ଭୁବନେଶ୍ବର: କଟକ ଜିଲ୍ଲା ଗୁରୁଡ଼ିଝାଟିଆସ୍ଥିତ ଏମ୍‌ଜିଏମ୍‌ ସ୍କୁଲ୍‌ ଅଫ୍‌ ସ୍ପୋର୍ଟ୍ସ ପରିସରରେ ଇନ୍‌ଡୋର କ୍ରିକେଟ୍‌ ହଲ୍‌ ବୁଧବାର ଉଦ୍‌ଘାଟିତ ହୋଇଛି। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ କ୍ରିକେଟର୍‌ ଭେଙ୍କଟପତି ରାଜୁ, ଭାରତୀୟ ଦଳର ପୂର୍ବତନ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧର, ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସମ୍ପାଦକ ସଂଜୟ ବେହେରା, ପୂର୍ବତନ କ୍ରିକେଟର୍‌ ତଥା ଚୟନକର୍ତ୍ତା ଦେବାଶିଷ ମହାନ୍ତି, ଏମ୍‌ଜିଏମ୍‌ ସ୍କୁଲ୍‌ ଅଫ୍‌‌ ସ୍ପୋର୍ଟ୍ସ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଇନ୍‌ଡୋର ହଲ୍‌ରେ ୬ଟି ଅଭ୍ୟାସ ପିଚ୍‌ ରହିଛି। ଯେଉଁଥିରୁ ଚାରିଟି ଦ୍ରୁତ ବୋଲର୍‌ ଓ ଦୁଇଟି ସ୍ପିନ୍‌ ବୋଲରଙ୍କୁ ଖେଳିବା ପାଇଁ ଉଦ୍ଦିଷ୍ଟ। ଏହା ସମେତ ହଲ୍‌ ପରିସରରେ ଜିମ୍‌ ଓ ଖେଳାଳିଙ୍କ ଚେଞ୍ଜିଂ ରୁମ୍‌ ମଧ୍ୟ ରଖାଯାଇଛି। ଏହି ଇନ୍‌ଡୋର ହଲ୍‌ ପାଇଁ ପାଖାପାଖି ସାଢେ ୩କୋଟି ଟଙ୍କା ବିନିଯୋଗ ହୋଇଥିବା ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇଛନ୍ତି। ଏହି ‌ସ୍ପୋର୍ଟ୍ସ ସ୍କୁଲ୍‌ରେ ଆଗକୁ ଆହୁରି ଦୁଇଟି କ୍ରିକେଟ୍‌ ପଡ଼ିଆ ନିର୍ମାଣ କରାଯାଉଥିବା ବେଳେ ହଷ୍ଟେଲ୍‌, ଗେଷ୍ଟ ହାଉସ୍‌, ସୁଇମିଂ ପୁଲ୍‌ ଇତ୍ୟାଦି ନିର୍ମାଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଏହି ଅବସରରେ ଓଡ଼ିଶା‌େର ତୃଣମୂଳସ୍ତରର ପ୍ରତିଭାଙ୍କୁ ଆନ୍ତର୍ଜାତିକମାନର କ୍ରିକେଟର୍‌ ଭାବେ ଗଢ଼ି ତୋଳିବା ପାଇଁ ଭରତ ଅରୁଣ ତାଙ୍କ ପାଖରେ ଥିବା ଯୋଜନାକୁ ‘ସମ୍ବାଦ’ ସହ ସାକ୍ଷାତକାର ବେଳେ କହିଛନ୍ତି।

ଏମ୍‌ଜିଏମ୍‌ ସ୍କୁଲ୍‌ ଅଫ୍‌ ସ୍ପୋର୍ଟ୍ସକୁ ନେଇ କଣ ଯୋଜନା ଅଛି?
