ମେସିଙ୍କ ମାଇଲଖୁଣ୍ଟ, ଆର୍ଜେଣ୍ଟିନା ପାଇଁ ୧୦୦ ଆନ୍ତର୍ଜାତିକ ଗୋଲ୍‌ କଲେ

ସାନ୍ତିଆଗୋ ଡେଲ୍‌ ଇଷ୍ଟେରୋ (ଆର୍ଜେଣ୍ଟିନା) : ବିଶ୍ବ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ଲିଓନେଲ ମେସି ମଙ୍ଗଳବାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏଠାରେ କୁରାକାଓ ବିପକ୍ଷ ଏକ ଆନ୍ତର୍ଜାତିକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିବା ଅବସରରେ ମେସି ଆର୍ଜେଣ୍ଟିନା ପାଇଁ ୧୦୦ ଗୋଲ୍‌ ପୂରଣ କରିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଆର୍ଜେଣ୍ଟିନା ଏହି ମ୍ୟାଚ୍‌କୁ ୭-୦ ଗୋଲ୍‌ରେ ଜିତିଥିଲା ବେଳେ ମେସି ଲଗାତାର ୩ ଗୋଲ୍‌ ଦେଇଥିଲେ। ଏହା ମଧ୍ୟ ଆର୍ଜେଣ୍ଟିନା ପାଇଁ ମେସିଙ୍କର ସପ୍ତମ ହ୍ୟାଟ୍ରିକ୍‌ ଥିଲା। ଏଥି ସହିତ ଆର୍ଜେଣ୍ଟିନା‌ ପାଇଁ ୧୭ ବର୍ଷ କ୍ୟା‌ରିୟରରେ ୧୦୦ ଆନ୍ତର୍ଜାତିକ ଗୋଲ୍‌ କରି ମେସି ମଧ୍ୟ ଦେଶର ଅଗ୍ରଣୀ ସ୍କୋରର୍‌ ହୋଇଯାଇଛନ୍ତି।

ମେସିଙ୍କ ପଛକୁ ଆର୍ଜେଣ୍ଟିନା ପାଇଁ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍‌ କରିବାରେ ଗାବ୍ରିଏଲ ବତିସ୍ତୁତା (୫୬) ଏବଂ ସର୍ଗିଓ ଅଗୁଏରୋ (୪୧) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଆର୍ଜେଣ୍ଟିନା ପାଇଁ ମେସିଙ୍କ ମୋଟ ଗୋଲ୍‌ ସଂଖ୍ୟା‌ ୧୦୨ରେ ପହଞ୍ଚିଥିଲା ବେଳେ ସେ ଗୋଟିଏ ଦେଶ ପକ୍ଷରୁ ସର୍ବକାଳୀନ ସର୍ବାଧିକ ଗୋଲ୍‌ ତାଲିକାରେ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‌ଡୋ (୧୨୨) ଏବଂ ଈରାନର ଅଲ୍ଲୀ ଦାଏ (୧୦୯)ଙ୍କ ପଛକୁ ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର