କୋରିଆକୁ ବିଦାକଲା ମେକ୍ସିକୋ

ରୁସ୍ତଭ ଅନ୍‌ ଡ୍ୟନ୍‌: ମସ୍କୋ ମହାସମରରେ ମେକ୍ସିକୋର ବିଜୟ ଧାରା ଜାରି ରହିଛି। ଲଗାତାର ଦ୍ୱିତୀୟ ବିଜୟ ସହ ଏହି ଦଳ ଶନିବାର ପ୍ରି-କ୍ୱାର୍ଟରରେ ଗୋଟିଏ ପାଦ ରଖିଛି। ପ୍ରଥମ ମୁକାବିଲାରେ ଗତଥରର ବିଜେତା ଜର୍ମାନିକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିବା ମେକ୍ସିକୋ ଆଜି ଏସୀୟ ଶକ୍ତି ଦକ୍ଷିଣ କୋରିଆକୁ ୨-୧ ଗୋଲ୍‌ରେ ହରାଇ ଦେଇଛି। ଫଳରେ ଲଗାତାର ବିଜୟ ସହ ମୋଟ ୬ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଏଫ୍‌ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି। ସେପଟେ ସ୍ୱିଡେନ୍‌ ବିପକ୍ଷ ପ୍ରଥମ ମୁକାବିଲାକୁ ୦-୧ରେ ହାରିଥିବା ଦକ୍ଷିଣ କୋରିଆ ବିଦାୟ ନେଇଛି। ଜର୍ମାନି ବିପକ୍ଷ ଶେଷ ମ୍ୟାଚ୍‌ରେ ଏହି ଦଳ କେବଳ ଯାହା ସାନ୍ତ୍ୱନାମୂଳକ ବିଜୟ ପାଇଁ ଚେଷ୍ଟା କରିବ। ଏହା ପୂର୍ବରୁ ମେକ୍ସିକୋ-ଦକ୍ଷିଣ କୋରିଆ ବିଶ୍ୱକପ୍‌ରେ ଥରେ ମାତ୍ର ମୁହାଁମୁହିଁ ହୋଇଥିଲେ। ୧୯୯୮ର ସେହି ମ୍ୟାଚ୍‌କୁ କେନ୍ଦ୍ରୀୟ ଆମେରିକୀୟ ଦଳ ମେକ୍ସିକୋ ୩-୧ରେ ଜିତି ନେଇଥିଲା। ଦ୍ୱିତୀୟ ଲଢ଼େଇରେ ବି ଏହି ଦଳ ବାଜି ମାରି ନେଇଛି। ଗତ ୮ ବିଶ୍ୱକପ୍‌ ମ୍ୟାଚ୍‌ରେ ବିଜୟ ଶୂନ୍ୟ ରହିଥିବା ଦକ୍ଷିଣ କୋରିଆ କିନ୍ତୁ ଲଗାତାର ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ମେକ୍ସିକୋ ବିଶ୍ୱକପ୍‌ରେ ଲଗାତାର ବିଜୟ ହାସଲ କଲା।
ଗ୍ରୁପ୍‌-ଏଫ୍‌ର ଏହି ମୁକାବିଲାରେ ପ୍ରଥମାର୍ଧ ଆଶାଜଜନକ ଭାବେ ମେକ୍ସିକୋ ଖାତାକୁ ଯାଇଥିଲା। ଦକ୍ଷିଣ କୋରିଆ ୨୩ ମିନିଟ୍‌ ପର୍ଯ୍ୟନ୍ତ ମେକ୍ସିକୋ ଅଗ୍ରଭାଗକୁ ରୋକି ରଖିଥିଲା। ହେଲେ ୨୪ ମିନିଟ୍‌ରେ ବକ୍ସ ଭିତରେ ଜାଙ୍ଗ୍‌ ହ୍ୟୁନ୍‌ ସ’ଙ୍କ ହାତ ବଲ୍‌ରେ ବାଜିବା ପରେ ମେକ୍ସିକୋ ପେନାଲ୍ଟି ପାଇଥିଲା। ଏହାକୁ କାର୍ଲୋସ୍‌ ଭେଲା ଗୋଲ୍‌ରେ ରୂପାନ୍ତର କରି ମେକ୍ସିକୋକୁ ଆଗୁଆ କରି ଦେଇଥିଲେ। ମେକ୍ସିକୋ ପାଇଁ ବ୍ୟକ୍ତିଗତ ଭାବେ ମଧ୍ୟ ଏହା ତାଙ୍କର ପ୍ରଥମ ଗୋଲ୍‌ ଥିଲା। ପ୍ରଥମାର୍ଧର ବଳକା ସମୟରେ ଦକ୍ଷିଣ କୋରିଆ ତା’ର ଖାତା ଖୋଲି ପାରି ନଥିଲା। ଫଳରେ ପ୍ରଥମାର୍ଧ ୧-୦ରେ ମେକ୍ସିକୋ ସପକ୍ଷରେ ଯାଇଥିଲା। ସେହିଭଳି ଦ୍ୱିତୀୟାର୍ଧରେ ମେକ୍ସିକୋ ଅଭିଜ୍ଞ ଜାଭିୟର ହର୍ନାଣ୍ଡେଜ୍‌ଙ୍କ ଫିଲ୍ଡ ଗୋଲ୍‌ ବଳରେ ସ୍ଥିତି ୨-୦ କରି ନେଇଥିଲା। ହିର୍ଭିଂ ଲୋଜାନୋଙ୍କ ସହାୟତାରେ ହର୍ନାଣ୍ଡେଜ୍‌ ୬୬ ମିିନିଟରେ କରିଥିବା ଏହି ଗୋଲ୍‌ ମେକ୍ସିକୋ ପାଇଁ ତାଙ୍କର ଅର୍ଧଶତକୀୟ ଗୋଲ୍‌ ଥିଲା। ବହୁ ଚେଷ୍ଟା ପରେ କୋରିଆ ନିର୍ଧାରିତ ୯୦ ମିିନିଟ୍‌ର ଖେଳ ପରେ ମିଳିଥିବା ୫ ମିିନିଟର ଷ୍ଟପେଜ୍‌ ଟାଇମରେ ସେଥିମଧ୍ୟରୁ ଗୋଟିକୁ ଶୁଝି ପାରିଥିଲା। ସନ୍‌ ହ୍ୟୁଙ୍ଗ ମିନ୍‌ ଏହି ଗୋଲଟି ଦେଇଥିଲେ। ଫଳରେ ମେକ୍ସିକୋ ୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା। ହର୍ନାଣ୍ଡେଜ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର