ମେକ୍ସିକୋ ବିଜୟରେ ଭୂକମ୍ପ ଭ୍ରମ

ମସ୍କୋ: ରବିବାର ରାତିରେ ବିଶ୍ୱ ବିଜେତା ଜର୍ମାନିକୁ ହରାଇ ମେକ୍ସିକୋ ବଡ଼ ଲମ୍ଫ ମାରିଛି। କିନ୍ତୁ ସେପଟେ ମେକ୍ସିକୋସିଟିରେ ଦେଶର ପ୍ରଶଂସକମାନେ ଏତେ ଉଛୁଳା ଉତ୍ସବ ପାଳିଥିଲେ ଯେ ଭୂକମ୍ପର ଭ୍ରମ ସୃଷ୍ଟି କରିଥିଲା। ମ୍ୟାଚ୍‌ର ୩୫ତମ ମିନିଟରେ ଲୋଜାନୋ ଏହି ଗୋଲ୍‌ ଦେବା ମାତ୍ରେ ମେକ୍ସିକୋସିଟିରେ ବଡ଼ ପରଦାରେ ଦେଖୁଥିବା ପ୍ରଶଂସକମାନେ ନାଚକୁଦରେ ମାତିଥିଲେ। ଗୋଲ୍‌ ଦେବାର ୭ ସେକେଣ୍ଡ୍‌ ମଧ୍ୟରେ ସେମାନେ ଏତେ ଜୋର୍‌ରେ କୁଦି ଉଠିଥିଲେ ଯେ ତାହା ଭୂକମ୍ପ ସେନ୍‌ସର୍‌କୁ ପ୍ରଭାବିତ କରିଥିଲେ। ମେକ୍ସିକୋର ଦୁଇଟି ସହରରେ ଏଭଳି ନଜରକୁ ଆସିଥିଲା। କିନ୍ତୁ ଦେଶର ଭୂଗର୍ଭିୟ ଓ ବାୟୁମଣ୍ଡଳ ଅନୁସଂଧାନ ସଂସ୍ଥା (ଆଇଜିଏଆଇ) ଏହାକୁ ପରେ କୁତ୍ରିମ ଭୂକମ୍ପ ଅଭିହିତ କରିଥିଲା। ଉଲ୍ଲସିତ ମେକ୍ସିକୋ ପ୍ରଶଂସକମାନେ ଦେଶର ଜାତୀୟ ପତାକା ଧରିବା ସହ ପାରମ୍ପାରିକ ‘ସୋମ୍ବ୍ରିରୋ’ ଟୋପି ଉଡ଼ାଇଥିଲେ। ମେକ୍ସିକୋ ସିଟିରେ ଥିବା ଆଞ୍ଚେଲ୍‌ ସ୍ୱାଧୀନତା ସ୍ମାରକୀ ନିକଟରେ ହଜାର ହଜାର ପ୍ରଶଂସକ ଦେଶର ଜାତୀୟ ସଂଗୀତ ‘ସିଲିଟୋ ଲିଣ୍ଡୋ’ ଏବଂ ଲୋକପ୍ରିୟ ଲୋକସଂଗୀତ ‘ପ୍ରେଟି ଲିଟଲ୍‌ ସ୍କାଏ’ ଗାଇଥିଲେ। ଗୋଲ୍‌ ଦେବା ସମୟରେ ସମସ୍ତେ ଏକ ସ୍ୱରରେ କହିଥିଲେ ‘ୟେସ୍‌ ଓ୍ଵି ଡିଡ୍‌ ଇଟ୍‌’। ସେଠାରେ ନିଜର ବାଧଂବୀ ଓ ପୁତ୍ର ସହିତ ପିତା ଦିବସ ପାଳୁଥିବା ୪୭ ବର୍ଷୀୟ ରୋଡଲ୍‌ଫୋ ପୁଲିଡୋ ‘ମେକ୍ସିକା..ମେକ୍ସିକୋ..ମେକ୍ସିକୋ..’ ଚିତ୍କାର କରିଥିଲେ। ଆମେ ଏବେ ପ୍ରି-କ୍ୱାର୍ଟର, କ୍ୱାର୍ଟର ଏବଂ ସେମିଫାଇନାଲ୍‌ ପହଞ୍ଚିବାର ସ୍ୱପ୍ନ ଦେଖୁଛୁ ବୋଲି ସେ କହିଥିଲେ। ପ୍ରଶଂସକମାନେ ମଧ୍ୟ ମେକ୍ସିକୋ ଗୋଲ୍‌ରକ୍ଷକ ଗୁଲେର୍ମୋ ଓଚୋଆଙ୍କୁ ଦେଶର ରାଷ୍ଟ୍ରପତି ଭାବେ ବର୍ଣ୍ଣନା କରିଛନ୍ତି। ସେପଟେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଆଗୁଆ ଥିବା ଅନ୍ଦ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର୍‌ ଏକ କାର୍ଯ୍ୟକ୍ରମ ଜରିଆରେ ମେକ୍ସିକୋ ଦଳକୁ ଅଭିନନ୍ଦନ ଜଣାଇଥିଲେ। ପରବର୍ତୀ ମ୍ୟାଚ୍‌ରେ ଶନିବାର ରୋସ୍ତଭରେ ମେକ୍ସିକୋ ଭେଟିବ ଦକ୍ଷିଣ କୋରିଆକୁ।

ସମ୍ବନ୍ଧିତ ଖବର