ଭୁବନେଶ୍ବର: ପ୍ରଥମ ତଥା ବହୁ ପ୍ରତୀକ୍ଷିତ ଏମ୍‌ଜିଏମ୍ ଟ୍ବେଣ୍ଟି-୨୦ ଚାମ୍ପିଅନସିପ୍ କ୍ରିକେଟ୍ ପ୍ରତିଯୋଗିତା ଶନିବାର କଟକର କପୁରସିଂହଠାରେ ଅବସ୍ଥିତ କ୍ରିକେଟ୍ ହାଇପରଫର୍ମାନ୍ସ ସେଣ୍ଟର୍‌ ‘ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍‌’ଠାରେ ଉଦ୍‌ଘାଟିତ ‌ହୋଇଯାଇଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠିତ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ, ଫିଲ୍ଡିଂ ପ୍ରଶିକ୍ଷକ ଆର ଶ୍ରୀଧର ଏବଂ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍‌ର ଦେବାଶିଷ ମହାନ୍ତି, ପୂର୍ବତନ କ୍ରିକେଟର୍‌ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓଡ଼ିଶା ରଣଜୀ ଦଳର ପୂର୍ବତନ ପ୍ରଶିକ୍ଷକ ଭେଙ୍କଟପତି ରାଜୁଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ‘ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ’ ଦଳସହ ହାଇଦ୍ରାବାଦ, ଚେନ୍ନାଇ ଓ ବରୋଦାରେ ଥିବା ‘କୋଚିଂ ବେୟଣ୍ଡ’ ସଂସ୍ଥାର ଅନ୍ୟ ତିନିଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ୪ ଦିନିଆ ପ୍ରତିଯୋଗିତାରେ ଏକାଡେମିଗୁଡ଼ିକର ଖେଳାଳି ନିଜନିଜ ପରାକାଷ୍ଠା ଦେଖାଇବେ।

Advertisment

ଏଭଳି ଏକ ପ୍ରତିଯୋଗିତାର ଆୟୋଜନକୁ ପ୍ରଶଂସା କରି ଶାସ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍‌ରେ ଯୁବ କ୍ରିକେଟର୍‌ଙ୍କ ଅଭିବୃଦ୍ଧି ଓ ସେମାନଙ୍କ ଉନ୍ନତି ନିମନ୍ତେ ବିଶ୍ବସ୍ତରୀୟ ଭିତ୍ତିଭୂମି ଓ ଆବାସିକ ସୁବିଧା ରହିଛି। ଏଠାରେ ଉଚ୍ଚ ଗୁଣମାନର ପ୍ରଶିକ୍ଷଣ ବି ଦିଆଯାଉଛି। ଆଗାମୀ ସମୟରେ ଏହି ଏକାଡେମିରୁ ବହୁ ଅନ୍ତର୍ଜାତୀୟ କ୍ରିକେଟର୍ ସୃଷ୍ଟି ହେବେ। ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍‌ର ପ୍ରତିଷ୍ଠାତା ପଙ୍କଜ ଲୋଚନ ମହାନ୍ତି ଏଭଳି ଏକ ପ୍ରୟାସର ମୂଳ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରି କହିଥିଲେ, ଆମେ ଏହି ଏକାଡେମି ମାଧ୍ୟମରେ ଓଡ଼ିଶାରୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟରେ ରହିଛୁ। ‘କୋଚିଂ ବେୟଣ୍ଡ’ ଆମକୁ ଏ ଦିଗରେ ମାର୍ଗଦର୍ଶନ କରୁଛି। ଆମ ଷ୍ଟାଡିୟମ୍‌କୁ ବିସିସିଆ‌ଇ ମଞ୍ଜୁରି ମିଳି ସାରିଛି। ଏଠାରେ ଓସିଏର ବିଭିନ୍ନ ବୟସବର୍ଗ ଏବଂ ମହିଳା କ୍ରିକେଟ୍ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହେଉଛି। ଆଗାମୀ ଗୋଟିଏ କିମ୍ବା ଦୁଇଟି ଋତୁ ଭିତରେ ଏଠାରେ ଆମେ ରଣଜୀ ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା ରଖିଛୁ। ସୂଚନାଯୋଗ୍ୟ ଯେ ଶାସ୍ତ୍ରୀଙ୍କ ସଂସ୍ଥା ‘କୋଚିଂ ବିୟଣ୍ଡ’ ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍‌କୁ ବୈଷୟିକ ସହାୟତା, ପ୍ରଶିକ୍ଷକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛି। ସଂସ୍ଥାର ଦକ୍ଷ ପ୍ରଶିକ୍ଷକମାନେ ଏଠାକୁ ଆସି ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସଂପ୍ରତି ଏଠାରେ ୪୦ଜଣ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ୩୦ଜଣ ଆବାସିକ ଭାବେ ପ୍ରଶିକ୍ଷଣ ନେଉଥିଲା ବେଳେ ୧୦ ଜଣ ଡେ’ ବୋର୍ଡିଂ ବ୍ୟବସ୍ଥାରେ ପ୍ରଶିକ୍ଷଣ ନେଉଛନ୍ତି। ୧୬ରୁ ୨୨ବର୍ଷ ବୟସ୍କ ଖେଳାଳିଙ୍କୁ ଏଠାରେ ପ୍ରଶିକ୍ଷଣ ନେବାର ସୁଯୋଗ ମିଳୁଛି।