ଓଡ଼ିଶାର ‌ଖେଳାଳିମାନେ ଦେଶ ପାଇଁ ଖେଳନ୍ତୁ ବୋଲି ଏମ୍‌ଜିଏମ୍‌ ସ୍କୁଲ୍‌ ଅଫ୍‌ ସ୍ପୋର୍ଟ୍ସର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ସ୍ବପ୍ନ ଦେଖିଛନ୍ତି। ସେଥିପାଇଁ ତୃଣମୂଳସ୍ତରୀୟ ଖେଳାଳିଙ୍କୁ କିପରି ଆନ୍ତର୍ଜାତିକସ୍ତରର ପ୍ରଶିକ୍ଷଣ ଦେଇପାରିବୁ ସେ ଯୋଜନା କରିଛୁ। ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀଙ୍କ ସହିତ ମୁଁ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌. ଶ୍ରୀଧର ବିଭିନ୍ନ ପର୍ଯ୍ୟାୟରେ ଆସି ଏଠାରେ ପ୍ରଶିକ୍ଷଣ ଓ ପରାମର୍ଶ ଦେବୁ।
ଏଠାକୁ ଆସୁଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ କ’ଣ ସୁବିଧା ରହିବ?
ଭାରତର କୌଣସି ଘରୋଇ ଏକାଡେମିରେ ଫିଜିଓ, ଟ୍ରେନର ଓ ଜିମ୍‌ ସୁବିଧା ନଥାଏ। କିନ୍ତୁ ଏହା ଦେଶର ପ୍ରଥମ ଏକାଡେମି ହେବାକୁ ଯାଉଛି, ଯେଉଁଠାକୁ ‌ପ୍ରଶିକ୍ଷାର୍ଥୀ ପ୍ରବେଶ କରିବା ମାତ୍ରେ, ସବୁ ସୁବିଧା ପାଇବେ। ବିଶେଷକରି ବୈଷୟିକ, ରଣକୌଶଳ, ଶାରୀରିକ ଓ ମାନସିକ ଭାବେ ସେମାନଙ୍କୁ ମଜଭୁତ କରାଯିବ। ମାନସିକ ସମସ୍ୟା ସହ ଲଢ଼ିବା ପାଇଁ ଆମ ପାଖରେ ପ୍ରଶିକ୍ଷକ ଅଛନ୍ତି। ଆହତ ସମସ୍ୟାକୁ ଏଡ଼ାଇବା ପାଇଁ ଫିଜିଓ ରହିଛନ୍ତି। ଏଥିସହ ସ୍ଥାନୀୟ ହସ୍ପିଟାଲ୍‌କୁ ସ୍କୁଲ୍‌ ସହିତ ଯୋଡ଼ାଯାଇଛି। ବିଶେଷଜ୍ଞଙ୍କ ଦ୍ବାରା ପ୍ରଶିକ୍ଷାର୍ଥୀଙ୍କ ଡାଏଟ୍‌ ଚାର୍ଟ କରାଯାଉଛି। ଭାରତୀୟ ଦଳର ଖେଳାଳିଙ୍କୁ ଯାହା ସୁବିଧା ମିଳୁଛି, ତାହା ଏଠାରେ ମିଳିବ।
ଇ‌ନ୍‌ଡୋର କ୍ରିକେଟ୍‌ ହଲ୍‌ର ପରିକଳ୍ପନା କେମିତି ହୋଇଥିଲା?
ବର୍ଷ ତମାମ୍ ଓ ନିରନ୍ତର ପ୍ରଶିକ୍ଷଣ ପାଇଁ ଇନଡୋ୍ ହଲ୍‌ର ଆବଶ୍ୟକତା ନେଇ ଆମେ ପଙ୍କଜ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲୁ ଏବଂ ଏକ ଇନ୍‌ଡୋର ହଲ୍‌ର ଆବଶ୍ୟକତା ସଂପର୍କରେ ଅନୁରୋଧ କରିଥିଲୁ। ସେ ସଙ୍ଗେସଙ୍ଗେ ଆମ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ଆପଣ କେକେଆର୍‌ ସହିତ ଜଡ଼ିତ ଅଛନ୍ତି, ତେଣୁ ଏଠାରୁ କିଛି ଖେଳାଳି ଆଇପିଏଲ୍‌ରେ ପହଞ୍ଚିପାରିବେ କି?
