ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍‌: ରେଡ୍‌-ଭାଓଲେଟ୍‌ ଫାଇନାଲ୍‌ ଆଜି

ଶେଷ ଲିଗ୍‌ରେ ଜିତିଲେ ରେଡ୍‌ ଓ ୟେଲୋ

ଭୁବନେଶ୍ବର: କିଟ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏହି ଦିନ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଓଡ଼ିଶା ରେଡ୍‌ ଏବଂ ଓଡ଼ିଶା ୟେଲୋ ବିଜୟ ହାସଲ କରିଛନ୍ତି। ରେଡ୍‌ ୮ ୱିକେଟ୍‌ରେ ଓଡ଼ିଶା ଗ୍ରିନ୍‌କୁ ଏବଂ ୟେଲୋ ୬ ୱିକେଟ୍‌ରେ ଓଡ଼ିଶା ପର୍ପଲକୁ ପରାସ୍ତ କରିଛି। ଏଥି ସହିତ ପ୍ରଥମ ଦୁଇ ମ୍ୟାଚ୍‌ ହାରିବା ପରେ ରେଡ୍‌ କ୍ରମାଗତ ଷଷ୍ଠ ବିଜୟ ସହ ମୋଟ ୮ ମ୍ୟାଚ୍‌ରୁ ୨୪ ପଏଣ୍ଟ ପାଇଁ ତାଲିକାର ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛି। ସେହିପରି ପ୍ରଥମ ଦୁଇ ମ୍ୟାଚ୍‌ ଜିତିଥିବା ଭାଓଲେଟ୍‌ ଶେଷ ଦୁଇ ମ୍ୟାଚ୍‌ ଜିତି ମୋଟ ୮ରୁ ପଞ୍ଚମ ବିଜୟ ଓ ୨୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛି। ତେବେ ଶନିବାର ସୁଦ୍ଧା ଶୀର୍ଷ ସ୍ଥାନରେ ରହିଥିବା ପର୍ପଲ କ୍ରଗାଗତ ଦ୍ବିତୀୟ ପରାଜୟ ଯୋଗୁଁ ସାମନ ୨୦ ପଏଣ୍ଟ୍‌ ପାଇ ମଧ୍ୟ ତୃତୀୟକୁ ଖସିଯାଇଛି। ଅନ୍ୟପକ୍ଷରେ ୮ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସତ୍ତ୍ବେ ୟେଲୋ ପଞ୍ଚମ ସ୍ଥାନକୁ ଖସିଯାଇଥିଲା ବେଳେ ଗ୍ରିନ୍‌ ଚତୁର୍ଥ ସ୍ଥାନକୁ ଉଠିଯାଇଛି। ୟେଲୋ ଭଳି ଗ୍ରିନ୍‌ ମଧ୍ୟ ୨ ବିଜୟ ଓ ୬ ପରାଜୟ ବରଣ କରିଛି। ସମାନ ୮ ପଏଣ୍ଟ୍‌ ଲେଖାଏଁ ପାଇଥିବା ସତ୍ତ୍ବେ ଲିଗ୍‌ ପର୍ଯ୍ୟାୟରେ ପରସ୍ପର ମୁକାବିଲାରେ ବିଜୟକୁ ବିଚାରକୁ ନେଇ ୟେଲୋ (-୦.୮୪୩)କୁ ପଛରେ ପକାଇ ଗ୍ରିନ୍‌ (-୦.୮୮୫) ଶୀର୍ଷ-୪ ଦଳ ମଧ୍ୟରେ ରହିଛି। ଫଳରେ ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବା ରେଡ୍‌ ଓ ଭାଓଲେଟ୍‌ ଆସନ୍ତାକାଲି ଫାଇନାଲ୍‌ରେ ମୁହାଁମୁହିଁ ହେବେ। ସେହିପରି ପର୍ପଲ ଓ ଗ୍ରିନ୍‌ ତୃତୀୟ ସ୍ଥାନ ପାଇଁ ଖେଳିବେ।

