ଭୁବନେଶ୍ବର: ଦୀର୍ଘ ଦିନରୁ କ୍ରୀଡ଼ା ରାଜଧାନୀ କଟକରେ ପଡ଼ିଆର ଅଭାବ ଦେଖାଦେଇଛି। ଯେଉଁଥିପାଇଁ ଓସିଏର ଘରୋଇ ପ୍ରତିଯୋଗିତା କରିବାକୁ ଗତ ଦୁଇ ତିନି ବର୍ଷ ହେଲାଣି ସମସ୍ୟା ଦେଖାଦେଉଛି। ଏପରିକି ରଣଜୀ ଟ୍ରଫି ସ୍ତରର ମ୍ୟାଚ୍ ଆୟୋଜନ କରିବା ପାଇଁ କଟକରେ କେବଳ ବାରବାଟୀ ଷ୍ଟାଡିୟମ୍ ଓ ଡ୍ରିମ୍ସ ଷ୍ଟାଡିୟମ୍କୁ ଛାଡ଼ିଦେଲେ ଅନ୍ୟ ପଡ଼ିଆରେ ଭିତ୍ତିଭୂମି ଆଉ ପୂର୍ବଭଳି ସୁଦୃଢ ହୋଇ ରହିନାହିଁ। ଏବେ ଏହି ସମସ୍ୟାକୁ ଦୂର କରିବାକୁ ଯାଉଛି ବାଳୀସ୍ଥିତ ଏମ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟ୍ସ। ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ କମ୍ପାନି ଏମ୍ଜିଏମ୍ ପକ୍ଷରୁ ବାଳୀଠାରେ ପ୍ରାୟ ୨୫ ଏକର ଜମି ଉପରେ ଏହି ସ୍କୁଲ୍ର ନିର୍ମାଣ ହୋଇଥିଲା ବେଳେ ଏଠାରେ ଆବାସିକ ଏକାଡେମୀ ମଧ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ପ୍ରାଥମିକ ପର୍ଯ୍ୟାୟରେ ରଣଜୀ ମ୍ୟାଚ୍ ସ୍ତରର ପଡ଼ିଆ ଓ ଆନୁସଙ୍ଗିକ ବ୍ୟବସ୍ଥା ଏଠାରେ ଉବଲବ୍ଧ କରାଇବା ଦିଗରେ ଧ୍ୟାନ ଦିଆଯାଇଛି। ୧୦୦ ଜଣ ଖେଳାଳି ରହିବା ଭଳି ଘରର ବ୍ୟବସ୍ଥା ଥିବା ସହ ଡ୍ରେସିଂରୁମ୍, ଜିମ୍ ଓ ବିସିସିଆଇ ବରିଷ୍ଠ ସ୍ତରର ମ୍ୟାଚ୍ ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ଭିତ୍ତିଭୂମି ଏଠାରେ କରାଯାଇଛି। ଏଥିସହ ମ୍ୟାଚ୍ ପାଇଁ ବଡ଼ କ୍ରିକେଟ୍ ପଡ଼ିଆ ଓ ଅଭ୍ୟାସ ପିଚ୍ ନିର୍ମାଣ କରାଯାଇଛି। ଏଠାରେ ଇନ୍ଡୋର କ୍ରିକେଟ୍ ଅଭ୍ୟାସ ପାଇଁ ବଡ଼ ହଲ୍ କରାଯିବା ପାଇଁ ଜମି ଅଧିଗ୍ରହଣ କରାଯାଇଛି। ଫଳରେ ବର୍ଷା ହେଲେ ବି ଖେଳାଳିମାନେ ଇନ୍ଡୋରରେ ଅଭ୍ୟାସ କରିପାରିବେ। ଏଥିସହିତ ଓସିଏ ସହିତ ମିଳିତ ସହଭାଗିତାରେ ପ୍ରଶିକ୍ଷକ, ଟ୍ରେନର, ଫିଜିଓ ଏହି ସ୍କୁଲ୍ରେ ଆସି ପ୍ରଶିକ୍ଷଣ ପ୍ରଦାନ କରିବେ। ଓସିଏର ବିଭିନ୍ନ ପ୍ରଶିକ୍ଷଣ ଶିବିରକୁ ଏଠାରେ ଆୟୋଜନ କରାଯାଇପାରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ବୁଧବାର ଏହି ସ୍କୁଲ୍ ଉଦ୍ଘାଟନ କରାଯିବାକୁ ଥିବାବେଳେ ଆନ୍ତର୍ଜାତିକ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ଅତିଥି ଭାବେ ଯୋଗଦେବେ। ଏଥିସହିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ଟ୍ବେଣ୍ଟି-୨୦ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରାଯିବ। ଏହାପରେ ୧୬ ତାରିଖରେ ଉଭୟ ଦଳଙ୍କ ମଧ୍ୟରେ ଦିନିକିଆ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ୧୭ ତାରିଖରୁ ଅନ୍ତଃଜିଲ୍ଲା ମ୍ୟାଚ୍ଗୁଡ଼ିକ ଏଠାରେ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।