ଚଣ୍ଡିଗଡ଼ : ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ । ଅନ୍ୟପଟେ ଆଜିର ପରାଜୟ ସହ ଗୁଜରାଟ ଟାଇଟେଲ ଦୌଡରୁ ବାଦ ପଡ଼ିଛି । ୨୨୯ ରନର ପିଛା କରିଥିବା ଗୁଜରାଟ ୨୦ ଓଭରରେ ୨୦୮ ରନ ହିଁ କରିପାରିଥିଲା ।ଦଳ ପକ୍ଷରୁ ସାଇ ସୁଦର୍ଶନ ୮୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜନି ବେୟାରଷ୍ଟୋ ଓ ରୋହିତ ଶର୍ମା ବ୍ୟାଟିଂ ଓପନ କରିଥିଲେ । ବେୟାରଷ୍ଟୋ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ରୋହିତ ଟିକିଏ ସତର୍କତାର ସହ ବ୍ୟାଟିଂ କରିଥିଲେ । ବେୟାରଷ୍ଟୋ ମାତ୍ର ୨୨ ବଲରେ ୪୭ ରନ କରି ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ମଧ୍ୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସୂର୍ଯ୍ୟକୁମାର ଯାଦବ । ରୋହିତ ମାତ୍ର ୫୦ ବଲରେ ୮୧ ରନ କରିଥିବାବେଳେ ସୂର୍ଯ୍ୟକୁମାର ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ କରିଥିଲେ । ଗୁଜରାଟ ପକ୍ଷରୁ ସାଇକିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।