ରବିବାର ଟସ୍‌ ଜିତି ରେଡ୍‌ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ସୋନାଲି ହେମ୍ବ୍ରମ୍‌ (୪-୦-୯-୩), ଏସ୍‌ବି ଲରେନ୍ସ (୪-୦-୧୪-୨) ଓ ରାଜଶ୍ରୀ ସ୍ବାଇଁ (୩-୦-୮-୧)ଙ୍କ ଘାତକ ବୋଲିଂ ଆଗରେ ତିଷ୍ଠିନପାରି ଗ୍ରିନ୍‌ ଦଳ ୭ ୱିକେଟ୍‌ ବିନିମୟରେ ୭୩ ରନ୍‌ କରିପାରିଥିଲା। ପ୍ରାରମ୍ଭିକ ଯୋଡ଼ି ରସ୍‌ନାରା ପରୱିନ୍‌ (୪୨) ଓ ପ୍ରଜ୍ଞା ମହାନ୍ତି (୧୧)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥି‌ଲେ। ଏପରିକି ତିନି ଜଣ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଜବାବରେ ପ୍ରାରମ୍ଭିକ ବ୍ୟାଟର୍‌ ମାଧୁରୀ ମେହେଟା (୩୪* ରନ୍‌, ୨୭ ବଲ୍‌, ୩ ଚୌକା) ଓ ଶିଳ୍ପା ସ୍ବାଇଁ (୨୭* ରନ୍‌, ୩୧ ବଲ୍‌, ୩ ଚୌକା)ଙ୍କ ଅପରାଜିତ ପାଳି ସାଙ୍ଗକୁ ତୃତୀୟ ୱିକେଟ୍‌ରେ ୫୮ ରନ୍‌ର ଭାଗୀଦାରି ବଳରେ ରେଡ୍‌ ୧୦.୩ ଓଭରରେ ୨ ୱିକେଟ୍‌ ହରାଇ ୭୭ ରନ୍‌ କରିନେଇଥିଲା। ସୋନାଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଓସିଏ ସଦସ୍ୟ ରଘୁନନ୍ଦନ ପାଢୀ ପ୍ରଦାନ କରିଥିଲେ।
ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ପର୍ପଲ ପ୍ରଥମେ ବ୍ୟାଟିଂ ନେଇଥିଲା।

ପ୍ରାରମ୍ଭିକ ବ୍ୟାଟର୍‌ ସରିତା ମେହେର (୫୦*, ୫୯ ବଲ୍‌, ୪ ଚୌକା)ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ମଧୁସ୍ମିତା ବେହେରା (୩୦, ୨୧ ବଲ୍‌, ୬ ଚୌକା) ଓ ମୋନାଲିସା ରାଉତ (୧୪)ଙ୍କ ବଳରେ ଦଳ ୪ ୱିକେଟ୍‌ ବିନିମୟରେ କରିଥିଲା ୧୧୩ ରନ୍‌। ପ୍ରିୟଙ୍କା ସାହୁ ଓ ଲକ୍ଷ୍ମୀପ୍ରିୟା ନାଏକ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ପ୍ରାରମ୍ଭିକ ବ୍ୟାଟର୍‌ ସଂଗୀତା ଖାଡ଼ିଆ (୫୦*, ୫୯ ବଲ୍‌, ୬ ଚୌକା)ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ବରଷା ସିଂହଙ୍କ ୨୮ (୨୯ ବଲ୍‌, ୩ ଚୌକା) ବଳରେ ୟେ‌ଲୋ ୧୯.୩ ଓଭରରେ ୪ ୱିକେଟ୍‌ ହରାଇ ୧୧୫ ରନ୍‌ ସହ ମ୍ୟାଚ୍‌ ଜିତି ନେଇଥିଲା। ବନଲତା ମଲ୍ଲିକ ୨ ୱିକେଟ୍‌ ନେଇଥିଲେ। ସଂଗୀତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଓସିଏ ସଦସ୍ୟ ସୁଜିତ କୁମାର ପ୍ରଧାନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର