ନୂଆ କ୍ଲବ୍‌ ସାଥୀଙ୍କ ସହ ମେସିଙ୍କ ଅଭ୍ୟାସ

ପ୍ୟାରିସ: ବାର୍ସିଲୋନା ଛାଡ଼ିଥିବା ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ୍‌ ମେସି ଦୁଇ ଦିନ ତଳେ ପ୍ୟାରିସ ସେଣ୍ଟ୍‌ ଜର୍ମାନ (ପିଏସ୍‌ଜି)ରେ ଯୋଗ ଦେଇଥିଲେ। ଗୁରୁବାର ସେ ନୂଆ କ୍ଲବ୍‌ ସାଥୀଙ୍କ ସହ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ବାର୍ସିଲୋନା ସହ ୧୦ ଲାଲିଗା ଏବଂ ୪ ଚାମ୍ପିଅନ୍‌ସ ଲିଗ୍‌ ବିଜେତା ହେବାର ଗୌରବ ଅର୍ଜନ କରିଥିବା ମେସିଙ୍କ ଅନ୍ୟ କ୍ଲବ୍‌ ପକ୍ଷରୁ ଅଭ୍ୟାସ କରିବା ପ୍ରଥମ ଘଟଣା ହୋଇଛି। ପିଏସ୍‌ଜି ସହ ପଦାର୍ପଣ ଅଭ୍ୟାସ ଅଧିବେସନରେ ମେସି କ୍ଲବ୍‌ ଅଭ୍ୟାସ ପଡ଼ିଆରେ ଦୌଡ଼ିବା ସହ କିଛି ବ୍ୟାୟ‌ାମ କରିଥିଲେ। ଏହା ପରେ ୬ ଥରର ବାଲନ୍‌ ଡି’ଓର୍‌ ବିଜେତା ନୂଆ ଦଳୀୟ ସାଥୀଙ୍କ ସହ ଭେଟି ପରିଚିତ ହୋଇଥିଲେ। ମେସି ମଧ୍ୟ ତାଙ୍କ ବହୁଦିନର ପ୍ରତିଦ୍ବନ୍ଦ୍ବୀ ସର୍ଜିଓ ରା‌ମୋସଙ୍କ ସହ କ୍ଲବ୍‌ ଜିମ୍‌ରେ ହସଖୁସିରେ କରିଥିଲେ। ଲା ଲିଗା’ର ଅର୍ଥନୈତିକ ନୀତି ଅନୁଯାୟୀ ନିଜ ପାଖରେ ରଖିବାକୁ ଅସମର୍ଥ ହେବାରୁ ୩୪ ବର୍ଷୀୟ ମେସି କ୍ଲବ୍‌ ଛାଡ଼ି ପିଏସ୍‌ଜିରେ ଯୋଗ ଦେଇଥିଲେ। ସେ ପିଏସ୍‌ଜି ସହ ସଂପ୍ରତି ଦୁଇ ବର୍ଷୀୟା ଚୁକ୍ତି କରିଥିଲା ବେଳେ ଏହାକୁ ଆହୁରି ଗୋଟିଏ ବର୍ଷ ବୃଦ୍ଧିର ବିକଳ୍ପ ମଧ୍ୟ ରହିଛି। ବାର୍ସିଲୋନା ସହ ନିଜର ୧୭ ବର୍ଷର ଖେଳ ଜୀବନ ମଧ୍ୟରେ କ୍ଲବ୍‌ ପକ୍ଷରୁ ସର୍ବାଧିକ ଗୋଲ୍‌ କରିବାର କୀର୍ତ୍ତିମାନ ମେସି (୬୭୨)ଙ୍କ ନାମରେ ରହିଛି। ସେ ଦଳକୁ ୭ କୋପା ଡେଲ୍‌ ରେ ଏବଂ ୩ କ୍ଲବ୍‌ ବିଶ୍ବକପ୍‌ ମୁକୁଟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର