୍ୟପକ୍ଷରେ ବ୍ରାଜିଲ ଏହି ମ୍ୟାଚ୍‌ ହାରି ପ୍ରଥମ ଥର ଲାଗି ଆୟୋଜକ ଭାବେ ଟ୍ରଫି ଜିତିବ‌ାରେ ବିଫଳ ହୋଇଛି।

ଫାଇନାଲ୍‌ ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଆଞ୍ଜେଲ ଡି’ମାରିଆଙ୍କ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପ୍ରାରମ୍ଭିକ ଅଗ୍ରଣୀ ମିଳିଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ହେବା ପରେ ଆର୍ଜେଣ୍ଟିନା ଘରୋଇ ଦଳକୁ ଦ୍ବିତୀୟାର୍ଦ୍ଧ‌ରେ କୌଣସି ସୁଯୋଗ ଦେଇନଥିଲା। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲର ୫ ଜଣ ଷ୍ଟ୍ରାଇକର୍‌ ଆକ୍ରମଣ କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ରକ୍ଷଣଭାଗକୁ ଭେଦ କରି ମ୍ୟାଚ୍‌ ସ୍ଥିତି ସମାନ କରିବାରେ ବିଫଳ ହୋଇଥିଲା। ଆର୍ଜେଣ୍ଟିନାର ଡିଫେଣ୍ଡର ‌ରୋଡ୍ରିଗୋ ଡି’ପଲ୍‌ଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଏହା ସମ୍ଭବ ହୋଇପାରିଥିଲା। ଏକମାତ୍ର ଗୋଲ୍‌ ଦେଇଥିବା ଡି’ମାରିଆ ଫାଇନାଲ୍‌ର ଶ୍ରେଷ୍ଠ ‌ଖେଳାଳି ବି‌ବେଚିତ ହୋଇଥିଲେ। ପ୍ରତିଯୋଗିତାର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପାଇଥିବା ମେସି ୪ ଗୋଲ୍‌ କରି ଯୁଗ୍ମଭାବେ କଲମ୍ବିଆର ଲୁଇସ ଡିଆଜ୍‌ଙ୍କ ସହ ସର୍ବାଧିକ ଗୋଲ୍‌ ସ୍କୋରର୍‌ ହୋଇଥିଲେ। ଆର୍ଜେଣ୍ଟିନାର ଏମିଲାନୋ ମାର୍ଟିଞ୍ଜଙ୍କୁ ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ମିଳିଥିଲା।

ମେସିଙ୍କ ଟ୍ରଫି ମରୁଡ଼ିର ଅବସାନ

ତାରକା ଖେଳାଳି ଲିଓନେଲ ମେସିଙ୍କ ଅନ୍ତର୍ଜାତୀୟ ଟ୍ରଫି ମରୁଡ଼ିର ଅବସାନ ହୋଇଛି। କୀର୍ତ୍ତିମାନ ଭରା ୬ ଥର ଫିଫା ବିଶ୍ବ ଶ୍ରେଷ୍ଠ ଖେଳାଳି ପୁରସ୍କାର ସହିତ ବ୍ୟକ୍ତିଗତ ଭାବେ ଏହି ବାର୍ସିଲୋନା ତାରକା ବହୁ ସଫଳତା ପାଇଥିଲେ। ହେଲେ ଅନ୍ତର୍ଜାତୀୟ ଟ୍ରଫି ଜିତିବାରେ ସଫଳ ହୋଇନଥିଲେ। ତେବେ ଆର୍ଜେଣ୍ଟିନା ରବିବାର ବ୍ରାଜିଲକୁ ହରାଇ କୋପା ଆମେରିକା ଟ୍ରଫି ଜିତିବା ପରେ ବ୍ରାଜିଲର ପେଲେ ଏବଂ ନିଜ ଦେଶର ଡିଏଗୋ ମାରାଡୋନାଙ୍କ ସହ ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲର ଭାବେ ପରିଗଣିତ ମେସିଙ୍କ ବହୁଦିନର ସ୍ବପ୍ନ ସାକାର ‌‌ହୋଇଥିଲା। ପୂର୍ବରୁ ସେ ବଡ଼ ପ୍ରତିଯୋଗିତାର ଫାଇନାଲ୍‌ରେ ୪ ଥର (୩ କୋପା ଆମେରିକା, ୨୦୧୪ ବିଶ୍ବକପ୍‌) ଖେଳିଥିଲେ ମଧ୍ୟ ପ୍ରତ୍ୟେକ ଥର ପରାଜୟ ପକ୍ଷରେ ରହିଥିଲେ। ଗତ କିଛି ସପ୍ତାହ ଚମତ୍କାର ଫର୍ମରେ ଥିବା ୩୪ ବର୍ଷୀୟ ମେସି ୨ଟି ଟ୍ରେଡ୍‌ମାର୍କ ଗୋଲ୍‌ ସହ ୪ ଗୋଲ୍‌ କରିଥିଲେ ଏବଂ ସର୍ବାଧିକ ୫ଟି ଗୋଲ୍‌ରେ ସହଯୋଗ ରଖି ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ୨୦୧୬ କୋପା ଆମେରିକା ଫାଇନାଲ୍‌ରେ ମେସି ସୁଟ୍‌ଆଉଟ୍‌ରେ ଗୋଲ୍‌ କରିବାରେ ବିଫଳ ହୋଇଥିଲା ବେଳେ ତାଙ୍କ ଦଳ ଚିଲିଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏହାପରେ ସେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ‌ନେଇଥିଲେ। ଏହାର କିଛି ଦିନ ପରେ ନିଜ ନିଷ୍ପତ୍ତି ବଦଳାଇ ସେ ପୁଣି ଥରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ଫେରିଥିଲେ। ଫେରିବା ପରେ ଏହି ଟ୍ରଫି ଜିତି ନିଜର ସ୍ବପ୍ନ ସାକାର କରିବା ସହ ୨୦୨୨ ବିଶ୍ବ କପ୍‌ ଉପରେ ନଜର ରଖିଛନ୍ତି।

ଆୟୋଜକ ଭାବେ ପ୍ରଥମ ଥର ଫାଇନାଲ୍‌ରେ ହାରିଲା ବ୍ରାଜିଲ

ଆୟୋଜକ ଭାବେ ବ୍ରାଜିଲ ପ୍ରଥମ ଥର ଲାଗି କୋପା ଆମେରିକା ଫାଇନାଲ୍‌ରେ ପରାଜୟର ମୁହଁ ଦେଖିଛି। ପୂର୍ବରୁ ୫ ଥର (୧୯୧୯, ୧୯୨୨, ୧୯୪୯, ୧୯୮୯, ୨୦୧୯) ବ୍ରାଜିଲ ଏହି ଆମେରିକା ମହାଦେଶୀୟ ପ୍ରତିଯୋଗିତା ଆୟୋଜନ କରି ବିଜେତା ହୋଇଥିଲା। ଚଳିତ ବର୍ଷ ମଧ୍ୟ ୯ଥରର ବିଜେତା ବ୍ରାଜିଲ ଘରୋଇ ପଡ଼ିଆରେ ଫାଇନାଲ୍‌ରେ ପହଞ୍ଚି ଏହି ଆଶା ସଞ୍ଚାର କରିଥିଲା। ତେବେ ଆର୍ଜେଣ୍ଟିନାଠୁ ୦-୧ ଗୋଲ୍‌ରେ ହାରି ନେମାରଙ୍କ ଦଳ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା। ତେଣୁ ନେମାରଙ୍କ ପାଇଁ ମଧ୍ୟ କୋପା ଆମେରିକା ଟ୍ରଫି ଜିତିବାର ବିଫଳତା ଜାରି ରହିଲା।

ସମ୍ବନ୍ଧିତ ଖବର