ଓଡ଼ିଶା ଖେଳାଳି ଆଗକୁ ଯିବା ପାଇଁ ଯାହା ପରାମର୍ଶ ଓ ସହାୟତା ଦରକାର ତାହା ସବୁକିଛି ଏଠାରେ ମିଳିବ। ଭାରତରେ ଆଇପିଏଲ୍‌ର ଅଭ୍ୟୁଦୟ ଯୋଗୁଁ ଖେଳାଳିମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ତେଣୁ ପ୍ରଥମେ ଏଠାରେ ପ୍ରଶିକ୍ଷଣ ନେଉଥିବା ଖେଳାଳିଙ୍କ ଭିତରେ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ହେବ। କେବଳ ରାଜ୍ୟ ଦଳକୁ ପ୍ରତିନିଧିତ୍ବ କରୁଥିବା ଖେଳାଳି ଆଇପିଏଲ୍‌ ଖେଳିପାରିବ ତା’ନୁହେଁ। ପ୍ରତିଭା ଓ ସଠିକ୍‌ କୌଶଳ ସହ ଖେଳୁଥିବା ଖେଳାଳି ଆଇପିଏଲ୍‌ରେ ଖେଳିବାକୁ ଯୋଗ୍ୟ। ଏହା ହେଲେ ଓଡ଼ିଶାରୁ ଆଇପିଏଲ୍‌ ଉପଯୋଗୀ ଖେଳାଳି ବାହାରି ପାରିବେ।
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୋହଲିଙ୍କ ଫର୍ମ ଓ ବୋଲିଂ ବାହିନୀ ପ୍ରଦର୍ଶନ ଉପରେ କ’ଣ କହିବେ?
ସୁପର-୮ରେ ଭାରତ ପ୍ରବେଶ କରିସାରିଛି। ଆମ ପାଖରେ ୩ସ୍ପିନର୍‌, ଦ୍ରୁତ ବୋଲର ଅଛନ୍ତି। ଆମର ବ୍ୟାଟିଂ ମଧ୍ୟ ମଜଭୁତ୍‌ ରହିଛି। ‌ତେଣୁ ପରିବେଶକୁ ଦେଖିଲେ ଆମ ଦଳ ୱେଷ୍ଟଇଣ୍ଡିଜ୍‌ରେ ଖେଳିବାକୁ ଉପଯୁକ୍ତ। ‌ଏଠାରେ ଆମ ବୋଲିଂକୁ ଅଧିକ ସହାୟତା ମିଳିବ। କିନ୍ତୁ ବିରାଟ କୋହଲିଙ୍କ ଉପରେ ବହୁତ ଆଲୋଚନା ହେଲାଣି। ସେ ଜଣେ ବହୁତ ବଡ଼ ଖେଳାଳି। ଏବେ ତାଙ୍କ ବ୍ୟାଟ୍ ଶାନ୍ତ ଅଛି। କିନ୍ତୁ ଏହା ସମୟର ଖେଳ। ଯେତେବେଳେ ସେ ଖେଳିବା ଆରମ୍ଭ କରିବେ ନୂଆନୂଆ ରେକର୍ଡ ପ୍ରତିଷ୍ଠା ହେବ। ବୋଲିଂ ବାହିନୀର ଗୋଟିଏ କିମ୍ବା ଦୁଇଟି ପ୍ରଦର୍ଶନକୁ ଦେଖିକି ଆମେ ନିଷ୍ପତ୍ତି ନେଇପାରିବାନି। ବଡ଼ ଖେଳାଳିମାନେ ସମୟ ଆସିଲେ ସେମାନଙ୍କ ପ୍ରକୃତ ଖେଳ ଦେଖାଇବେ।