ମେସିଙ୍କୁ ଧମକ ଦେଲେ ମେକ୍ସିକୋ ବକ୍ସର

ଦୋହା: ମେକ୍ସିକୋକୁ ହରାଇବା ପରେ ଡ୍ରେସିଂ ରୁମ୍‌ରେ ଆର୍ଜେଣ୍ଟିନାର ବିଜୟ ଉତ୍ସବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେକ୍ସିକାନ୍‌ ବକ୍ସର କାନେଲୋ ଆଲ୍‌ଭାରେଜ। ଡ୍ରେସିଂ ରୁମ୍‌ରେ ମେକ୍ସିକୋ ଜର୍ସିକୁ ଗୋଇଠା ମାରୁଥିବା ଓ ଏହାକୁ ଗୋଡ଼ରେ ନେଇ ଚଟାଣ ସଫା କରୁଥିବା ନେଇ କାନେଲୋ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ବିଜୟ ପରେ ମେସି ଓ ଆର୍ଜେଣ୍ଟିନାର ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ଉତ୍ସବ ପାଳନ କରୁଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା। ମେସି ତାଙ୍କ ଜୋତା କାଢ଼ିବା ପରେ ତଳେ ପଡ଼ିଥିବା ମେକ୍ସିକୋ ଜର୍ସିକୁ ଗୋଇଠା ମାରିବା ଭଳି ଦେଖାଯାଉଥିଲା। ଏହାକୁ ଦେଖି ୪ ବୟସ ବର୍ଗର ବିଶ୍ବ ବିଜେତା କାନେଲୋ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା ବେଳେ ଏଭଳି ଆଚରଣ ପାଇଁ ଭବିଷ୍ୟତରେ ମେସିଙ୍କ ସାଥିରେ ତାଙ୍କର ସାମ୍ନା ନହେଉ ବୋଲି ଟ୍ବିଟ୍‌ କରିଥିଲେ।

ସେ ଟ୍ବିଟରରେ ଲେଖିଥିଲେ ଯେ, ମୁଁ ଯେପରି ‌ଆର୍ଜେଣ୍ଟିନାକୁ ସମ୍ମାନ ଦେଉଛି, ସେ ମଧ୍ୟ ମେକ୍ସିକୋକୁ ସମ୍ମାନ ଦେବା ଉଚିତ। ସଂପୂର୍ଣ୍ଣ ଦେଶ ବିଷୟରେ ନ କହିଲେ ବି ମେସି ଯେଉଁ ଘୃଣ୍ୟ କାର୍ଯ୍ୟ କରିଛନ୍ତି ତାହା ତାଙ୍କୁ ବ୍ୟଥିତ କରିଥିବା ସେ ଲେଖିଥିଲେ। ତେବେ ଏହି ଟ୍ବିଟ୍‌ ପରେ ମେସିଙ୍କ ପ୍ରଶଂସକମାନେ କାନେଲୋଙ୍କୁ ପାଲଟା ଜବାବ ଦେବା ଆରମ୍ଭ କରିବା ସହ ଜର୍ସି ଉପରେ ଜୋତା ପଡ଼ିବା ଏକ ଦୁର୍ଘଟଣା ଥିଲା ବୋ‌ଲି କେତେକ କହିଛନ୍ତି। ଏଥିସହ ହିଂସାକୁ ପ୍ରୋତ୍ସାହିତ ନକରିବାକୁ ଆଉ କେତେକ ପରାମର୍ଶ ଦେଇଛନ୍ତି। ଏପରିକି ଆର୍ଜେଣ୍ଟିନାର ପୂର୍ବତନ ଷ୍ଟ୍ରାଇକର ସର୍ଗିଓ ଅଗୁଏରୋ ମଧ୍ୟ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ କ’ଣ ଘଟିଛି ତାହାକୁ ବର୍ଣ୍ଣନା କରାଯିବା ଠିକ୍‌ ନୁହେଁ। ଫୁଟ୍‌ବଲ୍‌ ବିଷୟରେ ଆପଣଙ୍କର ଜ୍ଞ‌ାନ ନାହିଁ ଓ ଡ୍ରେସିଂ ରୁମ୍‌ରେ କ’ଣ ଘଟିଥିଲା ତାହା ଆପଣ ଜାଣିନାହାନ୍ତି ବୋଲି ସେ ଜବାବ ରଖିଥିଲେ। ଶନିବାର ମ୍ୟାଚ୍‌ରେ ମେସି ଓ ଏଞ୍ଜୋ ଫର୍ଣ୍ଣାଣ୍ଡେଜ୍‌ଙ୍କ ଗୋଲ୍‌ ବଳରେ ଆର୍ଜେଣ୍ଟିନା ପ୍ରତିପକ୍ଷ ମେକ୍ସିକୋକୁ ହରାଇଥିଲା।

ସମ୍ବନ୍ଧିତ ଖବର